ରଥ ନିର୍ମାଣ ଧାର୍ମିକ କାର୍ଯ୍ୟ ନୁହେଁ: ଗଜପତି
ରାଜ୍ୟ ସରକାରଙ୍କୁ ପରିଚାଳନା କମିଟିର ସୁପାରିସ
ରଥଯାତ୍ରା ବାଟ ଫିଟୁଛି, କଟକଣା ଭିତରେ ନିର୍ମାଣ

Advertisment

ପୁରୀ : କରୋନା ପାଇଁ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ନେଇ ରହିଥିବା ଆଶଙ୍କା ଦୂର ହୋଇଛି। ରଥଯାତ୍ରା ପାଇଁ ଆଜି ପ୍ରାରମ୍ଭିକ ଆଶ୍ବସ୍ତି ମିଳିଛି। ଆସନ୍ତାକାଲିଠାରୁ ରଥଖଳାରେ ରଥ ନିର୍ମାଣ ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିସ କରିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଏପଟେ କଟକଣା ଭିତରେ ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସଜବାଜ ହେଉଛି। ରଥ ନିର୍ମାଣ ସହିତ ସଂପୃକ୍ତ ମହାରଣା ସେବକ, ଭୋଇ‌ ସେବକ ପ୍ରମୁଖଙ୍କୁ ଡାକି ଆଜି ସଂଧ୍ୟାରେ ଆଲୋଚନା କରାଯାଇଛି। ଫଳରେ ଆସନ୍ତାକାଲିଠାରୁ ରଥଖଳା ପୁଣିଥରେ ଚଳଚଞ୍ଚଳ ହୋଇଉଠିବ ବୋଲି ଆଶା କରାଯାଉଛି। ଆସନ୍ତା ଜୁନ୍ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରା କିଭଳି ହେବ, ତାହା ସରକାରଙ୍କ ପରବର୍ତ୍ତୀ କରୋନା ନିର୍ଦେଶାବଳୀ ଉପରେ ନିର୍ଭର କରୁଛି ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ପଷ୍ଟ କରିଛନ୍ତି।

ପୂର୍ବ ନିଷ୍ପତ୍ତିକ୍ରମେ ଆଜି ଅପରାହ୍ଣ ପ୍ରାୟ ୪ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶ୍ରୀମନ୍ଦିର ପରଚାଳନା କମିଟିର ବୈଠକ ଜିଲ୍ଲା ପ୍ରଶାସନର ଭିସି କକ୍ଷରେ ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଭୁବନେଶ୍ବରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପରିଚାଳନା କମିଟି ସଦସ୍ୟଙ୍କ ସହ ରଥଯାତ୍ରା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୟରେ ପୁରୀରେ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ, ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ, ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ମାଧବଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡ଼ି, ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ଶ୍ରୀମନ୍ଦିର ଦେଉଳ ପୁରୋହିତ ଡ. ସିଦ୍ଧେଶ୍ବର ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ମହାରାଜ କହିଛନ୍ତି ଯେ ଆଜିର ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା ରଥଯାତ୍ରା ଓ ରଥ ନିର୍ମାଣ। କରୋନା କଟକଣା ଯୋଗୁଁ ଆଜି ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି। କରୋନା କଟକଣା ଯୋଗୁଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ଭିତରେ ରଥ ନର୍ମାଣ ଅନୁକୂଳର କେବଳ ବିଧି ପାଳନ କରାଯାଇଥିଲା। ଆମେ ମେ’ ୩ ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ।

କରୋନା ସଂପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର କ’ଣ ଗାଇଡ୍ ଲାଇନ୍ ଜାରି କରୁଛନ୍ତି, ସେହି ଅନୁଯାୟୀ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ‌ଆଗେଇବୁ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ସରକାର ପୁଣିଥରେ ମେ’ ୧୭ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ମେ’ ୧୭ ପର୍ଯ୍ୟନ୍ତ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ର ଅନୁଧ୍ୟାନ ଓ ବିସ୍ତୃତ ଆଲୋଚନା ପରେ ଉପସ୍ଥିତ ସଦସ୍ୟବୃନ୍ଦ ରଥ ନିର୍ମାଣକୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲେ। କାରଣ ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ଗାଇଡ୍‌ଲାଇନ୍ ଅନୁଯାୟୀ ମେ’ ୧୭ ପର୍ଯ୍ୟନ୍ତ ଲାଗିଥିବା କଟକଣା ଭିତରେ କୌଣସି ଧାର୍ମିକ କାର୍ଯ୍ୟ ହୋଇପାରିବ ନାହିଁ। କିନ୍ତୁ ରଥ ନିର୍ମାଣ କୌଣସି ଧାର୍ମିକ କାର୍ଯ୍ୟ ନୁ‌ହେଁ, ବରଂ ନିର୍ମାଣ କାର୍ଯ୍ୟ ହୋଇନଥିବାରୁ ସର୍ବସମ୍ମତିକ୍ରମେ ପରିଚାଳନା କମିଟି ରଥ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଇଛି। ରଥ ନିର୍ମାଣ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଆସନ୍ତାକାଲି ସୁଦ୍ଧା ରାଜ୍ୟ ସରକାର ଏ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ବୋଲି ଆଶା ରଖିଛୁ। ସେହି ଅନୁଯାୟୀ ଆସନ୍ତାକାଲିଠାରୁ ରଥଖଳାରେ ରଥ ନିର୍ମାଣ ପାଇଁ ଆଶା କରାଯାଉଛି ବୋଲି ଗଜପତି ମହାରାଜ କହିଛନ୍ତି। ମେ’ ୧୭ରେ ନୂଆ ଗାଇଡ୍‌ଲାଇନ୍ ଆସିବା ପରେ ଯାଇ ରଥଯାତ୍ରା ଉପରେ ଯାହା କିଛି ନିଷ୍ପତ୍ତି ନିଆଯିବ। କିନ୍ତୁ ରଥ ନିର୍ମାଣ କାର୍ଯ୍ୟ କଟକଣା ଭିତରେ କରାଯିବ। ରଥଖଳା ଏକ ସର୍ବସାଧାରଣ ସ୍ଥାନ ନୁହେଁ, ଏହି ଦୃଷ୍ଟିରୁ ସର୍ବସାଧାରଣଙ୍କ ପ୍ରବେଶରେ କଟକଣା ଲଗାଯିବ। ସାମାଜିକ ଦୂରତ୍ବ ରକ୍ଷା କରାଯିବ। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗଜପତି କହିଛନ୍ତି।

ଏ ସଂପର୍କରେ ବରିଷ୍ଠ ପୂଜାପଣ୍ଡା ସେବକ ମାଧବଚନ୍ଦ୍ର ପୂଜାପଣ୍ଡା କହିଛନ୍ତି ଯେ ଚଳିତବର୍ଷ ରଥ ନିର୍ମାଣ କଟକଣା ଭିତରେ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ୬୫ ବର୍ଷ ଅବା ଏହାଠାରୁ ଅଧିକ ବର୍ଷର ସେବକଙ୍କୁ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ମିଳିବନି। ମହାରଣା ସେବକଙ୍କଠାରୁ ଆରମ୍ଭ କରି ଅନ୍ୟ ସେବକମାନେ ଯେଉଁ ସବୁ ଯନ୍ତ୍ରାଂଶ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି, ତାକୁ ଘରକୁ ନେବାକୁ ଅନୁମତି ଦିଆଯିବନି। ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ରଖାଯିବ। ରଥ ନିର୍ମାଣରେ ୯ ଦିନ ବିଳମ୍ବ ହୋଇଥିବାରୁ ଏଥିପାଇଁ ଦେଢ଼ ଗୁଣ ମଜୁରି ଦିଆଯିବ। ରଥଖଳାରେ ୫ଜଣ ସେବକ ରଥ ନିର୍ମାଣରେ ରହିବେ। ସ୍ବାସ୍ଥ୍ୟ ବିଭାଗ ଜରିଆରେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ବରିଷ୍ଠ ଦଇତାପତି ସେବକ ତଥା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି ଯେ ଆସନ୍ତାକାଲିଠାରୁ ରଥ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଆଜି ମହାରଣା ସେବକଙ୍କ ସହ ଏ ସଂପର୍କରେ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ଅଗଣିତ ଭକ୍ତ, ସେବକଙ୍କ ପାଇଁ ଖୁସିର ଖବର ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।