ପୁରୀ ଗଣଦୁଷ୍କର୍ମ ଘଟଣା: ବହିଷ୍କୃତ କନେଷ୍ଟବଳ ସମେତ ୨ ଗିରଫ

ଅନ୍ୟ ଦୁଇ ଫେରାର, ଲାଗିଲା ମୃତ୍ୟୁଦଣ୍ଡ ଦଫା, ପୀଡ଼ିତାଙ୍କ ବୟାନକୁ ନେଇ ଦ୍ବନ୍ଦ୍ବରେ ପୁଲିସ

ପୁରୀ: ଜଣେ ନାବାଳିକାକୁ ଗତକାଲି ନିମାପଡ଼ାରୁ ଅପହରଣ କରି ଆଣି ପୁରୀରେ ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ କରାଯିବା ଘଟଣାରେ ବହିଷ୍କୃତ ପୁଲିସ କନେଷ୍ଟବଳ ଓ ତା’ର ସାଥୀକୁ ଗତକାଲି ପୁଲିସ ଗିରଫ ପରେ ଆଜି କୋର୍ଟଚାଲାଣ କରିଛି। ଏମାନଙ୍କ ବିରୋଧରେ ମୃତ୍ୟୁ ଦଣ୍ଡ ଦଫା ଲଗାଯାଇଛି। ତେବେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଧରି ପାରି ନାହିଁ। କୁମ୍ଭାରପଡ଼ା ଥାନା କେସ୍‌ ନମ୍ବର ୩୦୮/୧୯ ତଥା ଆଇପିସିର ୩୬୩, ୩୭୬(ଡିଏ) ଓ ୩୯୪ ଦଫା ସହ ୬ ପୋକ୍‌ସୋ ଆଇନ ଦଫା ଲଗାଯାଇ ସଦର ଥାନା ଅନ୍ତର୍ଗତ ଆରିଡ଼ ନିବାସୀ ତଥା ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଏବଂ ରାଜା ଓରଫ ରାଜେଶ ସେଠୀକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଅପରାଧିକ ପୃଷ୍ଠଭୂମିକୁ ନେଇ ଜିତେନ୍ଦ୍ରକୁ ପୂର୍ବତନ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ପୁଲିସ ଚାକିରିରୁ ବହିଷ୍କୃତ କରିଥିଲେ। କିନ୍ତୁ ପୁଲିସ ବିଭାଗ ପକ୍ଷରୁ ତା’ର ପରିଚୟପତ୍ରକୁ ଜବତ କରାଯାଇ ନଥିବାରୁ ଏହାକୁ ବ୍ୟବହାର କରି ଜିତେନ୍ଦ୍ର ଗତକାଲି ଏହି ସଙ୍ଗିନ ମାମଲା କରିପାରିଥିଲା। ତେଣୁ ଜିତେନ୍ଦ୍ର ବିରୁଦ୍ଧରେ ଠକେଇ (୪୨୦) ଦଫାରେ ଆଉ ଏକ ମାମଲା ରୁଜୁ କରିବା ପାଇଁ ପୁଲିସ ଯୋଜନା କରୁଥିବା ଜଣାପଡ଼ିଛି। ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ହୋଣ୍ଡା ସାଇନ୍‌ ମୋଟର ସାଇକେଲ ଏବଂ ହୋଣ୍ଡା ଆଭି‌ଏଟର୍‌ ସ୍କୁଟର ଜବତ କରିଛି। ସତର୍କତାର ସାଇଣ୍ଟିଫିକ୍ ଟିମ୍ ମାଧ୍ୟମ‌ରେ ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ସତର୍କତା ସହିତ ତଦନ୍ତ ଚଳାଇଛି। ମାମଲାର ତଦନ୍ତକାରୀ ଅଧିକାରୀ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀ ସାଇଣ୍ଟିଫିକ୍ ଟିମ୍ ଡକାଇ ପୁଲିସ କ୍ବାର୍ଟର୍ସରେ ଯାଞ୍ଚ କରିବା ପରେ ସିଲ‌୍ କରିଦେଇଛନ୍ତି। ଗିରଫ ହୋଇନଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚାରିଟି ପୁଲିସ ଟିମ୍ ଗଠନ କରିଥିବା ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୦ ଦିନ ମଧ୍ୟରେ ପୁଲିସ ଚାର୍ଜସିଟ୍ ଦାଖଲ କରିବ। ଏହି ମାମଲାଟିକୁ ଖୁବ୍ ଶୀଘ୍ର ବିଚାର ପାଇଁ ଅନୁରୋଧ କରାଯିବ। ଏହି ମାମଲାକୁ ଲଢ଼ିବା ପାଇଁ ଜଣେ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରାଯିବ। ଅନ୍ୟ ପଟେ ପୀଡ଼ିତାଙ୍କ ବୟସ ମାତ୍ର ୧୬ ବର୍ଷ ବୋଲି ପୁଲିସ କହିଛି। ସେ ଦେଇଥିବା ବୟାନକୁ ଜଣେ ମହିଳା ଡିଏସପି ରେକର୍ଡ କରିଛନ୍ତି। ଆଜି ପୁଲିସ ତାଙ୍କୁ ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ହାଜର କରାଇଛି। ଏହା ପରେ ୧୬୪ରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। ପୁଲିସ ଠାରୁ ଖବର ପାଇ ପୀଡ଼ିତାଙ୍କ ପରିବାର ଲୋକ ଆସି ପହଞ୍ଚିଛନ୍ତି।

ତେବେ ପୁଲିସ ଦୁଇଟି ଗାଡ଼ିକୁ ଜବତ କରିଥିବାରୁ ପୀଡ଼ିତାଙ୍କ ବୟାନର ସତ୍ୟତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତା କହିଛନ୍ତି ଯେ ସେ ନିମାପଡ଼ା ବସ୍‌ଷ୍ଟାଣ୍ଡରେ କାକଟପୁରକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଏକ ଲାଲ ରଙ୍ଗର କାର୍‌ରେ ଜିତେନ୍ଦ୍ର ଓ ଅନ୍ୟ ତିନି ଜଣ ସାଙ୍ଗ ଅପହରଣ କରି ଆଣିଥିଲେ। ମାତ୍ର ଝାଡ଼େଶ୍ବରୀ ଛକସ୍ଥିତ ଜିତେନ୍ଦ୍ର ରହୁଥିବା ପୁଲିସ କ୍ବାର୍ଟର୍ସକୁ କୌଣସି କାର ଆସିନଥିବା ପାଖ ପଡ଼ୋଶୀ କହିଛନ୍ତି। ଯଦି ପୀଡ଼ିତାଙ୍କୁ ଏକ ଲାଲ ରଙ୍ଗର କାର‌୍‌ରେ ନିମାପଡ଼ାରୁ ପୁଲିସ କ୍ବାଟରକୁ ଅଣା ଯାଇଥିଲା, ତେବେ ପୁଲିସ ଉକ୍ତ କାରକୁ ଜବତ କରିବା ପରିବର୍ତ୍ତେ ଦୁଇଟି ବାଇକକୁ କିପରି ଜବତ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଯୁବତୀଙ୍କ ବୟାନର ସତ୍ୟତାକୁ ନେଇ ପୁଲିସ ସନ୍ଦିହାନ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଏସ୍‌ପି ଉମାଶଙ୍କର ଦାଶଙ୍କୁ ପଚାରିବାରେ ସେ କହିଛନ୍ତି, ପୀଡ଼ିତା ଯେହେତୁ ଜଣେ ନାବାଳିକା, ତେଣୁ ସେ ଯାହା ବୟାନ ଦେଇଛନ୍ତି ତାହା ହିଁ ସତ୍ୟ ବୋଲି ପୁଲିସ ଗ୍ରହଣ କରିବା ଆଇନସମ୍ମତ। ତେବେ ତଦନ୍ତର ଅଗ୍ରଗତି ସମ୍ପର୍କରେ ସମସ୍ତେ ଚୁପ୍ ରହିଛନ୍ତି। ସମସ୍ତ ପୁଲିସ ବିଭାଗ ପୂର୍ବତନ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଦେଉଛନ୍ତି। ପୂର୍ବତନ ଡା. ଷଡ଼ଙ୍ଗୀ କନେଷ୍ଟବଳ ଜିତେନ୍ଦ୍ର ସେଠୀକୁ ବହିଷ୍କୃତ କରିଥିବା କାରଣରୁ ପୁଲିସ ବିଭାଗ ବଦନାମ ହେବାରୁ ବର୍ତ୍ତିଯାଇଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର