ଦାନଦକ୍ଷିଣା ପାଇଁ ରଥ ପାଖରେ ଦାଦାଗିରି : ଟଙ୍କା ଦେଲେନି ବୋଲି ଭକ୍ତଙ୍କୁ ଧକ୍କିଆ ଓ ମୁଥ

ପୁରୀ : ପବିତ୍ର ସୁନାବେଶ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ଦାଦାଗିରି ଦେଖା‌ଇଛନ୍ତି ଜନୈକ ବ୍ରାହ୍ମଣ। ନିଜକୁ ସେବାୟତ ବୋଲି ପରିଚୟ ଦେଉଥିବା ଏହି ବ୍ରାହ୍ମଣ ଜଣକ ଭକ୍ତଙ୍କୁ ଜୋରଜବରଦସ୍ତ ତୁଳସୀ, ସିରି କପଡ଼ା ଦେଇ ଦାନଦକ୍ଷିଣା ମାଗିଛନ୍ତି। ଆଉ ଦାନଦକ୍ଷିଣା ଦେବାକୁ ଅମଙ୍ଗ ହେବାରୁ ବ୍ରାହ୍ମଣ ଜଣକ ସଂପୃକ୍ତ ଭକ୍ତଙ୍କୁ ଗଳାଧକ୍କା ସହ ମୁଥ ମାରିଛନ୍ତି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ ବି କରିଛନ୍ତି। ରଥ ଆଗରେ ମାଳମାଳ ପୁଲିସଙ୍କ ଉପସ୍ଥିତିରେ ଘଟିଛି ଏହି ଘଟଣା।

ମିଳିଥିବା ସୂଚନା ମୁତାବକ, ଗତକାଲି ସୁନାବେଶ ପାଇଁ ପ୍ରବଳ ଗହଳି ହୋଇଥିଲା। ଭକ୍ତଙ୍କ ଦର୍ଶନ ପାଇଁ ୱାନ୍‌ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ବାହାର ରାଜ୍ୟରୁ ଆସିଥିବା ଭକ୍ତମାନେ ଧାଡ଼ିରେ ଦର୍ଶନ କରି ଫେରୁଥିଲେ। ଏହି ସମୟରେ ଜଣେ ବୟସ୍କ ବ୍ରାହ୍ମଣ ହାତରେ ତୁଳସୀ ଓ ସିରି କପଡ଼ା ଧରି ଜୋରଜବରଦସ୍ତ ଦାନଦକ୍ଷିଣା ଦେବାକୁ ବାଧ୍ୟ କରିଥିଲେ। କିନ୍ତୁ ସଂପୃକ୍ତ ଭକ୍ତ ଅମଙ୍ଗ ହୋଇଥିଲେ। ଭକ୍ତ ଜଣକ ବି ବୟସାଧିକ ଥିଲେ। ଅମଙ୍ଗ ପ୍ରକାଶ କରିବା କ୍ଷଣି ବ୍ରାହ୍ମଣ ଜଣକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲେ। ଧକ୍କା ମାରି ଦର୍ଶନସ୍ଥଳରୁ ତଡ଼ି ଦେଇଥିଲେ। ସେହିଭଳି ଅନ୍ୟ ଜଣେ ଭକ୍ତଙ୍କ ସହିତ ବି ସଂପୃକ୍ତ ବ୍ୟକ୍ତିଜଣକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଭକ୍ତ ଜଣକ ପ୍ରତିବାଦ କରିବାରୁ ମୁଥା, କହୁଣି ଆଦି ମାରିବାକୁ ପଛାଇ ନଥିଲେ ଏହି ବ୍ୟକ୍ତି ଜଣକ। ତା’ ସହିତ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଏହି ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଭକ୍ତ ଓ ଶ୍ରୀଜଗନ୍ନାଥ ପ୍ରେମୀ ଏହାକୁ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର