ବଡ଼ଦାଣ୍ଡକୁ ଆସିବେନି ମହାପ୍ରଭୁ, ୨୮୪ ବର୍ଷ ପରେ ଅଟକିଲା ଘୋଷଯାତ୍ରା

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା ଦେବେନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆସନ୍ତା ୨୩ ତାରିଖରେ ପୁରୀ ସମେତ ରାଜ୍ୟର କୌଣସି ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ। ମହାମାରୀ କରୋନା ପରିପ୍ରେକ୍ଷୀରେ ରଥଯାତ୍ରା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆଜି ସ୍ଥଗିତାେଦଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଚଳିତବର୍ଷ ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। ମହାମାରୀ ସମୟରେ ଲୋକ ଏକତ୍ରିତ ହୋଇପାରିବେ ନାହିଁ। ଏହି ମାମଲାର ପରବର୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ ତାଙ୍କ ନିର୍ଦେଶରେ ଉଲ୍ଲେଖ କରିଛନ୍ତି।

ରଥଯାତ୍ରା ବନ୍ଦ ପାଇଁ ଓଡ଼ିଶା ବିକାଶ ପରିଷଦ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଦାଖଲ କରାଯାଇଥିବା ରିଟ୍ ପିଟିସନକୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ। ରଥଯାତ୍ରା ସପକ୍ଷରେ ଓ ବିପକ୍ଷରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୋଟ ୭ଟି ପିଟିସନ୍ ଦାଖଲ କରାଯାଇଥିଲା।

ଗୁରୁବାର ଦିନ ୧୨ଟା ୨୦ରେ ପ୍ରଧାନ ବିଚାରପତି ଏସ ଏ ବୋବ୍‌ଡେ, ବିଚାରପତି ଏ ଏସ୍ ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଭିଡ଼ିଓ କନଫରେନ୍ସିଂ ଯୋଗେ ଶୁଣାଣି ଆରମ୍ଭ କରିଥିଲେ। ଏହି ଶୁଣାଣି ପାଖାପାଖି ୨୫ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଥିଲା। ଆବେଦନକାରୀଙ୍କ ଓକିଲ ସମେତ ମାମଲାରେ ପକ୍ଷଭୁକ୍ତ ଥିବା ବିଭିନ୍ନ ପକ୍ଷର ୭ଜଣ ବରିଷ୍ଠ ଆଇନଜୀବୀ ଶୁଣାଣିରେ ସାମିଲ ହୋଇଥିଲେ।

ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦେଶର ଜଣାଶୁଣା ଆଇନଜୀବୀ ମୁକୁଲ ରୋହତଗୀ, ରାଜ୍ୟ ସରକାରଙ୍କ ପକ୍ଷରୁ ହରିଶ୍ ସାଲ୍‌ଭେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ମାମଲାରେ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସକ୍ୟୁରି ରଣଜିତ କୁମାର ପ୍ରମୁଖ ଶୁଣାଣିରେ ସାମିଲ ହୋଇ ଯୁକ୍ତି ଉପସ୍ଥାପନ କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କରୋନା ମହାମାରୀ ପ୍ରକୋପ ଯୋଗୁଁ ରଥଯାତ୍ରା ଆୟୋଜନ ଅନୁମତି ନ ଦେବାକୁ ଆରମ୍ଭରୁ ଦୃଢ ଯୁକ୍ତି ବାଢ଼ିଥିଲେ। ରୋହତଗୀ କହିଥିଲେ, ପୁରୀରେ ରଥଯାତ୍ରା ଅବସରରେ ୧୦ଲକ୍ଷ ଲୋକଙ୍କର ସମାଗମ ହେବ। କରୋନା ମହାମାରୀ ଦୃଷ୍ଟିରୁ ଅନୁମତି ନ ଦିଆଯିବା ଦରକାର। ଯଦି ଅନୁମତି ଦିଆଯାଏ, ତେବେ ସ୍ଥିତି ସଙ୍ଗିନ େହବା ସହିତ ମହାମାରୀ ବ୍ୟାପିବ। ପ୍ରଧାନ ବିଚାରପତି ଏସ୍ ଏ ବୋବ୍‌ଡେ ଟିପ୍ପଣୀ ଦେଇ କହିଥିଲେ ଯେ କୌଣସି ପରିସ୍ଥିତିରେ ବି ୧୦ଲକ୍ଷ ଲୋକଙ୍କୁ ଏକତ୍ରିତ କରାଯାଇପାରିବ ନାହିଁ। ରଥଯାତ୍ରାକୁ ସ୍ଥଗିତ ରଖିବା ପାଇଁ ରୋହତଗୀ ବାରମ୍ବାର କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରୋହତଗୀ ପୁଣି କହିଥିଲେ, କରୋନା କଟକଣା ଯୋଗୁଁ ଅଲିମ୍ପିକ୍ସ ଆୟୋଜନକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ପ୍ରଧାନ ବିଚାରପତି କହିଥିଲେ, ଯଦିବା ୧୦ ହଜାର ଲୋକଙ୍କ ସମାଗମ ହୁଏ, ତାହା ମଧ୍ୟ ବିପଜ୍ଜନକ ହେବ। ଏ ସଂପର୍କରେ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବା ପାଇଁ ଚାହିଁଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ସେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିବେ ଓ ଆସନ୍ତାକାଲି ଖଣ୍ଡପୀଠଙ୍କୁ ଅବଗତ କରାଇବେ। ତେଣୁ ତାଙ୍କୁ ଅନୁମତି ଦିଆଯିବା ଦରକାର ବୋଲି ସେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ। କେବଳ ସେତିକି ନୁହେଁ, ଏ ନେଇ ଅଧିକ ଚର୍ଚ୍ଚା ଓ ଆଲୋଚନା ହେବା ଦରକାର ବୋଲି ଶ୍ରୀ ମେହେଟ୍ଟା ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋର୍ଟ କହିଥିଲେ ଯେ ଖଣ୍ଡପୀଠ ଆସନ୍ତାକାଲି ଉପଲବ୍ଧ ହୋଇପାରିବେ ନାହିଁ। ଏଣୁ ଆଜି ହିଁ ଖଣ୍ଡପୀଠ କିଛି ଆଦେଶ ଜାରି କରିବେ।

ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌େଭଙ୍କର ମତାମତ ଜାଣିବା ପାଇଁ କୋର୍ଟ ଚାହିଁଥିଲେ। ଶ୍ରୀ ସାଲ୍‌ଭେ କହିଥିଲେ ଯେ ଏମିତି ଅନେକ ପ୍ରସଙ୍ଗ ରହିଛି, ଯାହାକୁ ସତର୍କତାର ସହିଚ ବିଚାର କରିବାକୁ ହେବ। ଲକ୍‌ଡାଉନ୍ ଦୃଷ୍ଟିରୁ ରଥଯାତ୍ରା କରିବା କଷ୍ଟସାଧ୍ୟ। ଉତ୍ସବ ହେଲେ ଜନସମାଗମ ହେବ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ସମସ୍ତଙ୍କୁ ଶୁଣିବା ପରେ କୋର୍ଟ କହିଥିଲେ ଯେ ଚଳିତବର୍ଷ ରଥଯାତ୍ରା ହେବ ନାହିଁ।

ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ କରାଯାଇଥିବା ମୂଳ ମାମଲାରେ ଓଡ଼ିଶା ସରକାର ଧାର୍ମିକ ଅନୁଷ୍ଠାନଗୁଡିକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଥିବା ସଂପର୍କିତ ଯେତେସବୁ ନିର୍ଦେଶନାମା ଜାରି କରିଥିଲେ, ସେସବୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଦଲିଲରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର