ପୁରୀ : ପୁରୀ ସଦର ନିର୍ବାଚନମଣ୍ଡଳୀରେ ଗୋଟିଏ ଘଟଣା ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇକୁ କେବଳ ସାମ୍ନାକୁ ଆଣିନାହିଁ, ବିଜୟ ଓ ପରାଜୟକୁ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗୋଟିଚାଳନାରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ବିଜୟୀ ହୋଇଥିବାବେଳେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଶକ୍ତ ଧକ୍କା ପାଇଛନ୍ତି।
ଏହି ଲଢ଼େଇ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନେଇ ସୃଷ୍ଟି ହୋଇଥିଲା। ପୁରୀ ସଦର ବ୍ଲକ୍ର ସମଙ୍ଗ ପଞ୍ଚାୟତରେ ସମିତି ସଭ୍ୟ ପାଇଁ ୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମାତ୍ର, ୩ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ପୂର୍ବତନ ସଦର ବ୍ଲକ୍ ଅଧ୍ୟକ୍ଷ ଦିବାକର ପାତ୍ର। ଫଳରେ, ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ର ହିଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।
ଶ୍ରୀ ମିଶ୍ର ନିର୍ଦ୍ବନ୍ଦ୍ବ ଜିଣିବା ପକ୍କା ହେବା ପରେ ବିଜେପି ସୋସିଆଲ୍ ମିଡିଆ ଜରିଆରେ ନିଜ ଶ୍ରେୟ ଗୋଟାଇବା ଆରମ୍ଭ କରିଥିଲା। ଶ୍ରୀ ମିଶ୍ର ବିଜେପିର ଅପ୍ରତୀଦ୍ବନ୍ଦ୍ବୀ ବିଜୟୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। ନିଜେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ବି ଫେସ୍ବୁକ୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ଏଥିପାଇଁ ଶ୍ରୀ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପୂର୍ବରୁ ନିଜ ପରାଜୟ ସ୍ବୀକାର କରି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବାରୁ ତୀବ୍ର ସମାଲୋଚନା କରିଥିଲେ। ମାତ୍ର, ଶ୍ରୀ ମିଶ୍ର ଆଜି ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତି, ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଅଧ୍ୟକ୍ଷ ପଦରେ ବସାଇବାର ପ୍ରତିଶ୍ରୁତି ଦେଇ ଶ୍ରୀ ମିଶ୍ରଙ୍କୁ ବିଜେଡିରେ ମିଶାଯାଇଛି ବୋଲି ମହେଶ୍ବରଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।