ଭୁବନେଶ୍ବର : ରଥଯାତ୍ରାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସୋମବାର ଦିନ ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି। ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ ଲଗାଇଥିଲେ ବି ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କୁ ନେଇ ଯେପରି ବାଦ ବିବାଦ ଚାଲିଛି ଏହାକୁ ନାପସନ୍ଦ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ତାଙ୍କ ମତରେ ରଥଯାତ୍ରାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ସରକାର କାଳ ବିଳମ୍ବ ନ କରି ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରନ୍ତୁ। ରଥଯାତ୍ରା ଏକ ଉତ୍ସବ ନୁହେଁ ଏହା ଏକ ବିଧି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ସରକାର ମାନିବା ଉଚିତ୍‌। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ମତରେ ବିଧି ରକ୍ଷା ପାଇଁ ରଥଯାତ୍ରା କରାଯାଉ। ସେପଟେ ପରିଚାଳନା କମିଟି ସଦସ୍ୟ ତଥା ରାଜ୍ୟ ସଭା ସାଂସଦ ରଘୁନାଥ ମହାପାତ୍ର କହିଛନ୍ତି, ଜଗନ୍ନାଥ ହେଉଛନ୍ତି ସବୁଠୁ ସୁପ୍ରିମ୍‌।

Advertisment

ଏକ ପ୍ରେସ୍‌ ବିବୃତି ଜାରି କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ରଥଯାତ୍ରାକୁ ବିନା ଭକ୍ତରେ କରିବା ପାଇଁ ପରିଚାଳନା କମିଟି ସରକାରଙ୍କୁ ଅବଗତ କରାଇଥିଲେ। ପ୍ରତ୍ୟେକ କଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଳରେ ତାଳ ମିଶାଇ ନିଷ୍ପତ୍ତି ନେଉଛନ୍ତି। ଏଭଳି ସ୍ଥିତିରେ ପବିତ୍ର ରଥଯାତ୍ରାକୁ ବିଳମ୍ବ କରି କାହିଁକି ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାମାରୀ ସମୟରେ ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଯଥେଷ୍ଟ ପୂର୍ବରୁ ସରକାର ନିଷ୍ପତ୍ତି ନେବାର ଥିଲା। ଯଦି ସୁପ୍ରିମ୍‌କୋର୍ଟ୍‌ ତାଙ୍କ ଆଦେଶରେ ପରିବର୍ତ୍ତନ ନ କରନ୍ତି, ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ପୂର୍ବକ କଣ ବିକଳ୍ପ ବ୍ୟବସ୍ଥା ହୋଇପାରିବ ତାହା ଚିନ୍ତା କରି ନିଷ୍ପତ୍ତି ନେବାର ସମୟ ଆସିଛି।

ବି‌ଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି। ଏ ଦୁଇ ଆସ୍ଥା କେନ୍ଦ୍ର ଯେଉଁ ଅନୁରୋଧ ଓ ଅପେକ୍ଷା ରଖୁଛନ୍ତି ରାଜ୍ୟ ସରକାର ତାହାକୁ ପାଳନ କରନ୍ତୁ। ଗଜପତି ମହାରାଜ ଦିବ୍ୟସିଂହ ଦେବ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ଲେଖିଛନ୍ତି। ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଯେଉଁ ଅନୁରୋଧ କରିଛନ୍ତି ଓ ଅପେକ୍ଷା ରଖିଛନ୍ତି ରାଜ୍ୟ ସରକାର ଏହାକୁ ରକ୍ଷା କରନ୍ତୁ ଏବଂ ଏହି ଅନୁରୋଧ ଅନୁସାରେ ପଦକ୍ଷେପ ନିଅନ୍ତୁ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ମାଧ୍ୟମରେ ରାଜ୍ୟ ସରକାରଙ୍କ ତରଫରୁ କେହି ତାଙ୍କୁ ସାକ୍ଷାତ କରନ୍ତୁ ବୋଲି ଅପେକ୍ଷା ରଖିଛନ୍ତି। ରଥଯାତ୍ରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କ’ଣ କହିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ତୁରନ୍ତ ସାକ୍ଷାତ କରି ତାଙ୍କ ପରାମର୍ଶ ନିଅନ୍ତୁ।

ଜଗନ୍ନାଥଙ୍କ ରଥଯାତ୍ରା ଗୋଟିଏ ପରମ୍ପରା ନୁହେଁ, ଗୋଟିଏ ବିଧି। ବିଧି କେବେ ବନ୍ଦ ହୋଇପାରେନା। ଏ ସମ୍ପର୍କରେ ନିଜର ମତ ରଖି ପୂର୍ବତନ ମନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ସ୍କନ୍ଧ ପୁରାଣ ଅନୁଯାୟୀ ଜଗନ୍ନାଥଙ୍କ ରୀତି ନୀତି ଉପରେ ଶଙ୍କରାଚାର୍ଯ୍ୟ ଓ ଗଜପତି ନିଷ୍ପତ୍ତି ନେଇଥାନ୍ତି। ପ୍ରଶାସନ କିମ୍ବା ସରକାରଙ୍କର କିଛି କରିବାର ନାହିଁ। ଗଜପତି ଓ ଶଙ୍କରାଚାର୍ଯ୍ୟ ଯାହା ଚାହିଁବେ ସରକାର ଯୋଗାଇ ଦେବେ। ଏହି ଦୁଇଜଣଙ୍କ ସହ ଆଲୋଚନା କରି ପୂର୍ବରୁ ସରକାର ବିହିତ ପଦକ୍ଷେପ ନେବାର ଆବଶ୍ୟକତା ଥିଲା। ସାଢ଼େ ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ବିଧି ରକ୍ଷା କରିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ। ତାଙ୍କ ପ୍ରତି ଏଭଳି ବସ୍ତୁବାଦୀ ଚିନ୍ତା ଧାରା ନେଇ ବିଚାର କରିବା ଠିକ୍‌ ହୋଇନାହିଁ। ଯେତେ ସଂକ୍ଷିପ୍ତ ହେଉ ପଛକେ ରଥଯାତ୍ରା କରିବାକୁ ଶ୍ରୀ ରାଉତ ନିବେଦନ କରିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଶ୍ରୀ ମହାପାତ୍ର କହିଛନ୍ତି, ୧୨ରୁ ୧୫ ଲକ୍ଷ ଭକ୍ତ ସମାଗମ ହେବେ ବୋଲି ସୁପ୍ରିମ୍‌କୋର୍ଟରେ ଯେପରି ତଥ୍ୟ ଉପସ୍ଥାପନ କରାଗଲା ତାହା ଭୁଲ ଥିଲା। ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜ ସରକାରଙ୍କୁ ଚିଠି ଲେଖିଛନ୍ତି। ଜଗନ୍ନାଥ କାଠ କଣ୍ଢେଇ ନୁହଁନ୍ତି ଯେ, ଯିଏ ଯେଉଁଠି ଚାହିଁବ ନେଇଯିବ। ଶ୍ରୀଜିଉମାନେ ଯଦି ରଥକୁ ନ ଆସିବେ, ତାହେଲେ ରଥ ପର୍ବରେ ହେବାକୁ ଥିବା ଅଧର ପଣାଠୁ ଆରମ୍ଭ କରି ଅନ୍ୟ ନୀତିକାନ୍ତି କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।