ପୁରୀକୁ ପ୍ରତିଷ୍ଠିତ ପର୍ଯ୍ୟଟନ ସ୍ଥଳ ଘୋଷଣା ନେଇ ସାଂସଦଙ୍କ ପରେ ବିଧାୟକ ଦେଲେ ଦାବିପତ୍ର

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଭେଟିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ | ତାଙ୍କ ସହ ପୁରୀ ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ଼.ସମ୍ବିତ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ | ଏହି ଦୁଇ ନେତା ପୁରୀକୁ ପ୍ରତିଷ୍ଠିତ ପର୍ଯ୍ୟଟନ ସ୍ଥଳ ଭାବେ ଘୋଷଣା ପାଇଁ ଦାବି କରିବା ସହ ଦାବିପତ୍ର ଦେଇଛନ୍ତି | ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କକୁ ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଘୋଷଣା ଦାବି କରି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟର ସବୁ ବିଜେପି ସାଂସଦ |

କେନ୍ଦ୍ର ସରକାର ଦେଶର ୧୭ଟି ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଘୋଷଣା କରିଛନ୍ତି | ଓଡ଼ିଶାର କୌଣସି ସ୍ଥାନ ଏଥିରେ ତାଲିକାଭୁକ୍ତ ହୋଇନାହିଁ | ଏହାକୁ ନେଇ ଓଡ଼ିଶାର ବିଜେପି ସାଂସଦମାନେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଥିଲେ | ବିଜେପି ସାଂସଦଙ୍କ ପୂର୍ବରୁ ଜୁଲାଇ ୨୬ ତାରିଖରେ ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକା ସହ ଏହି ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୨୦୧୯-୨୦ ଆର୍ଥିକ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ୧୭ଟି ପ୍ରତିଷ୍ଠିତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଏହି ୧୭ଟି କ୍ଷେତ୍ରକୁ ମଡେଲ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରଖିଛନ୍ତି ।

ସମ୍ବନ୍ଧିତ ଖବର