ପୁରୀ : ଆଜିଠାରୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାରମ୍ଭିକ କାର୍ଯ୍ୟ ଭାବେ ଆଜି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦକ୍ଷିଣ ମୋଡ଼ ନେଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଆଗରେ ରହିଥିବା ତିନି ରଥକୁ ଆଜି ନାକଚଣା ଦ୍ଵାର ସମ୍ମୁଖରେ ଦକ୍ଷିଣ ମୋଡ଼ ଦେଇ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଶେଷ ପରେ ମହାପ୍ରଭୁ ଆସନ୍ତା ୨୨ ତାରିଖରେ ବାହୁଡ଼ଯାତ୍ରାରେ ଶ୍ରୀମନ୍ଦିର ଫେରିବେ। ଆଜି ସକାଳ ୬ଟା ୨୫ରେ ଦ୍ଵାରଫିଟା ନୀତି ସଂପନ୍ନ ହୋଇଥିଲା। ପରେ ୬ଟା ୪୫ରେ ମଙ୍ଗଳ ଆଳତି, ୮ଟା ୨୦ରେ ଅବକାଶ, ୧୧ଟା ୧୫ରେ ବଲ୍ଲଭ ଭୋଗ ନୀତି ସଂପନ୍ନ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ୧୨ଟା ୪୫ ଭିତରେ ସକାଳଧୂପ ଶେଷ ପରେ ତିନି ରଥ ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ଅପରାହ୍ଣ ୨ଟା ୫ରେ ରଥ ନିକଟକୁ ବିଜେ କରିଥିଲା। ବାହୁଡ଼ା ଯାତ୍ରା ପାଇଁ ତିନି ରଥରେ ଆଜ୍ଞାମାଳ ବିଜେ ପରେ ଆଜି ତିନି ରଥର ଦକ୍ଷିଣ ମୋଡ଼ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ଼ ଦେଇ ନାକଚଣା ଦ୍ଵାର ସମ୍ମୁଖ ଶରଧାବାଲି ରଥଚକଡ଼ାରେ ରଖାଯାଇଥିଲା। ଅପରାହ୍ଣ ୨ଟା ୨୦ରେ ସୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହୋଇଥିଲା। ଘଣ୍ଟୁଆଙ୍କ ତାଳେ ତାଳେ ଉପସ୍ଥିତ ସୁରକ୍ଷାକର୍ମୀ, ଭକ୍ତମାନେ ରଥକୁ ଟାଣିନେଇଥିଲେ। ସୁଭଦ୍ରାଙ୍କ ରଥ ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ଵାର ସମ୍ମୁଖରେ ରହିଥିଲେ। ତିନି ରଥ ବାହୁଡ଼ା ଯାତ୍ରା ପାଇଁ ନାକଚଣା ଦ୍ଵାର ସମ୍ମୁଖ ଶରଧାବାଲି ରଥଚକଡ଼ାରେ ପ୍ରସ୍ତୁତ ହୋଇ ରହିଥିବାବେଳେ ଜୁଲାଇ ୨୧ ତାରିଖ ସଂଧ୍ୟାଦର୍ଶନ ପରେ ଜୁଲାଇ ୨୨ ତାରିଖରେ ବାହୁଡ଼ାଯାତ୍ରା ଆରମ୍ଭ ହେବ। ମହାପ୍ରଭୁ ପୁନର୍ବାର ଧାଡ଼ି ପହଣ୍ଡିରେ ତିନି ରଥରେ ବିଜେ କରି ଶ୍ରୀମନ୍ଦିର ଯାତ୍ରା ଆରମ୍ଭ କରିବେ। ଜୁଲାଇ ୨୩ରେ ସୁନାବେଶ ଓ ଅଧରପଣା ନୀତି ପରେ ୨୫ ତାରିଖରେ ମହାପ୍ରଭୁ ନୀଳାଦ୍ରି ବିଜେ କରିବେଓ ଏହାସହ ଚଳିତ ବର୍ଷର ରଥଯାତ୍ରା ପର୍ବ ଶେଷ ହେବ।