ପୁରୀ: ପୁରୀ ସହରର ରାସ୍ତାଘାଟରେ ଏବେ ପେଭର୍ ବ୍ଲକ୍ ପକାଇବା କାମ ଚାଲିଛି। ଏହାର ପ୍ରମୁଖ ଲକ୍ଷ୍ୟ ରହିଛି, ଗମନାଗମନକୁ ସୁଗମ କରିବା ସହ ଲୋକଙ୍କୁ ରୋଜଗାର ଦେବା ଓ ଭୂତଳ ଜଳରେ ସ୍ଥିରତା ଆଣିବା। କିନ୍ତୁ ଏହି ପେଭର୍ ବ୍ଲକ୍ କାମ ଅତି ନିମ୍ନମାନର ହେଉଥିବା ପୁରୀ ପୌରାଞ୍ଚଳର ନରେନ୍ଦ୍ରକୋଣ ରାସ୍ତା, ରେଡ୍କ୍ରସ୍ ରୋଡ୍, ଅର୍ବାନ୍ ହାଟ ରାସ୍ତା ଆଦି ଏହାର ଜ୍ବଳନ୍ତ ଉଦାହରଣ। ପ୍ରାୟ ୪ କୋଟି ଟଙ୍କାରେ ପେଭର୍ ବ୍ଲକ୍ ପକାଯାଇଥିବା ଏହି ରାସ୍ତା ବର୍ଷେ ଭିତରେ ନଷ୍ଟ ହୋଇ ପୁଣି ନୂଆ କାମ ମାଗିଲାଣି। ସେପଟେ ଅଳ୍ପ ଦିନରେ ରାସ୍ତା ଖରାପ ହୋଇଯାଉଥିବାରୁ ଗମନାଗମନରେ ବି ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି।
ପୁରୀ ସହରକୁ ଐତିହ୍ୟ ସହରର ରୂପ ଦେବାକୁ ଯେବେଠୁ ଯୋଜନା ଆରମ୍ଭ ହେଲାଣି, ସେବେଠୁ ନୂଆ ନୂଆ ଯୋଜନା ସବୁ ପୁରୀ ପୌରାଞ୍ଚଳରେ ଆପଣାଯାଉଛି। ପୁରୀ ପୌରାଞ୍ଚଳ ରାସ୍ତାରେ ପେଭର୍ ବ୍ଲକ୍ ବିଛା କାମ ଦୁଇ ତିନି ବର୍ଷ ହେବ ଆରମ୍ଭ ହୋଇଛି। କେତେବେଳେ ପୁରୀ ପୌରପାଳିକା ମୁକ୍ତା ଯୋଜନାରେ ତ କେତେବେଳେ ପୂର୍ତ୍ତ ବିଭାଗ ଜରିଆରେ ପୁରୀ ସହରର ବିଭିନ୍ନ ରାସ୍ତାଘାଟରେ ପେଭର୍ ବ୍ଲକ୍ ବିଛାଯାଉଛି। ଗତବର୍ଷ କାର୍ତ୍ତିକ ମାସରେ ପୂର୍ତ୍ତ ବିଭାଗ ପକ୍ଷରୁ ନରେନ୍ଦ୍ର କୋଣ ଚତୁଃପାର୍ଶ୍ବ ଓ ବଡ଼ଦାଣ୍ଡକୁ ଯାଇଥିବା ବଗଲା ଧର୍ମଶାଳା ସଂଲଗ୍ନ ରାସ୍ତାରେ ପେଭର୍ ବ୍ଲକ୍ ବିଛା ଯାଇଥିଲା। ଗତବର୍ଷ ଚନ୍ଦନଯାତ୍ରା ପୂର୍ବରୁ ତରବରିଆ ଭାବେ ଏହି କଂକ୍ରିଟ୍ ରାସ୍ତା ଉପରେ ବାଲି ପକାଇ ପେଭର୍ ବ୍ଲକ୍ ବିଛାଗଲା। ପ୍ରାୟ ୨ କୋଟି ଟଙ୍କା ଏ ବାବଦକୁ ଖର୍ଚ୍ଚ କରାଗଲା। କିନ୍ତୁ ଏବେ ଏହି ରାସ୍ତା ଖାଲଖମାରେ ଭର୍ତ୍ତି। କେଉଁଠି ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହେଲାଣି ତ କେଉଁଠି ପେଭର୍ ବ୍ଲକ୍ ସବୁ ବାହାରି ପଡ଼ିଲାଣି। ଆଉ କେଉଁଠି ରାସ୍ତାକଡ଼ ପେଭର୍ ବ୍ଲକ୍ ସବୁ ଧସିଗଲାଣି। ନୂଆବର୍ଷଠାରୁ ଏଭଳି ସ୍ଥିତି ଲାଗି ରହିଥିଲେ ବି ଏହାର ମରାମତି କଥା ଚିନ୍ତା କରାଯାଉନି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି।
ସେହିଭଳି ପୂର୍ତ୍ତ ବିଭାଗ ପ୍ରାୟ ୨ କୋଟି ୧୦ ଲକ୍ଷ ଟଙ୍କାରେ ଅର୍ବାନ ହାଟ ରାସ୍ତା, ମହିଳା ମହାବିଦ୍ୟାଳୟ ରାସ୍ତା ତିଆରି ଥିଲା। ଯେଉଁଥିରେ ଅର୍ବାନ ହାଟ ରାସ୍ତା ପେଭର୍ ବ୍ଲକ୍ କାମ ଏଥିରେ ଅନ୍ତର୍ଭୁକ୍ତ ଥିଲା। ଭୁବନେଶ୍ବରର ଠିକାଦାର ଏହି କାମ କରିଥିଲେ। କିନ୍ତୁ ବର୍ଷେ ଭିତରେ ଏହି ରାସ୍ତା ବି ନଷ୍ଟ ହୋଇଗଲାଣି। ଅର୍ବାନ ହାଟ ସମ୍ମୁଖରେ ଅନେକ ସ୍ଥାନରେ ପେଭର୍ ବ୍ଲକ୍ ଦବି ଗାତ ସୃଷ୍ଟି ହେଲାଣି। ବଡ଼ଶଙ୍ଖ ବଜାରରୁ ରେଳ ଷ୍ଟେସନ୍କୁ ସଂଯୋଗ କରୁଥିବା ରେଡ୍କ୍ରସ ରୋଡ୍ ପ୍ରାୟ ୨୨ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିଲା। ଏଥିରେ ରାସ୍ତାପାର୍ଶ୍ବରେ ପେଭର୍ ବ୍ଲକ୍ ପକାଯାଇଥିଲା। କିନ୍ତୁ ରାସ୍ତା କାମର ମାତ୍ର ୧୫ ଦିନ ଭିତରେ ଭୂତଳ ତାର ବିଛାଇବା ପାଇଁ ରାସ୍ତାର ଦୁଇପାର୍ଶ୍ବରେ ପଡ଼ିଥିବା ପେଭର୍ ବ୍ଲକ୍ ସବୁ ଖୋଳି ଦିଆଗଲା।
ଇତିମଧ୍ୟରେ ବର୍ଷେ ବିତିବାକୁ ବସିଲାଣି, କିନ୍ତୁ ରାସ୍ତା ମରାମତି କରାଯାଉନି। ସେହିଭଳି ଦୁଇପାର୍ଶ୍ବ ଆବୁଡ଼ା ଖାବୁଡ଼ା ହୋଇ ପଡ଼ିଛି। ପୁରୀ ପୌରାଞ୍ଚଳର ଏହି ତିନି ରାସ୍ତା କେବଳ ଉଦାହରଣ ମାତ୍ର। ଏଭଳି ବହୁ ରାସ୍ତା ରହିଛି, ଯାହା ମାସେ ଦୁଇ ମାସ ଭିତରେ ନଷ୍ଟ ହୋଇଯାଉଛି। ତଥାପି ପ୍ରଶାସନ ଏନେଇ ଚୁପ୍ ରହିବା ପୌରାଞ୍ଚଳରେ ଚାଲିଥିବା ପେଭର ବ୍ଲକ୍ କାମର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ତ୍ତ ବିଭାଗ ପୁରୀ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରଶ୍ମିରଂଜନ ସାହୁ କହିଛନ୍ତି, ଓପିଟିସିଏଲ୍ ବିଭିନ୍ନ ରାସ୍ତାକୁ ଖୋଳି ଏଭଳି ଅବସ୍ଥାରେ ପକାଇ ରଖିଛି। ଫଳରେ ଯେତେ ସୁନ୍ଦର କରି ରାସ୍ତା କଲେ ବି ସବୁ ଖାଲ ହୋଇଯାଉଛି। ପୂର୍ବରୁ ଏ ସମ୍ପର୍କରେ ଟିପିସିଓଡିଏଲ୍କୁ ଚିଠି କରି ତୁରନ୍ତ ରାସ୍ତା ମରାମତି କରିବାକୁ କହିଥିଲୁ। କିନ୍ତୁ ଟିପିସିଓଡିଏଲ୍ ମରାମତି କାମ କରିନି। ପୁଣି ଆଉ ଥରେ ଆମେ ଚିଠି କରିବୁ ବୋଲି ଇଂ. ସାହୁ କହିଛନ୍ତି। ଭୂତଳ ତାର ବିଛାଇବା ପାଇଁ ରାସ୍ତାକୁ ଖୋଳିବାକୁ ପଡ଼ିଥିଲା। ଆମେ ତୁରନ୍ତ ଏହି ରାସ୍ତା ସବୁ ମରାମତି କରିଦେବୁ ବୋଲି ଟିପିସିଓଡିଏଲ୍ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ମୃତିରଂଜନ ସ୍ବାଇଁ କହିଛନ୍ତି।