ଶିଶୁକନ୍ୟା ଦୁଷ୍କର୍ମ ମାମଲା: ପିପିଲିରୁ ଧରାପଡ଼ିଲା ଅଭିଯୁକ୍ତ

ସିକ୍ୟୁରିଟି ଗାର୍ଡ ପାଇଁ କଥାବାର୍ତ୍ତା କରୁଥିଲା, ପୁଲିସ ମାଡ଼ି ବସିଲା

ପୁରୀ : ପୁରୀରେ ଜଣେ ୫ ବର୍ଷୀୟା ନାବାଳିକାକୁ ଛାତ ଉପରକୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହେଶ ମହାନ୍ତିକୁ ଗତକାଲି ପୁଲିସ ପିପିଲିରୁ ଧରିଛି। ସେ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡ଼କୁରଖିଠାରେ ଏକ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ରହିବା ପାଇଁ କଥାବାର୍ତ୍ତା କରୁଥିବା ବେଳେ ଖବର ପାଇ ସେଠାରେ ଟାଉନ ଥାନା ପୁଲିସ ଚଢ଼ଉ କରିଥିଲା। ପୁଲିସକୁ ଦେଖି ମହେଶ ସେଠାରୁ ଖଯିଯିବାକୁ ଉଦ୍ୟମ କରିଥିଲା। ମାତ୍ର ପୁଲିସ ତାକୁ ସେଠାରୁ ଧରିବାରେ ସକ୍ଷମ ହୋଇଛି।

ଏନେଇ ଗୁରୁବାର ଦିନ ପୁରୀ ଏସ୍‌ପି ଡା. କେ. ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଏହି ମାମଲାକୁ ପୁଲିସ ଗୁରୁତ୍ବର ସହିତ ନେଇଛି। କ୍ରାଇମ୍‌ବ୍ରାଞ୍ଚ ସହିତ ଆଲୋଚନା କରି ଏହି ମାମଲାକୁ ରେଡ୍‌ ଫ୍ଲାଗ୍‌ ମାମଲା ଭାବେ ଘୋଷଣା କରାଯିବ। ସେହିପରି ମାତ୍ର ୨୦ ଦିନ ମଧ୍ୟରେ ଏହି ମାମଲାର ଚାର୍ଜ ସିଟ୍‌ ଦିଆଯିବ। ମାନ୍ୟବର କୋର୍ଟଙ୍କୁ ମଧ୍ୟ ଚାର୍ଜସିଟ୍‌ ଦେବାପରେ କିପରି ଶିଘ୍ର ବିଚାର ଚାଲିବ, ସେନେଇ ବିଚାରବିମର୍ଷ କରାଯାଉଛି। ସେହିପରି ନାବାଳିକା ପରିବାର କିପରି ଶୀଘ୍ର କ୍ଷତିପୂରଣ ଅର୍ଥ ପାଇବେ, ସେଥିନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ(ଡିଏଲ୍‌ଏସ୍‌ଏ) ସହିତ ମଧ୍ୟ ଯୋଗାଯୋଗ କରାଯିବ ବୋଲି ଏସ୍‌ପି ଡା. ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର