ବାତ୍ୟା ବିଧ୍ବସ୍ତ ପୁରୀ ରେଳ ଷ୍ଟେସନ ଏବେ ବି ଅସଜଡ଼ା : ମୁଣ୍ଡ ଉପରେ ରଥଯାତ୍ରା, ନିର୍ମାଣ ହୋଇନି ପ୍ଲାଟଫର୍ମ ଛାତ, ବର୍ଷା ହେଲେ ସ୍ଥିତି ବେହାଲ୍‌

ୱେଟିଂ ହଲ୍‌ ଛାରଖାର, ସୁରକ୍ଷା ମୁକୁଳା

ପୁରୀ : ଆଉ ଦୁଇ ଦିନ‌ ପ‌ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନଯାତ୍ରାରୁ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ବାହୁଡାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଉତ୍ସବ ମୁଖର ହେବ ଶ୍ରୀକ୍ଷେତ୍ର। ପ୍ରତିବର୍ଷ ଭଳି ଏଥର ମଧ୍ୟ ରଥଯାତ୍ରାରୁ ସୁନାବେଶ ମଧ୍ୟରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ‌ହେବ। ତେବେ ଏତେ ସଂଖ୍ୟକ ଲୋକ ଆସିବାକୁ ଥିଲେ ମଧ୍ୟ ପୁରୀ ରେଳ‌‌ ଷ୍ଟେସନ୍‌ ଯେଉଁଭଳି ପ୍ରସ୍ତୁତ ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇନାହିଁ। ଫନିରେ ଛାରଖାର୍‌ ହୋଇ ଯାଇଥିବା ପୁରୀ ‌ରେଳ ଷ୍ଟେସନର ମରାମତି କାମ ମନ୍ଥର ଗତିରେ ଚାଲିଛି। ସାମାନ୍ୟ ବର୍ଷା ‌ହେଲେ ଯାତ୍ରୀଙ୍କ ଅବସ୍ଥା ବେହାଲ। ଗତକାଲି ବର୍ଷାରେ ଏହାକୁ ଅଙ୍ଗେ ନିଭାଇଛନ୍ତି ଯାତ୍ରୀ। ପ୍ଲାଟଫର୍ମ ଉପରେ ଛାତ ନଥିବାରୁ ଯାତ୍ରୀମାନେ ଲଗେଜ୍ ସହିତ ଭିଜିଛନ୍ତି। ଖାଲି ସେତିକି ନୁହେଁ, ଓଦା ସରସର ହୋଇ ରେଳ ଯାତ୍ରା କରିଛନ୍ତି।

ପୁରୀ ଭଳି ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ରେଳ ଷ୍ଟେସନ୍‌ ଅବସ୍ଥା‌ ଏମିତି। ଏବେ ବି ପ୍ଲାଟ୍‌ଫର୍ମରେ ଆବର୍ଜନା ଓ ବାତ୍ୟା ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଅଧା ପ୍ଲାଟଫର୍ମ ଅନ୍ଧାର ବି। ‘ଫନି’କୁ ୪୦ ଦିନ ପୂରିଗଲାଣି। ହେଲେ ପୁରୀ ରେଳ ଷ୍ଟେସନ୍‌ର ମରାମତି କାମ ୧୦ ପ୍ରତିଶତ ମଧ୍ୟ ସରିନାହିଁ। ତେଣୁ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଯାତ୍ରୀ ଷ୍ଟେସନ୍‌ରେ କଲବଲ ହେବା ଏକପ୍ରକାର ଥୟ।

ମେ ୩ ତ‌ାରିଖରେ ତାଣ୍ଡବ ରଚିଥିଲା ‘ଫନି’। ଆଉ ଏହାର ପ୍ରଭାବରେ ପୁରୀ ରେ‌ଳ ଷ୍ଟେସନ୍‌ ଧ୍ବସ୍ତବିଧ୍ବସ୍ତ ହୋଇ ଯାଇଥିଲା। ଷ୍ଟେସନ୍‌ର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ସମସ୍ତ ୮ଟି ପ୍ଲାଟଫର୍ମର ଛାତ, ୱାରିଂ, ଲାଇଟ୍‌କୁ ମୋଡ଼ିମକଚି ଫିଙ୍ଗି ଦେଇଥିଲା ‘ଫନି’। ତେବେ ବ୍ୟାପକ କ୍ଷତି ସତ୍ତ୍ବେ ରଥଯାତ୍ରା ପୂର୍ବରୁ ଉଜୁଡ଼ା ଷ୍ଟେସନ୍‌ର ନବୀକରଣ କାମ ସାରିବାକୁ ପ୍ରତିଶ୍ରୁତି ଦେଇଥିଲା ରେଳ ବିଭାଗ। ମାତ୍ର ବାତ୍ୟାର ୪୦ ଦିନ ପରେ ମଧ୍ୟ ରେଳ ଷ୍ଟେସନ୍‌ର ସ୍ଥିତି ସ୍ବାଭାବିକ ହୋଇ ପାରିନାହିଁ। ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କାରଣ ପର୍ଯ୍ୟଟକଙ୍କ ଯାଞ୍ଚ ବ୍ୟବସ୍ଥା ଏଠାରେ ନାହିଁ। ଷ୍ଟେସନ୍‌ରେ ମେଟାଲ୍‌ ଡିଟେକ୍ଟର ଭାଙ୍ଗିଯାଇଥିବା ବେଳେ ଲଗେଜ ସ୍କାନର୍‌ ବ୍ୟବସ୍ଥା ନାହିଁ। ପୂରା ଷ୍ଟେସନ ମୁକୁଳା ପଡ଼ିଛି। ଆଲୋକ ବ୍ୟବସ୍ଥା ଏଯାଏ ବାହାଲ ହୋଇ ପାରିନାହିଁ। ଅଧା ରେଳ ଷ୍ଟେସନ ଅନ୍ଧାରରେ। ଯାତ୍ରୀଙ୍କ ବିଶ୍ରାମ କକ୍ଷ ନିର୍ମାଣ ସରିନାହିଁ। ଷ୍ଟେସନ୍‌ ସମ୍ମୁଖରେ ଉପୁଡ଼ି ପଡିଥିବା ସବୁ ହାଇମା‌‌‌ଷ୍ଟ ଲାଇଟ୍‌ ଅଚଳ। ଏଭଳି ପରିସ୍ଥିତିରେ ପୁରୀ ରେଳ ଷ୍ଟେସନ୍‌ ଲକ୍ଷାଧିକ ଭକ୍ତ, ଯାତ୍ରୀଙ୍କୁ କେମିତି ସୁବିଧା ଦେବ ତାହା ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ।

ସମ୍ବନ୍ଧିତ ଖବର