ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ସୁପ୍ରିମ୍‌ କୋର୍ଟରେ ଆସନ୍ତାକାଲି ଶୁଣାଣି ହେବାକୁ ଥିବା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ବିଧାୟକ ଶ୍ରୀ ଷଡ଼ଙ୍ଗୀ ଚିଠିରେ ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଅବେଦନ କରିବାକୁ ଅନୁରୋଧ କରିଛନ୍ତି।

ପୁରୀ ବିଧାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଧାୟକ ଭାବେ ରଥଯାତ୍ରା ପାଇଁ ଆବଶ୍ୟକ ସହଯୋଗ କରିବି। ରାଜ୍ୟ ସରକାର କୋର୍ଟଙ୍କ ଆଗରେ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ଯୁକ୍ତି ରଖନ୍ତୁ। ଏଥି ପାଇଁ ମଡିଫିକେସନ ପିଟିସନ ଦାୟର କରନ୍ତୁ। କାରଣ ରଥଯାତ୍ରା ପାଇଁ କୋଟି କୋଟି ଭକ୍ତ ଚାହିଁ ରହିଛନ୍ତି।

ପୁରୀ ରଥଯାତ୍ରା ପାଇଁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ପିଟିସନ ଦାୟର କରିଛନ୍ତି। ବିଜେପି ନେତା ପିଟିସନ ଦାୟର ନେଇ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର ଲେଖିଛନ୍ତି ଯେ, ଆସନ୍ତା ୨୦୨୦ ଜୁନ ୨୩ ତାରିଖରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ମୁଁ ସୁପ୍ରିମ୍‌ କୋର୍ଟରେ ପ୍ରଥମ ଆଦେଶର ସ୍ପଷ୍ଟୀକରଣ ଓ ସଂଶୋଧନ ପାଇଁ ଆବେଦନ କରିଛି। ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଆମର ପ୍ରାର୍ଥନା ନିଶ୍ଚିତ ଶୁଣିବେ।

 

ସୂଚନାଯୋଗ୍ୟ ରଥଯାତ୍ରା ନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର