ପୁରୀ ରାଘବ ଦାସ ମଠ ମାମଲା : ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ପୁରୀ ରାଘବ ଦାସ ମଠ ଉଚ୍ଛେଦ ପ୍ରସଂଗରେ ପ୍ରଶାସନ ଯଦି ପଦକ୍ଷେପ ନିଏ ତେବେ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଏ ନେଇ ରାଘବ ଦାସ ମଠ ପକ୍ଷରୁ ଅନାମ ଚରଣ ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୭୫ ମିଟର ପରିଧି ବାହାରେ ଏହି ମଠ ରହିଥିବା ବେଳେ ଏହାକୁ ପ୍ରଶାସନ ନିୟମ ଅନୁସାରେ ଉଚ୍ଛେଦ କରିବା କଥା ନୁହେଁ। କିନ୍ତୁ ୭୫ ମିଟର ପରିଧି ବାହାରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା କେତେକ ମଠକୁ ଭଙ୍ଗାଯିବ ବୋଲି ଖବର ପ୍ରକାଶ ପାଇଥିଲା। ଏପରି ୮ଟି ମଠ ମଧ୍ୟରେ ରାଘବ ଦାସ ମଠ ରହିଥିବା ପ୍ରକାଶ ପାଇଥିଲା। କେଉଁ ପରିସ୍ଥିତିରେ ଏପରି ମଠକୁ ଭଙ୍ଗା ଯିବାକୁ ଘୋଷଣା କରାଗଲା ତାହା ଅସ୍ପଷ୍ଟ ଥିବା ବେଳେ ଉଚ୍ଛେଦ ଆଶଙ୍କାରେ ମଠ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଆବେଦନକାରୀ ମଠକୁ ଏବେ ଭଙ୍ଗା ଯିବାର ସମ୍ଭାବନା ନାହିଁ। ଏପରି ପରିସ୍ଥିତିରେ ଯଦି କେବେ ଏହି ପ୍ରସଂଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରେ ତେବେ ପକ୍ଷଙ୍କୁ ନୋଟିସ୍ କରାଯିବ ଓ ଆଇନ ଅନୁଯାୟୀ ପ୍ରକ୍ରିୟା ଅନୁସରଣ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଶ୍ବଜିତ ମହାରଣା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର