ଦୂର ହେଉନି ରଥଯାତ୍ରା ଦ୍ୱନ୍ଦ୍ୱ : ବିକଳ୍ପ ବିଧିକୁ ନେଇ ତନାଘନା

ରଥ ଆଜ୍ଞାମାଳ ନ ଆସିଲେ, ଠାକୁର ଘୁଞ୍ଚିବା କଥା ନୁହେଁ: ହଳଧର
ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡ଼ିବେ ପରିଚାଳନା କମିଟି ଓ ଛତିଶାନ‌ିଯୋଗ

ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଦ୍ବନ୍ଦ୍ବ ଦୂର ହେଉନି। ଏବେ ବି ଘୋଷଯାତ୍ରାକୁ ନେଇ ଆଶା ଓ ନିରାଶାର ଲୁଚକାଳି ଜାରି ରହିଛି। ଗୋଟିଏ ପଟେ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟକୁ ଚୂଡ଼ାନ୍ତ ମାନି ନିଆଯାଇଥିବା ବେଳେ ଆଜି ରଥଯାତ୍ରା ଅନୁମତି ନେଇ ପୁନଃବିଚାର କରିବାକୁ ଆବେଦନ ସଂଖ୍ୟା ବଢ଼ିଛି। ପାଖାପାଖି ୧୭ଟି ସଂଗଠନ ଓ ବ୍ୟକ୍ତିବିଶେଷ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପକ୍ଷଭୁକ୍ତ ହୋଇଛନ୍ତି। ଗତକ‌ାଲି ଛତିଶାନିଯୋଗ ବୈଠକ ପରେ ସୋମବାରକୁ ଅପେକ୍ଷା କରିବାକୁ ଗଜପତି ମହାରାଜ ଦିବ୍ୟ ସିଂହଦେବ ନୂଆ ଆଶା ଦେବା ପରେ ଏଭଳି ଏକ ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ପୁନଃବିଚାର ପାଇଁ ହୋଇଥିବା ଆବେଦନଗୁଡିକ ଏଯାଏ ତାଲିକାଭୁକ୍ତ ହୋଇନାହିଁ। ସେପଟେ କିନ୍ତୁ ରଥ ନିର୍ମାଣ କାମ ଆଗେଇ ଚାଲିଛି। ରଥରେ କନା ଲଗାଯାଉଛି, ଚାର ମାଳ ପାଇଁ କାଠ ଚିରା ହେଉଛି।

ଅନ୍ୟପକ୍ଷରେ ରଥଯାତ୍ରା ନ ହେଲେ କ’ଣ ବିକଳ୍ପ ବିଧି ବ୍ୟବସ୍ଥା କରାଯାଇପାରିବ ତାକୁ ନେଇ ତନାଘନା ଆରମ୍ଭ ହୋଇଛି। ରଥଯାତ୍ରା ନ ହେଲେ ଶ୍ରୀମନ୍ଦିର ପରିସରରେ କିଭଳି ମହାପ୍ରଭୁଙ୍କ ନୀତିକାନ୍ତି ହେବ‌ ସେ ନେଇ ଆଲୋଚନା ଜାରି ରହିଛି। ଗତକା‌ଲିଠାରୁ ଆଜି ପର୍ଯ୍ୟନ୍ତ ଏ ସଂପର୍କରେ ବିଭିନ୍ନ ମତ ଉପରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ବିକଳ୍ପ ବିଧିର ସିଦ୍ଧାନ୍ତ ବାହାରି ପାରିନାହିଁ। ଅଣସର ଘରୁ କିଭଳି ମହାପ୍ରଭୁଙ୍କ ପହଣ୍ଡି ହୋଇ ରଥ ନୀତିକାନ୍ତି ହେବ, ଯଦି ହେବ କେଉଁଠି ହେବ ଏହାକୁ ନେଇ ଛତିଶାନିଯୋଗ ପକ୍ଷରୁ ବିଭିନ୍ନ ମତ ଆସିଥିଲେ ବି କେଉଁଟି ଶାସ୍ତ୍ର ସମ୍ମତ ଓ ପ୍ରମାଣସିଦ୍ଧ ସେ ନେଇ ନିର୍ଦିଷ୍ଟ ସିଦ୍ଧାନ୍ତରେ କେହି ଉପନୀତ ହୋଇପାରୁନାହାନ୍ତି।

ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନ‌ାବେଶ ଓ ନୀଳାଦ୍ରି ବିଜେ ନୀତି କିଭଳି ହେବ ତାକୁ ନେଇ ଚାଲିଛି ଆଲୋଚନା। ୧୬୯୨ ମସିହାରେ ଭୋଗମଣ୍ଡପରେ ରଥଯାତ୍ରା ବିଧି ଅନୁଷ୍ଠିତ ହୋଇଥିବା କଥା ଉଠିଥିଲେ ବି ତା’ର ବଳିଷ୍ଠ ପ୍ରମାଣ କାହା ପାଖରେ ନଥିବାରୁ ଏବେ ସମସ୍ତେ ଏହାକୁ ନେଇ ଧନ୍ଦି ହେଉଛନ୍ତି। ଗୋଟିଏ ପଟେ ଅଣସର ଘରେ ସମସ୍ତ ନୀତି କରିବାକୁ ମତ ପ୍ରକାଶ ପାଇଥିଲେ ବି ତାହା ସମ୍ଭବ ନୁହେଁ ବୋଲି କିଛି ‌ସେବକ ମତ ରଖିଛନ୍ତି। ଦଇତାପତି ନିଯୋଗର ବରିଷ୍ଠ ସଦସ୍ୟ ତଥା ବଡ଼ ଠାକୁରଙ୍କ ରଥର ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ପୁଣିଥରେ ସେହି ପୁରୁଣା କଥାକୁ ଦୋହରାଇଛନ୍ତି। ରଥ ଆଜ୍ଞାମାଳ ବିଜେ ନ ହେଲେ ମହାପ୍ରଭୁ ଅଣସର ଘରୁ ଘୁଞ୍ଚି ପାରିବେ ନାହିଁ। ଯଦି ବି ଏହାକୁ ଅବମାନନା କରାଯାଏ ତେବେ ଠାକୁରଙ୍କୁ ଖେଳନା କଣ୍ଢେଇ କରି କରାଯାଇପାରେ ବୋଲି କ୍ଷୋଭର ସହିତ ସେ କହିଛନ୍ତି। ରଥଯାତ୍ରାର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ ବୋଲି ସେ ରୋକ୍‌ଠୋକ୍‌ କହିଛନ୍ତି। ସେ ପଟେ ଏ ନେଇ ପରିଚାଳନା କମିଟି ଓ ଛତିଶା ନ‌ିଯୋଗ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡ଼ିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ ଓ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ ନାହିଁ କି ମହାପ୍ରଭୁଙ୍କ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

କରୋନା କଟକଣା ଯୋଗୁଁ ଦୁଇ ଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ରଥଯାତ୍ରା କରିବା ପାଇଁ ଦଇତାପତି ନିଯୋଗ, ଛତିଶା ନିଯୋଗ, ହିନ୍ଦୁ ପରିଷଦ ସମେତ ମୋଟ ୧୨ଟି ପକ୍ଷ ରଖାଯାଇଛି। ‌ପୁନଃବିଚାର ପାଇଁ ମଧ୍ୟ ଆବେଦନ କରାଯାଇଛି। ତେବେ ଆଜି ମାମଲା ତାଲିକାଭୁକ୍ତ ହୋଇନଥିବା ଜଣାପଡ଼ିଛି। ତାଲିକାଭୁକ୍ତ ହେଲେ ମାମଲାର ଶୁଣାଣି ସୋମବାର ହେବ କି ନାହିଁ, ଯଦି ଶୁଣାଣି ହୁଏ ରାଜ୍ୟ ସରକାର ପକ୍ଷ ରଖିବେ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସୋମବାର ଶୁଣାଣି ହେଲେ ମଙ୍ଗଳବାର ରଥଯାତ୍ରା ଆୟୋଜନ କରିବା କେତେ ସମ୍ଭବ ହେବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର