ପୁରୀ ରାଜଭବନ ଛାରଖାର୍‌: ରାଷ୍ଟ୍ରପତି, ରାଜ୍ୟପାଳଙ୍କ କକ୍ଷ ଧ୍ବଂସ

ପୁରୀ: ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ରାଜଭବନ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ରାଜଭବନ ପରିସରରେ ଥିବା ଉଦ୍ୟାନ ମାଟିରେ ମିଶି ଯାଇଥିବା ବେଳେ ଉଦ୍ୟାନରେ ଥିବା ଶହ ଶହ ଗଛ ନଷ୍ଟ ହୋଇଯାଇଛି। ବହୁ ପୁରାତନ ଗଛ ଉପୁଡି ପଡିଛି। ଫୁଲ ଉଦ୍ୟାନରେ ବାଲି ଚରିଯାଇଛି। ରାଜଭବନର ସମସ୍ତ ମୂଲ୍ୟବାନ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ରାଜ୍ୟପାଳ ଓ ଭାରତର ପ୍ରାୟ ୮ ଜଣ ରାଷ୍ଟ୍ରପତି ବିଭିନ୍ନ ସମୟରେ ରାତ୍ରୀଯାପନ କରିଥିବା ଏହି ରାଜଭବନର ମୁଖ୍ୟ ପ୍ରକୋଷ୍ଠ ଛାରଖାର୍‌ ହୋଇଯାଇଛି। ବାତ୍ୟା ବେଳେ ସମୁଦ୍ରରୁ ବାଲି ଉଡାଇ ଆଣି ରାଜଭବନ ଭିତରେ ଗଦା କରି ଦେଇଥିଲା। ଏଥିରୁ ପବନର ତୀବ୍ରତା ଓ ଭୟାବହତା ଅନୁମେୟ। ଖାଲି ସେତିକି ନୁହେଁ, ରାଜଭବନ ପରିସରରେ ଥିବା ୪ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ବିଶାଳ ପାଣିଟାଙ୍କିକୁ ଉଡ଼ାଇ ନେଇ ୫୦୦ ମିଟର ଦୂରରେ ପକାଇଦେଇଛି ବାତ୍ୟା ‘ଫନି’। ରାଜଭବନ ପରିସରରେ ଥିବା ଷ୍ଟାଫ୍ କ୍ବାର୍ଟର ମଧ୍ୟ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପରେ ରାଜ୍ୟପାଳ ଗଣେଶୀ ଲାଲ ଆସି ରାଜଭବନ ବୁଲି ଦେଖିଛନ୍ତି।

ସମ୍ବନ୍ଧିତ ଖବର