ପୁରୀ : ଉଠାଦୋକାନୀଙ୍କଠାରୁ ଆଦାୟ ହେଉଥିବା ଇଜରା ବା ମାହାସୁଲକୁ ନେଇ ସବୁବେଳେ ବିବାଦ ରହିଆସିଛି। ଏଥିରେ ହେଉଥିବା କେଳେଙ୍କାରୀକୁ ରୋକିବା ପାଇଁ ପୌରସଂସ୍ଥା ପକ୍ଷରୁ ନାନା ଯୋଜନା ହେଉଥିଲେ ମଧ୍ୟ ଗଳାବାଟ ଦେଇ ଲକ୍ଷ ଲକ୍ଷ ଟଙ୍କା ହଡପ ହେବା ଅଭିଯୋଗ ଆସୁଛି। ନିକଟ ଅତୀତରେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ଉଭୟ ଜିଲ୍ଲାପାଳ ଓ ପୌରାଧିକାରୀ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ ମଧ୍ୟ ଟଙ୍କା ହଡପ କରିବା ବାଟ ମୁକୁଳା ପଡ଼ିଛି।
ଗତ ଜାନୁଆରି ମାସରୁ ଏହି ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଉଦ୍ୟମ ହୋଇଛି। ମାହାସୁଲ ଦର ୫ ଟଙ୍କାରୁ ୨୦ ଟଙ୍କା ହୋଇଥିବା ବେଳେ ପ୍ରତି ମାସରେ ବ୍ୟବସାୟୀ ନିୟମିତ ଏହି ଇଜରା ପଇଠ କଲେ ୧୦ ପ୍ରତିଶତ ରିହାତି ବ୍ୟବସ୍ଥା ହୋଇଛି। ସହରରେ ପାଖାପାଖି ୨୫୦୦ ଉଠା ଦୋକାନ ରହିଛି। ଏଭଳି ମାସକୁ ମାସ ନିୟମିତ ଇଜରା ଦେଇ ରିହାତି ପାଉଥିବା ଦୋକାନୀଙ୍କ ସଂଖ୍ୟା ହେଉଛି ମାତ୍ର ୫ଶହରୁ ୬ଶହ। ଅର୍ଥାତ୍ ସମୁଦାୟ ସଂଖ୍ୟାର ମାତ୍ର ୨୦ ପ୍ରତିଶତ। ୮୦ ପ୍ରତିଶତ ଦୋକାନୀଙ୍କଠାରୁ ପୌରସଂସ୍ଥା କର୍ମଚାରୀ ବୁଲି ବୁଲି ଇଜରା ସଂଗ୍ରହ କରୁଛନ୍ତି। ଏଥିପାଇଁ ୭ ଜଣ କର୍ମଚାରୀ ଅଛନ୍ତି।
ପୂର୍ବରୁ ଆଦାୟ ହେଉଥିବା ଇଜରା ପରିମାଣ କମ୍ ରହିଥିଲା। କିନ୍ତୁ ଦର ବଢ଼ିବା ପରେ ଏବେ ମାସକୁ ୧୦ ଲକ୍ଷରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଇଜରା ବାବଦକୁ ଆଦାୟ ହେବା ସୁଯୋଗ ରହିଛି। ହେଲେ ଏହାର ସୁପରିଚଳନା ବ୍ୟବସ୍ଥା ହୋଇ ନାହିଁ। ଉଠା ଦୋକାନୀମାନଙ୍କୁ କାଗଜ ଛାପା ରସିଦ ଦିଆଯାଉଛି। କେଉଁ ଦୋକାନୀଙ୍କୁ ଦିଆଗଲା, କେଉଁ ଦୋକାନୀଙ୍କୁ ଦିଆଗଲାନି, କେଉଁ ଠାରୁ ବିନା ରସିଦ୍ରେ ୨୦ ବଦଳରେ ୧୦ ଅଣାଗଲା ସେ ସବୁ ପୌର କର୍ତ୍ତୃପକ୍ଷ ଜାଣିବା ଅବକାଶ ନାହିଁ। କର୍ମଚାରୀଙ୍କ ଉପରେ ହିଁ କର୍ତ୍ତୃପକ୍ଷ ଭରସା କରୁଛନ୍ତି। ରସିଦ୍ ନ ଦେଇ ଇଜରା ବା ମହାସୁଲ ବାବଦକୁ ହଜାର ହଜାର ଟଙ୍କା ହଡପ ହେଉଥିବା ନେଇ ଏକାଧିକ ଅଭିଯୋଗ ରହିଛି। ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ ଦିନ ସାରା ବେପାର କରନ୍ତି ନାହିଁ, କେବଳ କିଛି ସମୟ ପାଇଁ ଆସି ବେପାର କରି ଚାଲି ଯାଆନ୍ତି। ସେହିଭଳି ପ୍ରତ୍ୟେକ ଦିନ ନୂଆ ନୂଆ ବେପାରୀ ଆସି ରାସ୍ତା କଡ଼ରେ ବସି ବ୍ୟବସାୟ କରୁଛନ୍ତି। ନୂଆ ବ୍ୟବସାୟୀ କିମ୍ବା କମ୍ ଆସୁଥିବା ବେପାରୀଙ୍କୁ ଟାର୍ଗେଟ କରି ଏଭଳି ଇଜରା ହଡ଼ପ ହେଉଥିବା ଅଭିଯୋଗ ରହିଛି।
ବରିଷ୍ଠ ଆଇନଜୀବୀ ଦେବାଶିଷ ଦାସଙ୍କ କହିବା ମୁତାବକ, କେତେ ଉଠା ଦୋକାନୀ ଅଛନ୍ତି ତାହାର ହିସାବ ପୌରସଂସ୍ଥା ପାଖରେ ନାହିଁ। ତଳିଆ କର୍ମଚାରୀଙ୍କ ଉପରେ ଏହି ଇଜରା କାରବାର ଛାଡ଼ି ଦେଇ ବଡ଼ବଡ଼ିଆ ବସି ଯାଇଛନ୍ତି। ଦିନେ ବ୍ୟବସାୟ କରୁ କି ଦୁଇଦିନ କରୁ, ପ୍ରତ୍ୟେକ ଉଠାଦୋକାନୀ ପୌରସଂସ୍ଥା ନିକଟରେ ପଞ୍ଜୀକରଣ କରିବ। ପୌରସଂସ୍ଥା ନିକଟରେ ବ୍ୟବସାୟୀର ମୋବାଇଲ ନମ୍ବର ରହିବ। ଯେଉଁମାନେ ଇଜରା ଦେବେନି ତାଙ୍କ ପାଖକୁ ଏସ୍ଏମ୍ଏସ୍ ଯିବ। ଫଳରେ ଇଜରା ଦେଇନଥିବା ନେଇ ଏସ୍ଏମ୍ଏସ୍ ପାଇବା ପରେ ଇଜରା ଦେଇଥିବା ବ୍ୟବସାୟୀ ଜାଣିପାରିବ ଯେ ତା ଇଜରା ଟଙ୍କା ହଡପ ହୋଇଛି। ଏଣୁ ସେ ପୌରସଂସ୍ଥା ସହ ଯୋଗାଯୋଗ କରିବ। ପୌରସଂସ୍ଥା ହାତ ଛାପା ରସିଦ ବନ୍ଦ କରି ବିଲିଂ ମେସିନ୍ ବ୍ୟବହାର କରୁ। ଏହି ମେସିନ୍ ଜରିଆରେ ଯେତେବେଳେ ଦୋକାନୀଙ୍କ ନାମରେ ରସିଦ୍ କଟାଯିବ ସେହି ସୂଚନା ଅନ୍ଲାଇନ୍ରେ ପୌର କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବା ସହ ଦୋକାନୀ ପାଖରେ ମଧ୍ୟ ଏସ୍ଏମ୍ଏସ୍ ଜରିଆରେ ସୂଚନା ପହଞ୍ଚିବ। ଫଳରେ ରସିଦ୍ କାଟୁଥିବା କର୍ମଚାରୀ ବାଟମାରଣା କରିବା ଆଶଙ୍କା ରହିବ ନାହିଁ।
ଏନେଇ ପୌରାଧିକାରୀ ବିଜୟ ଦାଶ କହିଛନ୍ତି, ଦୋକାନୀଙ୍କୁ ରସିଦ୍ ନ ଦେଇ ଇଜରା ପଇସା ହଡପ କରିନେବା ଭଳି ଅଭିଯୋଗରେ ପ୍ରମାଣ ପାଇବା ବ୍ୟବସ୍ଥା ଆମ ପାଖରେ ନାହିଁ। ଇଜରା ଆଦାୟ କରୁଥିବା କର୍ମଚାରୀଙ୍କ ଉପରେ ହିଁ ଆମକୁ ଭରସା କରିବାକୁ ପଡ଼ିବ। କିନ୍ତୁ ବିନା ରସିଦ୍ରେ ବ୍ୟବସାୟୀ ଇଜରା ଦେବା ଅନୁଚିତ। ବ୍ୟବସାୟୀ ସଚେତନ ହେଲେ ହିଁ ଏଭଳି ଅଭିଯୋଗର ଅବକାଶ ରହିବ ନାହିଁ। ବ୍ୟବସାୟୀ ସଚେତନ ହୋଇ ଇଜରା ନିୟମିତ ଦାଖଲ କଲେ ତାଙ୍କ ପାଇଁ ଏହା ଆଶୀର୍ବାଦ ହେବ। ନିୟମିତ ଇଜରା ଦେଉଥିବା ବ୍ୟବସାୟୀ ହିଁ ପୌରସଂସ୍ଥା ପାଖରେ ପଞ୍ଜୀକୃତ ହୋଇ ରହିପାରିବ। ଭବିଷ୍ୟତରେ ଯେବେ ବି ଉଠାଦେକାନୀଙ୍କୁ ନେଇ କୌଣସି ଯୋଜନା ହୁଏ ସେମାନେ ସେଥିରେ ସାମିଲ ହୋଇ ପାରିବେ।