ପୁରୀ ରଥ ନିର୍ମାଣ ପାଇଁ କାଠ ଚିରଟ ଅନୁକୂଳ

କଟକ : ପବିତ୍ର ରାମନବମୀ ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ର ପାଇଁ କାଠ ଚିରା କାମ ଆରମ୍ଭ ହୋଇଛି। କଟକ ନୂଆପଡା ସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମ କରତକଳ ଡିପୋରେ ରଥ ପାଇଁ କାଠ କଟା ଯାଇଛି। ଦିନ ୧୧ଟା ୪୫ରେ ରଥକାଠ ଚିରା ପାଇଁ ସମୟ ଅନୁକୂଳ ହୋଇଥିବା ବେଳେ ତିନି ରଥ ପାଇଁ ତିନିଟି ବିଡ୍‌(ଧଉରା) କାଠ ଚିରାଯାଇଛି। ଆଜି ଠାରୁ ରଥ କାମ ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ ଆକାର ଓ ଆବଶ୍ୟକ ଅନୁଯାୟୀ ଏଠାରେ କାଠ କଟାଯାଇ ପୁରୀକୁ ପଠାଯିବ। ରଥ ନିର୍ମାଣ ପାଇଁ ନୟାଗଡ଼, ବୌଦ୍ଧ, ପୁରୀ, ଖୋର୍ଧା ଜୋନରୁ କାଠ ଆସୁଥିବା ବେଳେ ପ୍ରଥମ ଦିନରେ ଯେଉଁ କାଠ କଟାଯାଇଛି ତାହା ନୟାଗଡ ବନ ଖଣ୍ତରୁ ଆସିଥିବାର ନିଗମ ପକ୍ଷରୁ କୁହାଯାଇଛି। ୪ଟି ବନ ଖଣ୍ଡରୁ ଫାଶୀ, ଅଶ୍ବନ, ଧଉରା, ଶିମିଳି, ମଇ, ରାଇ, ତାଳ ଗଛ ରଥ ନିର୍ମାଣ ପାଇଁ ଆସିଥାଏ। ସମସ୍ତ ବନ ଖଣ୍ଡରୁ ବିଭିନ୍ନ ପର୍ଯ୍ୟାୟରେ ଟ୍ରକ ଯୋଗେ ଗଛ ଗଣ୍ଡି ଅଣାଯାଇ ରଥର ଆବଶ୍ୟକ ଅନୁସାରେ କଟାଯାଏ। ଏହି କାର୍ଯ୍ୟ କରିବାକୁ କରତକଳର ୨୯ ଜଣ ମିସ୍ତ୍ରୀ ଓ ଶ୍ରମିକ ନିୟୋଜିତ ହୋଇଛନ୍ତି। ବି‌େଶଷ ଭାବେ ଏପ୍ରିଲ ଓ ମେ’ ମାସରେ ଅଧିକ ସ˚ଖ୍ୟାର କାଠ କଟାଯାଇ ଟ୍ରକରେ ପୁରୀକୁ ପଠାଯାଏ। ଗତବର୍ଷର ୧୯୦ ଖଣ୍ଡ (୨୩୨୨.୩୬ ଘନ ଫୁଟ)ର କା‌ଠ ଥିବା ବେଳେ ଚଳିତ ମାସ ୧୩୫ ଖଣ୍ଡ (୨୫୪୪.୩୬ ଘନ ଫୁଟ)ର କାଠ ଆସିଛି। ଆସନ୍ତା ଦିନରେ ଅଧିକ ସଂଖ୍ୟାରେ କାଠ ଆସିବ ବୋଲି ନିଗମ କରତକଳ ପରିଚାଳକ ଭାଗବତ ସାହୁ ସୂଚନା ଦେଇଛନ୍ତି। ରଥକାଠ ଅନୁକୂଳ ସମୟରେ ମନ୍ଦିର ପକ୍ଷରୁ ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ, ନୀତି ଭାରପ୍ରାପ୍ତ ରବିନ୍ଦ୍ର ନାଥ ଦାଶ, ସୁଦର୍ଶନ ମେକାପ, ଅମିନ ରାମଚନ୍ଦ୍ର ମହାରଣା ଓ ଲକ୍ଷ୍ମଣ ମହପ‌ାତ୍ର, କୁଞ୍ଜ ଭୋଇ, ରବି ଭୋଇ, କରତକଳ କର୍ମଚାରୀ ବିପିନ କୁମାର ରାଉତରାୟ, ତ୍ରିନାଥ ସୁବୁଦ୍ଧି, ଚକ୍ରଧର ନାଥ, ସରୋଜ ମହାନ୍ତି, ଯୋବ୍ରା ଖଣ୍ଡର ବିକ୍ରମ ଦେବ ପଟ୍ଟନାୟକଙ୍କ ସହିତ ସ-ମିଲ୍‌ର ସମସ୍ତ କର୍ମଚାରୀ ଓ ଶ୍ରମିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର