ପୁରୀ ରଥଯାତ୍ରା : ସୁପ୍ରିମକୋର୍ଟରେ ପକ୍ଷ ରଖିବେ ସରକାର

ଆଇନଗତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଲେ
ଜୁନ୍‌, ଜୁଲାଇରେ କରୋନା ସଂକ୍ରମଣ ଶିଖର ଛୁଇଁପାରେ
ଜୀବନ ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଯିବା ଅସମ୍ଭବ ନୁହେଁ

ଭୁବନେଶ୍ବର : ରଥଯାତ୍ରାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଥିବା ବେଳେ ସୋମବାର ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ହେବ। ଏହି ମାମଲାରେ ରାଜ୍ୟ ସରକାର କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହାକୁ ନେଇ ଉତ୍କଣ୍ଠା ଲାଗି ରହିଥିବାବେଳେ ଆଜି ବିଳମ୍ବିତ ରାତିରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ବିନା ଭକ୍ତରେ ରଥଯାତ୍ରା ନେଇ ଗଜପତି ମହାରାଜା ଯେଉଁ ଅନୁରୋଧ କରିଛନ୍ତି, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲି ଶୁଣାଣି ବେଳେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ। ମାମଲା ସଂପର୍କରେ ଉଲ୍ଲେଖ କରି ଆଇନ ବିଭାଗ କହିଛି, ରିଟ୍ ପିଟିସନ୍ ନମ୍ବର ୫୭୧/ ୨୦୨୦ରେ ୨୩ ତାରିଖରେ ରଥଯାତ୍ରା ନ କରିବା ଲାଗି କୋର୍ଟଙ୍କ ନିକଟରେ ତିନିଜଣ ଆବେଦନକାରୀ ମାମଲା ଦାୟର କରିଥିଲେ। ୨୩ ତାରିଖରେ ସାମାଜିକ ଦୂରତା ନିୟମ ଅନୁପାଳନ ଆଧାରରେ ରଥଯାତ୍ରା କରିବା ଲାଗି ଆବେଦନକାରୀମାନେ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ଏଥିରେ ସେବାୟତ ଓ ପୁଲିସଙ୍କ ମାଧ୍ୟମରେ ରଥ ଟାଣିବା ଲାଗି ଅନୁମତି ଦେବାକୁ ନିବେଦନ କରାଯାଇଥିଲା।

ଏବେ ଆଇନ ବିଭାଗ କହିଛି, ଜୁନ୍ ୧୮ ତାରିଖ ଶୁଣାଣି ବେଳେ ରାଜ୍ୟରେ ହଜାର ହଜାର ସ୍ଥାନରେ ରଥଯାତ୍ରା ପର୍ବ ପାଳନ ସଂପର୍କରେ ମୁଖ୍ୟତଃ ଗୁରୁତ୍ବ ଦିଆଯାଇଥିଲା। ଏଥିରେ ଲକ୍ଷାଧିକ ଭକ୍ତ ପଞ୍ଚାୟତସ୍ତରରେ ମଧ୍ୟ ସମାଗମ ହୋଇଥାନ୍ତି। ଇତିମଧ୍ୟରେ କରୋନା ମହାମାରୀ କାରଣରୁ ୫ଲକ୍ଷରୁ ଅଧିକ ପ୍ରବାସୀ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସେମାନେ ତାଙ୍କର ସଙ୍ଗରୋଧ ଅବଧି ପୂରା କରୁଛନ୍ତି।

Pharmaceutical Sciences Group

ଏପଟେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁ ବିଶ୍ବରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଛନ୍ତି। ଜୁନ୍ ଓ ଜୁଲାଇ ମୌସୁମୀ ଋତୁ େହାଇଥିବା କାରଣରୁ କୋଭିଡ୍ ସଂକ୍ରମଣ ହାର ସର୍ବୋଚ୍ଚ ଶିଖରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ରାଜ୍ୟ ସରକାର ବର୍ତମାନ ଯାଏ ଏ ସଂକ୍ରାନ୍ତରେ କଡ଼ା ପଦକ୍ଷେପ ନେଇ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା କାରଣରୁ ଦେଶରେ ସର୍ବନିମ୍ନ କରୋନା ଜନିତ ମୃତ୍ୟୁ ଓଡ଼ିଶାରେ ହୋଇଛି। ଏଣୁ ଏହି ସମୟରେ ଧାର୍ମିକ ଯାତ୍ରାରେ ଭକ୍ତମାନେ ଏକାଠି ହେବା ଅଧିକ ବିପଜ୍ଜନକ ହୋଇପାରେ। ଏପରିକି ଜୀବନ ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଯିବା ଅସମ୍ଭବ ନୁହେଁ।

୧୮ ତାରିଖ ଦିନ ତିନିଟି ଆବେଦନ ସମେତ ସମସ୍ତ ପକ୍ଷଙ୍କୁ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ନାଗରିକମାନଙ୍କ ସୁରକ୍ଷା, ଭକ୍ତମାନଙ୍କର ଜୀବନକୁ ଅଗ୍ରାଧିକାର ଦେଇ ରଥଯାତ୍ରା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ହେଲେ ଇତିମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଶନିବାର ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି, ବିନା ଭକ୍ତରେ ଚଳିତବର୍ଷ ରଥଯାତ୍ରାକୁ ସଂପାଦିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହା ସହିତ କରୋନା ମହାମାରୀ ସତର୍କତା ସ୍ବରୂପ ସାମାଜିକ ଦୂରତା ରକ୍ଷା କରିବା ପୂର୍ବକ ସବୁ ପ୍ରକାରର ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହା ଉଲ୍ଲେଖଯୋଗ୍ୟ, ଅନ୍ୟ କେତେକ ଆବେଦନକାରୀ ମଧ୍ୟ ସମାନ କଥା ସୁପ୍ରିମକୋର୍ଟରେ ସମାନ କଥା ଉପସ୍ଥାପନ କରିଥିଲେ। ଏଣୁ କୋର୍ଟରେ ଏ ସଂକ୍ରାନ୍ତରେ ଆସନ୍ତାକାଲି କୋର୍ଟରେ ସରକାର ନିଜ ପକ୍ଷ ରଖିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର