ଅଭିଜିତ୍‌ଙ୍କୁ ମାରାଥନ୍‌ ଜେରା

ପୁରୀ : ବିଶ୍ବ ଐତିହ୍ୟ କୋଣ‌ାର୍କ, ଜଗନ୍ନାଥ ମନ୍ଦିର ଏବଂ ଓଡ଼ିଶା ସଂପର୍କରେ ବିବାଦୀୟ ମନ୍ତବ୍ୟ ରଖିଥିବା ଅଭିଜିତ୍‌ ଆୟାର ମିତ୍ରଙ୍କୁ ପୁରୀ ପୁଲିସ ଆଜି ମାରାଥନ୍‌ ଜେରା କରିଛି। ‌ତଦନ୍ତକାରୀ ଅଧିକାରୀ (କୋଣାର୍କ ଥାନା ଅଧିକାରୀ)ଙ୍କ ସହିତ କିଛି ବରିଷ୍ଠ ପୁଲିସ ଅଧିକାରୀ ଅଭିଜିତଙ୍କୁ ବିଭିନ୍ନ ବିଷୟରେ ଗୁଡ଼େଇ ତୁଡ଼େଇ ଜେରା କରିଛନ୍ତି। ଆୟାର କେବେ ଆସିଥି‌େଲ, ଓଡ଼ିଶାର କେଉଁ ସ୍ଥାନକୁ ଗସ୍ତ କରିଥିିଲେ, ସାଥୀରେ କିଏ ଥିଲେ ଏମିତି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା। ଅଭିଜିତ ମଧ୍ୟ ସବୁ ଉତ୍ତର ରଖିଥିଲେ। ସେ ହେଲିକପ୍ଟରରେ କୋଣାର୍କ ଓ ପୁରୀ ଦେଇ ସିଧା କେନ୍ଦ୍ରାପଡା ଯାଇଥିବା କହିଛନ୍ତି। ଚିଲିକାରେ ଅବତରଣ କରିନଥିଲେ। ତେବେ ସେଠାରୁ ଏକ କାର୍‌ ଯୋଗେ ବନ୍ଧୁମାନଙ୍କ ସହିତ ଭୁବ‌େନଶ୍ବର ଫେରିଥିଲେ। ଭୁବନେଶ୍ବର ଫେରିବା ବାଟରେ ଯାଜପୁର ଲଳିତଗିରି ନିକଟରେ ଭୋଜନ କରିଥିଲେ। ପରେ ଭୁବନେଶ୍ବର ଆସିଥିଲେ। ତେବେ ସେ ଅନ୍ୟ ଏକ ଦିନ ଓଡ଼ିଶାର ଶିମିଳିପାଳ ଓ କୋଣାର୍କ ମନ୍ଦିରକୁ କାର ଯୋଗେ ବୁଲିବାକୁ ଯାଇଥିଲେ। କୋଣାର୍କ ସଂପର୍କରେ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ନେଇ ଅନୁତପ୍ତ ବୋଲି ପୁଲିସକୁ କହିଛନ୍ତି। ଏଥିରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା। କେବଳ ମଜାଳିଆ ଢଙ୍ଗରେ ଭିଡ଼ିଓ କରି ଏହାକୁ ସେ ଟ୍ୟୁଟର‌େର ଛାଡିଥିଲେ। ଜେରା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ତାଙ୍କର ବନ୍ଧୁତାକୁ ସେ ସ୍ବୀକାର କରିଥିଲେ। ବୈଜୟନ୍ତ ତାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ। ତେବେ ସେ ଓଡ଼ିଶାକୁ ଭଲ ପାଆନ୍ତି ବୋଲି କହିଥିଲେ। ସୁରକ୍ଷା ଦୃଷ୍ଟିରୁ ଅଭିଜିତଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ଜେରା କରାଯାଉଛି। ଆସନ୍ତାକାଲି ଅପରାହ୍ନରେ ତାଙ୍କୁ କୋଣାର୍କ ଜେଏମ୍‌ଏଫସି କୋର୍ଟରେ ହାଜର କରାଯିବ। ପୁଲିସ ଅଭିଜିତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡ ଅବଧି ସରିବା ପରେ ପୁଣି ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର