ରଥଯାତ୍ରା ହେଲେ ଭାରତ ବଦନାମ ହେବ: ଖାରବେଳ

ଭୁବନେଶ୍ବର : ଚଳିତ ବର୍ଷ କରୋନା ମହାମାରୀ ଯେପରି ସାରା ଦେଶ ଓ ରାଜ୍ୟରେ ବ୍ୟାପିଛି। ସେ ଦୃଷ୍ଟିରୁ ପୁରୀ ରଥଯାତ୍ରା ହେବା ଉଚିତ ନୁହେଁ। ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେଇଥିଲେ ଭାରତ ଅନ୍ତର୍ଜାତୀୟ ସ୍ତରରେ ବଦନାମ୍‌ ହୋଇଥାନ୍ତା। ପୁରୀ ରଥଯାତ୍ରା ବନ୍ଦକୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ ଆଜି ଏପରି ମତ ଦେଇଛନ୍ତି ବରିଷ୍ଠ ବିଜେପି ନେତା ମହାମେଘବାହନ ଐର ଖାରବେଳ ସ୍ବାଇଁ। କିଛି ଲୋକ ନିଜର ନ୍ୟସ୍ତ ସ୍ବାର୍ଥ ପାଇଁ ରଥଯାତ୍ରା କରିବାକୁ ଚାହୁଁଥିବା ସେ ପାଲଟା ଅଭିଯୋଗ କରିଛନ୍ତି।

ଗଣମାଧ୍ୟମରେ ଏ ସଂପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଛନ୍ତି, ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ବି ପୁନର୍ବିଚାର ପାଇଁ ଆବେଦନ କରାଯାଇଛି। କରୋନା ଯୋଗୁ ସାରା ପୃଥିବୀରେ ଅନ୍ୟ ଧର୍ମାବଲମ୍ବୀମାନଙ୍କ ସବୁ ପର୍ବପର୍ବାଣିକୁ ବନ୍ଦ କରାଯାଇଥିଲା। ଯଦି ପୁରୀ ରଥଯାତ୍ରା ହେବ ତା’ହେଲେ ବିଶ୍ବ ସମୁଦାୟ ଆଗରେ ଭାରତର ଛବି ମଳିନ ପଡ଼ିବ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥଯାତ୍ରା କରିବାକୁ ଚାହୁଁନଥିଲେ। ସେଥି ପାଇଁ ସୁପ୍ରିମକୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ। ସୁପ୍ରିମକୋର୍ଟ ଗତ ୧୮ ତାରିଖରେ ଦେଇଥିବା ରାୟ ଉପରେ କାଏମ ରହିବା ଉଚିତ ବୋଲି ସେ ମତ ରଖିଛନ୍ତି।

odishatime.com

ସେ ଆହୁରି ଦର୍ଶାଇଛନ୍ତି ଯେ ରଥଯାତ୍ରା ସହିତ କରୋନାର ବିସ୍ତାର ଓ ଭାରତର ଆନ୍ତର୍ଜାତିକ ମର୍ଯ୍ୟାଦା ଏହି ଦୁଇଟି ପ୍ରସଙ୍ଗ ଜଡ଼ିତ। ଭାରତରେ କରୋନା ଯେପରି କାୟା ବିସ୍ତାର କରି ଚାଲିଛି ସେଭଳି ସ୍ଥିତିରେ ଯଦି ରଥଯାତ୍ରା ହୁଏ ତା’ହେଲେ ଲକ୍ଷାଧିକ ଲୋକ ପୁରୀ ଆସିବେ। କୌଣସି ସରକାର ବା ପୁଲିସ ସେମାନଙ୍କୁ ରୋକିପାରିବ ନାହିଁ। ଫଳରେ ଭାରତରେ ଓ ବିଶେଷ କରି ଓଡ଼ିଶାରେ କରୋନାର ଦ୍ବିତୀୟ ଝଡ଼ ପୁଣି ବହିବାର ସମ୍ଭାବନା ରହିଛି। ସାଉଦି ଆରବରେ ମକ୍କା ସ୍ଥିତ କାବା ମସଜିଦ୍‌, ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧର୍ମପୀଠ ଭାଟିକାନ୍‌ ସିଟିର ପୋପଙ୍କ ଆସ୍ଥାନସ୍ଥଳ, ଜେରୁଜେଲମ୍‌ର ଅଲ୍‌ ଅକ୍‌ସା ମସଜିଦ୍‌ ଓ ଇହୁଦିମାନଙ୍କର ସର୍ବୋଚ୍ଚ ଧର୍ମ ପୀଠଗୁଡ଼ିକୁ ବନ୍ଦ କରି ଦିଆଯାଇଛି।

ସେହିପରି ଚଳିତବର୍ଷ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍‌ କ୍ରୀଡ଼ା, ଭାରତର ଆଇପିଏଲ୍‌ କ୍ରିକେଟ୍‌କୁ ମଧ୍ୟ କରୋନା ଯୋଗୁଁ ବନ୍ଦ ରଖାଗଲା। ଗତ ଇଦ୍‌ ପର୍ବ ବେଳେ ମୁସଲମାନମାନଙ୍କୁ ମସଜିଦ ଯିବାକୁ ବାରଣ କରାଯାଇଥିଲା। ସେମାନେ ମଧ୍ୟ ଗଲେ ନାହିଁ। ଏବେ ଯଦି ଆମେ ରଥଯାତ୍ରାକୁ ଅନୁମତି ଦେଉ ତାହେଲେ ପାକିସ୍ତାନ୍‌ ସବୁ ଇସଲାମ ଦେଶଙ୍କ ଆଗରେ ଭାରତ ଧର୍ମ ନିରପେକ୍ଷ ନୁହେଁ ବୋଲି ପ୍ରଚାର କରିବ। ଏହା କେବଳ ହିନ୍ଦୁମାନଙ୍କ ରାଷ୍ଟ୍ର ବୋଲି କହିବ। ଯେଉଁ ମୁସଲମାନ ଦେଶମାନେ ମୋଦୀଙ୍କର ଅଦମ୍ୟ ପ୍ରଚେଷ୍ଟା ଯୋଗୁଁ ପାକିସ୍ତାନକୁ ଛାଡ଼ି ଗତ ୧ ବର୍ଷ ହେଲା ଭାରତକୁ ସମର୍ଥନ କରିଆସିଛନ୍ତି ସେମାନେ ପୁଣି ପାକିସ୍ତାନ ଆଡ଼କୁ ଢଳିବାର ସମ୍ଭାବନା ରହିଛି। ଇତିହାସ କୁହେ, ୩୨ ବର୍ଷ ଧରି ପୁରୀ ରଥଯାତ୍ରା ବନ୍ଦ ରହିଥିଲା। ଆଉ ବର୍ଷେ ଯଦି ନ ହୁଏ, ଜଗନ୍ନାଥ ଆମ ଉପରେ ରାଗିବା କୌଣସି କାରଣ ନାହିଁ। ତେଣୁ ରଥଯାତ୍ରା ନ ହେବା ଭଲ ବୋଲି ଶ୍ରୀ ସ୍ବାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର