ବିବାଦରେ ପୁରୀ ରେଳଷ୍ଟେସନ ‘ଗାନ୍ଧୀ ଫଳକ’

ଗାନ୍ଧୀ ଯାଇଥିଲେ ଶ୍ରୀମନ୍ଦିର, ଦର୍ଶନ କରିଥିଲେ ମହାପ୍ରଭୁଙ୍କୁ
ଫଳକ ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଛି, ଅପସାରଣ କର: ସାମାଜିକ କର୍ମୀ

ପୁରୀ : ପୁରୀ ରେଳଷ୍ଟେସନ ପ୍ରବେଶ ପଥରେ ବହୁ ଦିନରୁ ଏକ ଫଳକ ଶୋଭାପାଉଛି। ଏଥିରେ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଲେଖା ରହିଛି ‘ଏଠାରୁ ୨୯ କିମି ଦୂରବର୍ତ୍ତୀ ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଡେଲାଙ୍ଗଠାରେ ଗାନ୍ଧୀଜୀ ୧୯୩୯ ମସିହାରେ କିଛି ଦିନ ପାଇଁ ଅବସ୍ଥାନ କରିଥିଲେ। ଜଗନ୍ନାଥ ମନ୍ଦିରରେ ହରିଜନମାନଙ୍କ ପ୍ରବେଶ ନିଷିଦ୍ଧ ଥିବାରୁ ସେ ଶ୍ରୀମନ୍ଦିର ଦର୍ଶନ କରି ନ ଥିଲେ। କସ୍ତୁରବା ଓ ମହାଦେବ ଦେଶାଇ କିଛି ଚିନ୍ତା ନ କରି ଶ୍ରୀମନ୍ଦିର ଦର୍ଶନ କରିଥିବାରୁ ଗାନ୍ଧୀଜୀଙ୍କଠାରୁ ଭର୍ତ୍ସନା ଶୁଣିଥିଲେ।’

ଦୀର୍ଘ ବର୍ଷ ପରେ ଏହି ଫଳକକୁ ନେଇ ବିବାଦ ଉପୁଜିଛି। ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ସମଗ୍ର ବିଶ୍ବ ପାଳନ କରୁଥିବା ବେଳେ ପୁରୀ ଓ ଶ୍ରୀମନ୍ଦିରକୁ ନେଇ ପୁରୀ ‌ରେଳ ଷ୍ଟେସନରେ ତଥ୍ୟଗତ ପ୍ରମାଦ ଥିବା ଏହି ଫଳକକୁ ଅପସାରଣ କରିବାକୁ ସାମାଜିକ କର୍ମୀ ତଥା ଆଇନଜୀବୀ ଜୟନ୍ତ ଦାସ ରେଳବାଇ ନିକଟରେ ଦାବି କରିଛନ୍ତି। ଆଜି ପୁରୀ ଷ୍ଟେସନ ମ୍ୟାନେଜର, ପୂର୍ବତଟ ରେଳବାଇ ମ୍ୟାନେଜର, ଆର୍‌ଏମ୍‌ ଖୋର୍ଦ୍ଧା‌ଙ୍କୁ ପକ୍ଷଭୁକ୍ତ କରି ଏତଲା ଦେଇଛନ୍ତି।

ଏହି ଫଳକ ଏଠାରେ ରହିବା ଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଏକ ନକାରାତ୍ମକ ଭାବନା ତିଆରି ହେଉଛି। ଜଗନ୍ନାଥ ସଂସ୍କୃତିକୁ ଅଧ୍ୟୟନ କରି ଅଭିଭୂତ ହୋଇ ପୁରୀ ଆସୁଥିବା ପର୍ଯ୍ୟଟକ ଏହି ଫଳକ ଦେଖି ବିମୁଖ ହେଉଥିବା ସେ କହିଛନ୍ତି। ତେଣୁ ତ୍ରୁଟିପୂର୍ଣ୍ଣ ଏହି ଫଳକକୁ ଏଠାରୁ ତୁରନ୍ତ ଅପସାରଣ କରିବାକୁ ସେ ଦାବି କରିଛନ୍ତି। ଶ୍ରୀମନ୍ଦିରକୁ ହରିଜନ ଯାଆନ୍ତି ନାହିଁ ତା’ର ପ୍ରମାଣ ଦେବା ସହିତ କେଉଁ ତଥ୍ୟକୁ ଆଧାର କରି ଏଭଳି ଫଳକ ରଖାଯାଇଛି ତା’ର ଉତ୍ତର ମଧ୍ୟ ମାଗିଛନ୍ତି।

ଆଇନଜୀବୀ ଶ୍ରୀ ଦାସଙ୍କ ଚିଠିର ଉତ୍ତର ଦେଇ ରେଳବାଇ କର୍ତ୍ତୃପକ୍ଷ ଜାନୁଆରି ୧ ତାରିଖରେ ଏଥିରେ ସେମିତି କିଛି ତ୍ରୁଟି ନାହିଁ, ଏହି କଥାଟି ସର୍ବଜନ ଗୃହୀତ ହୋଇଥିବାରୁ ଏହା ଅପସାରଣ ସମ୍ଭବ ନୁହେଁ। ଏହା ସହ ଜିଲ୍ଲାପାଳଙ୍କୁ ଭେଟିବାକୁ ପରାମର୍ଶ ଦେଇଛନ୍ତି। ତେବେ ରେଳବାଇ କର୍ତ୍ତୃପକ୍ଷ କୌଣସି ପ୍ରମାଣ ଦେଇନାହାନ୍ତି, ଏପରିକି ଏହା କେଉଁ ଆବହମାନ କାଳରୁ ରହିଥିବା ଉତ୍ତରରେ ଲେଖିଛନ୍ତି। ରେଳବାଇ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲ ଉତ୍ତର ବିରୋଧରେ ଶ୍ରୀ ଦାସ ଆଜି ଥାନାରେ ଏତଲା ଦାୟର କରିଛନ୍ତି।

ସମାଜିକ କର୍ମୀ ଶ୍ରୀ ଦାସ ଉଠାଇଥିବା ପ୍ରସଙ୍ଗଟି ଏବେ ଶ୍ରୀମନ୍ଦିରରେ ହରିଜନ ପ୍ରବେଶକୁ ବିତର୍କକୁ ଟାଣିଛି। ଶ୍ରୀମନ୍ଦିର ବା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଗାନ୍ଧୀଙ୍କ ମନରେ ଭୁଲ ଧାରଣା ତିଆରି କରାଯାଇନାହିଁ ତ? ଶ୍ରୀମନ୍ଦିରକୁ ସତରେ କ’ଣ ହରିଜନ ପ୍ରବେଶ ଅନୁମତି ନ ଥିଲା? ଏଭଳି ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଏହି ପ୍ରସଙ୍ଗକୁ ନେଇ ବିଶିଷ୍ଟ ଗାନ୍ଧୀ ଗବେଷକ ତଥା ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ ପୁରୀ ରେଳ ଷ୍ଟେସନରେ ଲାଗିଥିବା ଫଳକଟିକୁ ସଂପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ଗାନ୍ଧୀଙ୍କ ଜୟନ୍ତୀ ବିଶ୍ବସ୍ତରରେ ପାଳନ ହେଉଥିବା ବେଳେ ଏଭଳି ତଥ୍ୟଗତ ପ୍ରମାଦ ଥିବା ଫଳକର ଅପସାରଣ ଜରୁରୀ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଗାନ୍ଧୀଜୀ ୧୯୩୯ରେ ପୁରୀ ଆସିନଥିଲେ। ଗାନ୍ଧୀ ୧୯୩୮ ମସିହା ମାର୍ଚ ୨୫ ରୁ ୩୧ରେ ଡେଲାଙ୍ଗ ବେରବୋଇ ଆସିଥିଲେ। ମହାଦେବ ଦେଶାଇ ଓ କସ୍ତୁରବା ଶ୍ରୀମନ୍ଦିର ଯିବା କଥା ମଧ୍ୟ ତ୍ରୁଟିଯୁକ୍ତ। ଗାନ୍ଧୀଜୀଙ୍କର ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ନେଇ ସେଭଳି କିଛି ଖରାପ ଧାରଣ ନ ଥିଲା। ସେ ୧୯୨୧ ମାର୍ଚ ୨୬ରେ ପୁରୀ ଆସିଥିଲେ, ନିଜେ ଉତ୍କଳମଣି ଗୋପବନ୍ଧୁ ଦାସ ତାଙ୍କୁ ଶ୍ରୀମନ୍ଦିର ନେଇ ଯାଇଥିଲେ। କସ୍ତୁରବାଙ୍କ ସହିତ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ଓ ତାଙ୍କର ଅନୁଭୂତି ‘ୟଙ୍ଗ ଇଣ୍ଡିଆ’ରେ ଉଲ୍ଲେଖ କରିଛନ୍ତି। ମହାପ୍ରଭୁଙ୍କ କଥା ଓ ଶ୍ରୀମନ୍ଦିର ପରିମଳକୁ ନେଇ ଗାନ୍ଧୀ ନିଜେ ଉଲ୍ଲେଖ କରିଛନ୍ତି। ଅବଶ୍ୟ ୧୯୩୪ରେ ଗାନ୍ଧୀ ପୁରୀରୁ ହରିଜନ ଆନ୍ଦୋଳନର ପଦଯାତ୍ରା ଆରମ୍ଭ କରିଥିଲେ। ଯେଉଁ ମନ୍ଦିରକୁ ହରିଜନଙ୍କ ସ୍ବେଚ୍ଛାକୃତ ପ୍ରବେଶ ନାହିଁ, ସେଠାକୁ ସେ ଯିବେ ନାହିଁ ବୋଲି କହିବା ସହିତ ଗାନ୍ଧୀ ‘ଶ୍ରେୟା ଚଣ୍ଡାଳୁଣୀ’ କଥା କହି ଶ୍ରୀମନ୍ଦିରକୁ ହରିଜନଙ୍କ ପ୍ରବେଶ ଥିଲା ବୋଲି ମଧ୍ୟ କହିଥିଲେ। କିଛି ଦିନ ପାଇଁ ଏ ପରମ୍ପରା ବ୍ୟାହତ ହୋଇଥିବା ସେ କହିଥିଲେ ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ସର୍ବଧର୍ମ ସମନ୍ବୟର ସଂସ୍କୃତି। ହଜାର ହଜାର ବର୍ଷ ତଳୁ ଏହି ସଂସ୍କୃତିରେ ଏ କଥା ରହି ଆସିଛି। ଦାଶିଆ ବାଉରି ହାତରୁ ନଡ଼ିଆ ହେଉ କି ଭକ୍ତ ସାଲବେଗ କଥା। ତେବେ ଶ୍ରୀମନ୍ଦିରକୁ ହରିଜନ ପ୍ରବେଶ ଅନୁମତି ନଥିଲା ବୋଲି କହିବା ଉଚିତ ହେବ ନାହିଁ ବୋଲି କିଛି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର କହିଛନ୍ତି। ଗାନ୍ଧୀଙ୍କର ଏ କଥା ତ’ ୧୯୩୮ର କଥା, ମାତ୍ର ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ପରମ୍ପରାରେ ହରିଜନଙ୍କର ‌ସେବା ରହିଛି। ଯାହା ଶ୍ରୀମନ୍ଦିର ସ୍ବତଲିପିରେ ମଧ୍ୟ ଉଲ୍ଲେଖ ରହିଛି। ‘ମାହାର’ ନାମକ ଏକ ସେବା ରହିଛି, ଯାହା ଏମାନେ ସଂପାଦନ କରନ୍ତି। ଶ୍ରୀମନ୍ଦିର ପରିଚ୍ଛନ୍ନତା ରଖିବା ଏମାନଙ୍କ ଦାୟିତ୍ବ ଥିଲା। ଏଥି ସହିତ ଭୋଇ ସେବକଙ୍କ ମଧ୍ୟ ସ୍ବତନ୍ତ୍ର ସେବା ରହିଛି। ରଥକାଠ ବୋହିବ‌ା, ଚାରମାଳ ବୋହି ନେଇ ଶ୍ରୀମନ୍ଦିରେ ରଖିବା ଆଦି ସେବା ଏମାନେ କରନ୍ତି। ନବକଳେବର ସମୟରେ କୋଇଲି ବୈକୁଣ୍ଠରେ ମଧ୍ୟ ଭୋଇ ସେବକଙ୍କ ସେବା ରହିଛି। ଯାହା ଶ୍ରୀମନ୍ଦିର ସ୍ବତ୍ବଲିପିରେ ରହିଛି। ଶ୍ରୀମନ୍ଦିରକୁ କେବେ ହରିଜନଙ୍କୁ ବାରଣ କରାଯାଇ ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର