ପୁରୀ: ଶ୍ରୀମନ୍ଦିର ଦୋଳବେଦି ମହାପ୍ରଭୁଙ୍କ ଲୀଳାଖେଳର ପୁଣ୍ୟଭୂମି। ଏଠାରେ ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ହୋଲି ଖେଳିଥାନ୍ତି। ଏହାସହ ଆହୁରି ଅନେକ ନୀତିକାନ୍ତି ବି ଦୋଳବେଦିରେ ଅନୁଷ୍ଠିତ ହୋଇଥାଏ। ଦୋଳପୂର୍ଣ୍ଣିମାରେ ବିମାନରେ ଦୋଳବେଦିକୁ ମହାପ୍ରଭୁଙ୍କ ବିଜେ ବେଳେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଉଠେ। ହଜାର ହଜାର ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରଠାରୁ ଦୋଳବେଦି ପର୍ଯ୍ୟନ୍ତ ପାଛୋଟି ନେଇଥାନ୍ତି। କିନ୍ତୁ ଏହି ଦୋଳବେଦି ଆଉ ପୂର୍ବ ଦୋଳବେଦି ହୋଇ ରହିନାହିଁ। ବିକାଶ ଆଳରେ ପ୍ରଶସ୍ତ ଏହି ଦୋଳବେଦି ପରିକ୍ରମା ରାସ୍ତା (ଦୋଳବେଦିରୁ ପାଚେରି ଟାଏ)କୁ ସଂକୁଚିତ କରି ଦିଆଯାଇଛି। ଫଳରେ ଦୋଳପୂର୍ଣ୍ଣିମା ସହ ଅନ୍ୟାନ୍ୟ ନୀତିକାନ୍ତିରେ ଦୋଳବେଦି ପରିକ୍ରମା ବେଳେ ଅସୁବିଧା ଉପୁଜିପାରେ ବୋଲି ବିମାନବଡ଼ୁ ସେବକମାନେ ମତ ଦେଲେଣି।

Advertisment

ଗବେଷକଙ୍କ ମତରେ ଏହି ଦୋଳବେଦି ଶ୍ରୀମନ୍ଦିର ସମସାମୟିକ। ଗଙ୍ଗବଂଶ ରାଜତ୍ବ କାଳରେ ଏହା ନିର୍ମାଣ ହୋଇଥିଲା ବୋଲି କୁହାଯାଏ। ଦୋଳପୂର୍ଣ୍ଣିମା‌ରେ ନିଜେ ମହାପ୍ରଭୁ ଦୋଳବେଦିକୁ ଆସି ଫଗୁ ଖେଳିଥାନ୍ତି। ହୋଲିକା ଦହନରେ ଆସି ବିଶ୍ବରୁ ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାନ୍ତି। କିନ୍ତୁ ଦୁଃର୍ଭାଗ୍ୟ, ବର୍ଷକ ତଳେ ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ଥିବା ଏହି ଐତିହ୍ୟ ସମ୍ପନ୍ନ ଦୋଳବେଦିର ପାଚେରିକୁ ଦକ୍ଷିଣ-ପଶ୍ଚିମ ପାର୍ଶ୍ବରୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଥିଲା। ଏହି ପାଚେରିରେ ‘ରାବଣ ଛତ୍ରଭଙ୍ଗ’ ଭଳି ଅନେକ ବିରଳ ପଥର ମୂର୍ତ୍ତି ରହିଥିଲା। ସେହିଭଳି ଅନେକ ଛୋଟବଡ଼ ଦେବଦେବୀଙ୍କ ପଥର ମୂର୍ତ୍ତି ବି ରହିଥିଲା। କାନ୍ଥର ତଳ ଭାଗରେ ଶ୍ରୀକୃଷ୍ଣଙ୍କ କାରୁକାର୍ଯ୍ୟ ରହିଥିଲା। କେଉଁଠି ବକାସୁର ବଧ ତ କେଉଁଠି ଅଘାସୁର, ପ୍ରଳମ୍ବାସୁର, କେକେସି ବଧ, ଧେନୁକାସୁର ବଧ ଭଳି କାରୁକାର୍ଯ୍ୟ ଥିଲା। କିନ୍ତୁ ପାଚେରି ଭାଙ୍ଗିବା ପରେ ଏହି ବିରଳ କାରୁକାର୍ଯ୍ୟ ସବୁ ମାଟିରେ ମିଶିଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠଗୁଡ଼ିକୁ ଭାଙ୍ଗି ମାଟିରେ ମିଶାଇ ଦେବା ପରେ ଦୋଳବେଦିକୁ ଏଭଳି ଭାଙ୍ଗିଦେବାକୁ ସେ ସମୟରେ ଗବେଷକ, ବୁଦ୍ଧିଜୀବୀ, ଭକ୍ତ ସହଜରେ ଗ୍ରହଣ କରି ପାରିନଥିଲେ। ସେ ସମୟରେ ଏସମ୍ପର୍କରେ ଇନ୍‌ଟାକ୍‌ର ଗବେଷକ ଦୀପକ ନାୟକ ପ୍ରତ୍ନତତ୍ତ୍ବ ବିଭାଗ, ରାଜ୍ୟ ସରକାରଙ୍କୁ ଟ୍ବିଟ୍‌ କରି ଅଭିଯୋଗ କରିଥିଲେ। ପୂର୍ବର ବିରଳ ପ୍ରତିମୂର୍ତ୍ତି ସବୁ ଟ୍ବିଟ୍‌ରେ ଦର୍ଶାଇ, ଏହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଥିଲା ଯେଯେଉଁ ପଥର ମୂର୍ତ୍ତି କାନ୍ଥରେ ଲାଗିଥିଲା, ତାକୁ ଅକ୍ଷତ ଖୋଲାଯାଇ ଶ୍ରୀମନ୍ଦିର କର୍ଯ୍ୟାଳୟରେ ସଂରକ୍ଷିତ ରଖାଯାଇଛି। ଯେହେତୁ ନାଳ ପାଣି ସହ ପାଇପଲାଇନ୍‌, ଇଲେକ୍ଟ୍ରିକାଲ୍‌ ପାଇପ ଆଦି ଯିବାରେ ଅସୁବିଧା ହେଉଥିଲା, ସେ ଦୃଷ୍ଟିରୁ ପାଚେରି ଭାଙ୍ଗିବାକୁ ପଡ଼ିଲା। ଦୋଳବେଦି ପାଚେରି ପୂର୍ବରୁ ଯେଉଁଭଳି ଥିଲା, ତା’ଠାରୁ ଆହୁରି ସୁନ୍ଦର କରାଯିବ। ଐତିହ୍ୟସମ୍ପନ୍ନ କାରୁକାର୍ଯ୍ୟରେ ଦୋଳବେଦି ପାଚେରିକୁ ସଜାଯିବା ସହ ସମ୍ପ୍ରସାରଣ କରାଯିବ। ଦୋଳବେଦିରୁ ପାଚେରି ଦୂରତା ପୂର୍ବରୁ ୨ ମିଟର ଥିଲା। ଏହାକୁ ସାଢ଼େ ୩ ମିଟର କରାଯିବ। ଯେଉଁ ମୂର୍ତ୍ତିସବୁ ଖୋଲାଯାଇଛି, ନୂଆ ପାଚେରି ନିର୍ମାଣ ପରେ ଏହାକୁ ସ୍ଥାନିତ କରାଯିବ। କିନ୍ତୁ ଦୃଶ୍ୟ ଭିନ୍ନ ଦେଖିବାକୁ ମିଳିଛି। ପାଚେରି ଭାଙ୍ଗିବା ପରେ ଦୋଳବେଦିଠାରୁ ବହୁ କମ ଦୂରରେ ପାଚେରି ଠିଆ କରାଯାଉଛି। ଯାହାକୁ ସେବାୟତମାନେ ବି ସହଜରେ ଗ୍ରହଣ କରିପାରୁନାହାନ୍ତି। ଯଦି ମହାପ୍ରଭୁଙ୍କ ବିମାନ ପରିକ୍ରମାରେ କିଛି ଅସୁବିଧା ହୁଏ, ଯେଉଁ ବିଶୃଙ୍ଖଳା ଉପୁଜିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାୟୀ ରହିବ ବୋଲି ଅଭିଯୋଗ କରିଛନ୍ତି।