ବାଟ ଫିଟାଇଲେ ଶଙ୍କରାଚାର୍ଯ୍ୟ; ବିଧି ରକ୍ଷା ହେବ, ଶ୍ରୀମନ୍ଦିର ଭିତରେ ସବୁ ହେବ

ମେଘନାଦ ପାଚେରି ଭିତରେ ରଥ ଅନୁକୂଳ
ଚାପ ବନ୍ଦ, ଭିତରେ ହେବ ଚନ୍ଦନ ଯାତ୍ରା
ମେ’୩ ପରେ ସ୍ନାନ ଓ ରଥଯାତ୍ରା ନିଷ୍ପତ୍ତି ହେବ
ନବୀନ-ମୋଦୀ ଟେଲିଫୋନ୍‌ରେ ଆଲୋଚନା

ପୁରୀ/ଭୁବନେଶ୍ବର : ବିଧି ନିଶ୍ଚୟ ହେବ। ଶ୍ରୀମନ୍ଦିର ବାହାରେ ଯଦି କଟକଣା ଅଛି, ମେଘନାଦ ପାଚେରି ଭିତରେ ଆବଶ୍ୟକ ବିଧାନ କରି ମହାପ୍ରଭୁଙ୍କ କାର୍ଯ୍ୟ ସମାହିତ ହେଉ।

ଦୀର୍ଘ ଅଢ଼େଇ ଘଣ୍ଟାର ଘମାଘୋଟ ଆଲୋଚନା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଏଭଳି ନିର୍ଦେଶ ଆଜି ସମଗ୍ର ବିଶ୍ବର ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିଛି।

ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ସଂପର୍କରେ ସୂଚାଇ ପୁରୀ ଗୋବର୍ଧନ ପୀଠ ପରିସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କୌଣସି କଟକଣାକୁ ଉଲ୍ଲଂଘନ ନ କରି ଅବଶ୍ୟ ବିଧି ପାଳନ ହେବ। ମହାପ୍ରଭୁଙ୍କ ରଥଯାତ୍ରା ସଂପର୍କିତ ଅକ୍ଷୟତୃତୀୟା ନୀତି ମେଘନାଦ ପାଚେରି ପରିସରରେ ଅନୁଷ୍ଠିତ ହେବ। ନିର୍ଦିଷ୍ଟ କେଉଁଠାରେ ଏହିକାର୍ଯ୍ୟ (ରଥକାଠ ଅନୁକୂଳ) ହେବ, ତାହା ଆସନ୍ତାକାଲି ସକାଳ ୧୦ଟା ବେଳେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ବଲବନ୍ତ ସିଂହ ସଂପୃକ୍ତ ସେବାୟତଙ୍କ ସହିତ ଆଲୋଚନା କରି ସ୍ଥିର କରିବେ। ସେହିଭଳି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମଧ୍ୟ କରାଯିବ। ପ୍ରତିବର୍ଷ ପ୍ରଭୁଙ୍କର ୨୧ଦିନ ବାହାର ଚନ୍ଦନ ହୁଏ, ଚାପ କରାଯାଇଥାଏ। ପରେ ୨୧ ଦିନ ଭିତର ଚନ୍ଦନ ହୁଏ। ଏଥର ଯେହେତୁ କଟକଣା ଲାଗୁ ହୋଇଛି, ଏଣୁ ଶ୍ରୀମନ୍ଦିର ପରିସରରେ ହିଁ ଏହି ନୀତି କରାଯିବ। ତେବେ ଚାପ ଅନୁଷ୍ଠିତ ହେବ ନାହିଁ। ଚନ୍ଦନ ନୀତି ସଂପର୍କରେ ଆବଶ୍ୟକ ଆଲୋଚନା କ୍ରମେ ବିଧିବଦ୍ଧ କାର୍ଯ୍ୟସୂଚୀ ଆସନ୍ତାକାଲି କୁହାଯିବ।

କରୋନା କଟକଣାକୁ ନେଇ ରଥନିର୍ମାଣ, ଚନ୍ଦନଯାତ୍ରା ହେବ କି ନାହିଁ, ସେନେଇ ଯେଉଁ ବଡ଼ ପ୍ରଶ୍ନବାଚୀ ଛି଼ଡ଼ା ହୋଇଥିଲା, ସେଥିରେ ଆପାତତଃ ପୂର୍ଣ୍ଣଛେଦ ପଡିଛି। ଗଜପତି ମହାରାଜାଙ୍କର ସୂଚନା ପରେ ରଥ ନିର୍ମାଣ ପାଇଁ ବାଟ ଖୋଲିଛି। ଏହାକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଆଶ୍ବସ୍ତ ହୋଇଛନ୍ତି।

ଗଜପତି ଆଜି ଏକଥା ବି କହିଛନ୍ତି ଯେ ୩ ତାରିଖରେ ଲକ୍‌଼ଡାଉନ୍ ଅବଧି ସରିବା ପରେ କଟକଣାଯୁକ୍ତ ରଥଯାତ୍ରା କିଭଳି ହେବ, ସେ ନେଇ ଉଭୟ େକନ୍ଦ୍ର ଓ ରାଜ୍ୟ ସରକାର ବିଚାର କରିବେ, ଏ ଆଶା ସମସ୍ତଙ୍କର ରହିଛି।

ରଥଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିୟମାବଳୀ ପ୍ରସ୍ତୁତ କର‌ିବେ ବୋଲି ଆମେ ଅନୁରୋଧ କରୁଛୁ।

ଉଲ୍ଲେଖଥାଉକି, ରଥଯାତ୍ରାର ପ୍ରମୁଖ ପ୍ରକ୍ରିୟା ‌େବାଲି କୁହାଯାଉଥିବା ରଥ ଅନୁକୂଳ ଏପ୍ରିଲ ୨୬ ତାରିଖରେ ହେବ। ସେହି ଅକ୍ଷୟ ତୃତୀୟା ଦିନ ଚନ୍ଦନ ଯାତ୍ରା ବି ଅନୁଷ୍ଠିତ େହବ। କରୋନା ପାଇଁ କେନ୍ଦ୍ର ସରକାରଙ୍କ କଟକଣା ପରିପ୍ରେକ୍ଷୀରେ ମହାପ୍ରଭୁଙ୍କର ଏହି ଶହ ଶହ ବର୍ଷର ଯାତ୍ରା ଉପରେ ବଡ଼ ପ୍ରଶ୍ନବାଚୀ ଛିଡ଼ା ହୋଇଥିଲା। ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପ୍ରଥମେ ଶଙ୍କରାଚାର୍ଯ୍ୟ ଓ ପରେ ରାତିରେ ଗଜପତିଙ୍କୁ ଭେଟିଥିଲେ।

ଆଜି ଦିନସାରା ଏହି ପ୍ରସଙ୍ଗକୁ ନେଇ ଘମାଘୋଟ ବୈଠକ ହୋଇଥିଲା। ସମଗ୍ର ବିଶ୍ବର ଶ୍ରୀଜଗନ୍ନାଥ ପ୍ରେମୀଙ୍କ ନଜର ପୁରୀର ଏହି ନିଷ୍ପତ୍ତି ଉପରେ ଥିଲା। ମଧ୍ୟାହ୍ନରେ ଭିଡ଼ିଓ କନଫରେନ୍ସିଂରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହୋଇଥିଲା। ଅପରାହ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ସାମ୍ବାଦିକ ସମ୍ମିଳନୀ କଲେ। ହେଲେ କୌଣସି ନିଷ୍କର୍ଷ ବାହାରିପାରିନଥିଲା।

ଉଲ୍ଲେଖଯୋଗ୍ୟ ଯେ ଆଜି ମଧ୍ୟାହ୍ନରେ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଭିଡ଼ିଓ କନଫରେନ୍ସିଂରେ ହୋଇଥିଲା। ଏଥିରେ ଗଜପତି ମହାରାଜା କହିଥିଲେ ଯେ ଲକ୍‌ଡାଉନକୁ ନଜରରେ ରଖି ମେ’ ୩ ତାରିଖ ପର୍ଯ୍ୟନ୍ତ କୌଣସି ବି ଧର୍ମପୀଠରେ କୌଣସି ପ୍ରକାରର ବାହାର ଯାତ୍ରା ତଥା ପର୍ବ ଅନୁଷ୍ଠିତ ହୋଇପାରିବ ନାହିଁ। ଏହାକୁ କଡାକଡି ପାଳନ କରିବାକୁ ପ୍ରତି ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏପ୍ରିଲ ୧୫ ତାରିଖରେ ଏହି ନିର୍ଦେଶ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ସାମ୍ନାକୁ ଆଣିଛନ୍ତି ଏଥିପାଇଁ ଜରୁରୀ ବୈଠକ ଡାକିବାକୁ ପଡ଼ିଲା।

ବର୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦେଶକୁ କେହି ବି କୋହଳ କରିପାରିବେ ନାହିଁ। ରାଜ୍ୟ ସରକାର ଯେଉଁ ନିର୍ଦେଶ ଦେବେ, ତାକୁ ଶ୍ରୀମନ୍ଦିର ପରିଚାଳନା କମିଟି ମାନିବାକୁ ବାଧ୍ୟ। ଏଣୁ ମନ୍ଦିର ବାହାରେ ୩ ତାରିଖ ପର୍ଯ୍ୟନ୍ତ କୌଣସି ବି ପର୍ବ ହୋଇପାରିବ ନାହିଁ ବୋଲି ଯାହା ନିର୍ଦେଶ ଅଛି, ତାହାକୁ ପାଳନ କରିବାକୁ ପଡ଼ିବ ବୋଲି ବୈଠକରେ ଗଜପତି ଦୃଢ଼ ମତ ରଖିଥିଲେ।

କିଛି ପରିଚାଳନା କମିଟି ସଦସ୍ୟ କହିଥିଲେ, ଚନ୍ଦନଯାତ୍ରା, ରଥଯାତ୍ରା ଶହ ଶହ ବର୍ଷର ପରମ୍ପରା ହୋଇଥିବାରୁ କୌଣସି ପରିସ୍ଥିତିରେ ଏହାକୁ ବନ୍ଦ କରା ନଯାଉ। କରୋନା କଟକଣା ଭିତରେ ଏହି ପରମ୍ପରା ଅନୁଷ୍ଠିତ‌ ହେଉ ବୋଲି ସେମାନେ ପ୍ରସ୍ତାବ ଦେଇଥିଲେ।

ତେବେ ଗଜପତି ଆଇନର ବ୍ୟବସ୍ଥା ସଂପର୍କରେ ବିଶଦ ଭାବେ ବର୍ଣ୍ଣନା କରିବା ସହ ମେ’ ୩ ଭିତରେ ବାହାର ଯାତ୍ରା ଅନୁଷ୍ଠିତ ହୋଇପାରିବନି ବୋଲି ଜଣାଇଥିଲେ। ସହମତି ପ୍ରକାଶ କରି ପରିଚାଳନା କମିଟି ସଦସ୍ୟମାନେ କଟକଣା ନିୟମାବଳୀକୁ ମାନିବେ ବୋଲି କହିଥିଲେ। କିନ୍ତୁ ଅକ୍ଷୟ ତୃତୀୟ ପରମ୍ପରା ଭଙ୍ଗ ନ ହେଉ ବୋଲି ମତ ରଖିଥିଲେ। ଆଡ଼ମ୍ବର ସହକାରେ ନ ହେଲେ ବି ଶହ ଶହ ବର୍ଷର ଏହି ପରମ୍ପରା ରକ୍ଷା ପାଇଁ ବିଧି ପାଳନ ହେଉ, ଏହାକୁ ସଂପୂର୍ଣ୍ଣ ବନ୍ଦ କରାନଯାଉ ବୋଲି ପ୍ରସ୍ତାବ ଦେଇଥିଲେ।

ଯେହେତୁ ଏହା ଏକ ଧାର୍ମିକ ପ୍ରସଙ୍ଗ ଓ ଏଥିରେ ବର୍ତମାନର ବ୍ୟବସ୍ଥା ବଦଳିବ, ଏଣୁ ଏହା ଉପରେ ଧର୍ମଗୁରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ପରିଚାଳନା କମିଟି ସଦସ୍ୟ ମତ ରଖିଥିଲେ ଓ ଏହା ହିଁ ସ୍ଥିର ହୋଇଥିଲା।

ଅପରାହ୍ନରେ ଗଜପତି ମହାରାଜା କହିଥିଲେ, ରୋଗକୁ ଦୂରେଇ ରଖିବା ଓ ମହାପ୍ରଭୁଙ୍କ ନୀତି ପାଳନ କରିବା ଉଭୟକୁ ଆମେ ଗୁରୁତ୍ବ ଦେଉଛୁ। କଟକଣାଯୁକ୍ତ ରଥଯାତ୍ରା ସପକ୍ଷରେ ପରିଚାଳନା କମିଟି ସଦସ୍ୟମାନେ ମତ ରଖିଛନ୍ତି। ଏହା ହିଁ ସମସ୍ତଙ୍କର ଆଶା। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହା ଉପରେ ବିଚାର କରିବା ଆବଶ୍ୟକ। ଯାତ୍ରୀଙ୍କୁ କଟକଣା ଲଗାଇ ଏହି ଯାତ୍ରା କରିହେବ କି ନାହିଁ, ତାହା ସରକାରଙ୍କ ଦାୟିତ୍ବ। ତେବେ ୩ ତାରିଖରେ ସାନି ନିର୍ଦେଶନାମା ଆସିବା ପରେ ସ୍ନାନଯାତ୍ରା, ରଥଯାତ୍ରା ଆଦି ସଂପର୍କରେ ପରିଚାଳନା କମିଟି ବସି ପୁଣି ନିଷ୍ପତ୍ତି ନେବେ େବାଲି କହିଥିଲେ।

ଭୁବନେଶ୍ବରରୁ ଥାଇ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଉପାଧ୍ୟକ୍ଷ ତଥା ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଭିଡ଼ିଓ କନଫରେନ୍ସିଂରେ ଭାଗ ନେଇଥିଲେ। ସେହିଭଳି ପୁରୀରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ, ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ, ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ମାଧବ ପୂଜାପଣ୍ଡା, ଅନନ୍ତ ତିଆଡ଼ି, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ସହିତ ଟେଲିଫୋନରେ ମଧ୍ୟ ଆଲୋଚନା କରିଛନ୍ତି। ରଥଯାତ୍ରା ସଂପର୍କରେ ଉଭୟଙ୍କ ମଧ୍ୟରେ କଥାବାର୍ତା େହାଇଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର