ପୁରୀ ରଥଯାତ୍ରା : ୧୦୮ ବର୍ଷ ପରେ ଇତିହାସର ପୁନରାବୃତ୍ତି!

୧୯୧୨ରେ ସେବାୟତଙ୍କ ସଂକଳ୍ପ ନବକଳେବରର ରାସ୍ତା ଖୋଲିଥିଲା
ତତ୍କାଳୀନ ଗଜପତି ମହାରାଜା ମୁକୁନ୍ଦଦେବ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ
୨୦୨୦ରେ ସେବକମାନଙ୍କ ନିଷ୍ପତ୍ତିରେ ବଦଳିଲା ସରକାରଙ୍କ ଆଭିମୁଖ୍ୟ

ଭୁବନେଶ୍ବର : ରଥଯାତ୍ରାର କୌଣସି ବିକଳ୍ପ ନାହିଁ। ଛତିଶା ନିଯୋଗର ଏଭଳି କଠୋର ନିଷ୍ପତ୍ତି ୨୦୨୦ ରଥଯାତ୍ରାରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଇତିହାସ ପୃଷ୍ଠାରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସୁଛି। ଇତିହାସର ପୁନରାବୃତ୍ତି ଘଟେ ବୋଲି ଯାହା କୁହାଯାଏ, ତାହା ଅମୂଳକ ନୁହେଁ।

୧୦୮ ବର୍ଷ ତଳେ ମହାପ୍ରଭୁଙ୍କୁ ନେଇ ଏମିତି ଏକ ପରିସ୍ଥିତି ସୃଷ୍ଟିହୋଇଥିଲା, ଯେଉଁଥିରେ ତତ୍କାଳୀନ ସେବକମାନଙ୍କର ସଂକଳ୍ପ ସେ ସମୟର ଗଜପତି ମହାରାଜାଙ୍କର ନିଷ୍ପତ୍ତି ପରିବର୍ତନ କରିବାକୁ ଏକରକମ ବାଧ୍ୟ କରିଥିଲା। ଶ୍ରୀମନ୍ଦିରର କରଣ ସେବକଙ୍କ ଦ୍ବାରା ପ୍ରସ୍ତୁତ ମାଦଳା ପାଞ୍ଜିରେ ଲେଖାଯାଇଥିବା ତଥ୍ୟ ଆଧାରରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ‘‘ଶତାଦ୍ଦୀର ନବକଳେବର’’ ପୁସ୍ତକରେ ସେଦିନର ଘଟଣା ସଂପର୍କରେ ଉଲ୍ଲେଖ କରାଯାଇଛି।

ଏବେ ଯେଭଳି କରୋନା ପରିପ୍ରେକ୍ଷୀରେ ରଥଯାତ୍ରାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା, ଠିକ୍ ସେମିତି ସେତେବେଳେ ଅର୍ଥାଭାବ କାରଣରୁ ୧୯୧୨ ମସିହାରେ ଗଜପତି ମହାରାଜା ମୁକୁନ୍ଦ ଦେବ ମହାପ୍ରଭୁଙ୍କର ନବ କଳେବର କରିବା ଲାଗି ଅନିଚ୍ଛା ପ୍ରକାଶ କରିଥିଲେ। ଏହାର ପୂର୍ବ ନବ କଳେବର ଅନୁରୂପ କାରଣ ଯୋଗୁଁ ହୋଇନଥିଲା ବରଂ ଅଙ୍ଗଫିଟା ନୀତିରେ ତତ୍କାଳୀନ ମହାରାଣୀ ଶେଷ କରାଇଥିଲେ। ଏଣୁ ସେବର୍ଷ ନବକଳେବର କରିବା ଲାଗି ଦଇତା ଓ ପତି, ଦେଉଳକରଣ ପ୍ରମୁଖ ମହାରାଜା ମୁକୁନ୍ଦଦେବଙ୍କୁ ଜଣାଇଥିଲେ। ହେଲେ ମହାରାଜା ରୋକଠୋକ୍ ଏହାକୁ ପ୍ରତ୍ୟାଖ୍ୟାନ କରି ଶ୍ରୀଅଙ୍ଗଫିଟା କରିବା ଲାଗି ପ୍ରସ୍ତାବ ଦେଇଥିଲେ।

ଏହାକୁ ନେଇ ସେବେ ସେବକମାନଙ୍କ ଭିତରେ ଭାଳେଣି ପଡ଼ିଥିଲା। କାରଣ ସେମାନେ ଶ୍ରୀଅଙ୍ଗ ପ୍ରତି ବିପଦ ଆଶଙ୍କା କରୁଥିଲେ। ତତ୍କାଳୀନ ମ୍ୟାନେଜର ରାଜ କିଶୋର ଦାସଙ୍କୁ ଏ ବିଷୟରେ ଜଣାଇବାରେ ସେ ବି ମହାରାଜାଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ। ଠିକ୍ ଏବର୍ଷ ଭଳି ସେବର୍ଷ ବି ଛତିଶା ନିଯୋଗ ବୈଠକ କରି ସନ୍ଥ ମହନ୍ତଙ୍କର ପରାମର୍ଶ ନେଇଥିଲେ। ନିଷ୍କର୍ଷ ବାହାରିଲା କି ସଭାରୁ କିଛି ବ୍ୟକ୍ତି ଯାଇ ଶେଷଥର ପାଇଁ ଗଜପତିଙ୍କୁ ଫେରାଦ ହେବେ। ମହୀପ୍ରକାଶ ମଠ ମହନ୍ତ ବଳଦେବ ପ୍ରକାଶ ବ୍ରହ୍ମଚାରୀ, ଓଡ଼ିଆ ମଠ ଅଧିକାରୀ ରାମକୃଷ୍ଣ ଦାସ, ଦୟାନିଧି ପଣ୍ଡା, ସଦାଶିବ ମିଶ୍ର ପ୍ରମୁଖ ନଅରକୁ ଯାଇ ଗଜପତିଙ୍କୁ ଜଣାଇବା ପରେ ବି ସେ ସମ୍ମତି ପ୍ରକାଶ କରିନଥିଲେ।

ଏ ନିଷ୍ପତ୍ତି ପୁଣି ଥରେ ଛତିଶା ନିଯୋଗ ଓ ମହନ୍ତ ଏବଂ ସନ୍ଥଙ୍କୁ ନେଇ ଅନୁଷ୍ଠିତ ବୈଠକକୁ ଆସିବା ପରେ ସ୍ଥିର ହୋଇଥିଲା ଯେ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସୁରକ୍ଷା ଦୃଷ୍ଟିରୁ ନବକଳେବର ନିଶ୍ଚିତ ହେବ। ଗ୍ରନ୍ଥ େଖାଜାଲୋଡ଼ା କରିବା ପରେ ଶେଷ ସିଦ୍ଧାନ୍ତ ହେଲା ଦ୍ବିପ୍ରହର ଧୂପ ପରେ ପତି ମହାପାତ୍ର ଆଜ୍ଞାମାଳ ଶ୍ରୀଅଙ୍ଗରୁ ଆଣିବେ ଓ ମହାପ୍ରଭୁଙ୍କ ଶ୍ରୀହସ୍ତରେ ନଡ଼ିଆ ଛୁଆଁଇ ଆଚାର୍ଯ୍ୟଙ୍କୁ ହାତକୁ ଦେଲେ ସେ ନବକଳେବର କାର୍ଯ୍ୟ ଆରମ୍ଭ କରିବେ। ମହାରାଜାଙ୍କ ଆଦେଶ ନେବାର ଦରକାର ନାହିଁ।

ମାତ୍ର ସେବକମାନଙ୍କର ଏଭଳି ସଂକଳ୍ପ ପରେ ଗଜପତି ମହାରାଜା ମୁକୁନ୍ଦ ଦେବ ଅକଳରେ ପଡିଥିଲେ ଏବଂ ତାଙ୍କ ନିଷ୍ପତ୍ତି ବଦଳାଇଥିଲେ। ମହାପ୍ରଭୁଙ୍କ ନବକଳେବର କରିବା ଲାଗି ଗୁଆ ଟେକିଥିଲେ।

ଏଠାରେ ଉଲ୍ଲେଖଥାଉକି, କିଛି ସେବକଙ୍କ ପାଇଁ ଶ୍ରୀମନ୍ଦିର ବାରମ୍ବାର ବିତର୍କ ଭିତରକୁ ଆସିଛି। ହେଲେ ସେହି ସେବକମାନଙ୍କ ପ୍ରତିବଦ୍ଧତା, ନିଷ୍ଠା ଶ୍ରୀମନ୍ଦିର ଓ ନୀତିକାନ୍ତି ରକ୍ଷାରେ ପ୍ରମୁଖ ଭୂମିକା ନେଇଛି, ଏହାର ଅନେକ ଉଦାହରଣ ରହିଛି।

ସମ୍ବନ୍ଧିତ ଖବର