୮୫ ଦିନ ପରେ ମୁକ୍ତ ହେଲା ଇମ୍ଫାର ‌ବିବାଦୀୟ ହେଲିକପ୍ଟର

ପୁରୀ : ଚିଲିକା ଉପରେ ହେଲିକପ୍ଟର ଉଡାଇ ବିବାଦରେ ଫସିଥିବା ଇମ୍ଫାର ହେଲିକପ୍ଟର (ଭିଟି ବିଡିପି)କୁ ପୁରୀ ପୁଲିସ ଦୀର୍ଘ ୮୫ ଦିନ ପ‌ରେ ମୁକ୍ତ କରିଛି। ପୁରୀ ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଅରଖକୁଦା ମେରାଇନ ଥାନା ଅଧିକାରୀ ଗୌରାଙ୍ଗ ପୃଷ୍ଟି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ସିଜ୍ ହ୍ୟାଙ୍ଗର ଖୋଲିବା ସହିତ ଏହି ବିବାଦୀୟ ହେଲିକପ୍ଟରକୁ ମୁକ୍ତ କରିଛନ୍ତି। ପୂର୍ବରୁ ଡିଜିସିଏ (ଡାଇରେକ୍ଟର ଜେନେରାଲ ସିଭିଲ ଆଭିଏସନ୍)ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ପୁଲିସ ଜବତ କରିଥିବା ଇମ୍ଫାର ଅନ୍ୟ ଦୁଇଟି ହେଲିକପ୍ଟର (ଭିଟି ଆଇଏଲଏ ଓ ଭିଟି ବିବିଆଇ)କୁ ମୁକ୍ତ କରିଥିଲା।

ସୂଚନାଯୋଗ୍ୟ, ଗତ ସେପ୍ଟମ୍ବର ମାସ ୧୫ ତାରିଖ‌‌ରେ ଚିଲିକା ଉପରେ ଏକ ସି ପ୍ଲେନ୍ ଅବତରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଅରଖକୁଦା ମେରାଇନ ଥାନାରେ ଅଭିଯୋଗ କରିବା ପରେ ଅରଖକୁଦା ପୁଲିସ ସେପ୍ଟମ୍ବର ୧୭ ତାରିଖରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଇମ୍ଫାର ହେଲିକପ୍ଟର ହ୍ୟାଙ୍ଗରକୁ ସିଜ୍ କରିଥିଲା। ଏହି ହ୍ୟାଙ୍ଗର ଭିତରେ ଇମ୍ଫାର ତିନୋଟି ହେଲିକପ୍ଟର ରହିଥିଲା। ସେଥିରୁ ଗୋଟିଏ ହେଲିକପ୍ଟର (ଭିଟି ବିଡିପି, ଚିଲିକାରେ ଉଡାଣ କରିଥିଲା) ବିବାଦରେ ଥିବା ବେ‌ଳେ ପୁଲିସ ଆଉ ଦୁଇଟି ହେଲିକପ୍ଟରକୁ ମଧ୍ୟ ସିଜ୍ କରିଥିଲା। ଏ ନେଇ ଇମ୍ଫା କର୍ତ୍ତୃପକ୍ଷ ଡିଜିସିଏର ଦ୍ବାରସ୍ଥ ହୋଇଥିଲେ। ସ୍ଥିତି ଅନୁଧ୍ୟାନ ପରେ ଡିଜିସିଏ ଅକ୍ଟୋବର ୨୫ ତାରିଖରେ ଇମ୍ଫା ହେଲିକପ୍ଟରକୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ତେବେ ବିବାଦରେ ନଥିବା ଅନ୍ୟ ଦୁଇଟି ହେଲିକପ୍ଟରକୁ ପୁଲିସ ହ୍ୟାଙ୍ଗରରୁ ମୁକ୍ତ କରିଥିଲେ ମଧ୍ୟ ସବିଶେଷ ତଥ୍ୟ ଆସିବା ପ‌ରେ ଯାଇ ବିବାଦୀୟ ହେଲିକପ୍ଟର (ଭିଟି ବିଡିପି)କୁ ମୁକ୍ତ କରାଯିବ ବୋଲି ପୁରୀ ଏସ୍‌ପି କହିଥିଲେ। ପରେ ଇମ୍ଫା ପକ୍ଷରୁ ଏ ନେଇ ପୁରୀ ଏସ୍‌ଡିଜେଏମ୍‌ଙ୍କ ନିକଟରେ ମାମଲା ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି କରି ପୁରୀ ଏସଡିଜେଏମ୍‌ ହ୍ୟାଙ୍ଗରରେ ସିଜ୍‌ ହୋଇଥିବା ହେଲିକପ୍ଟର (ଭିଟି ବିଡିପି)କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳରେ ପୁରୀ ପୁଲିସ ଆଜି ଇମ୍ଫାର ବିବାଦୀୟ ହେଲିକପ୍ଟରକୁ ହ୍ୟାଙ୍ଗରରୁ ମୁକ୍ତ କରିଛି।

ସମ୍ବନ୍ଧିତ ଖବର