କଟକଣାଯୁକ୍ତ ରଥଯାତ୍ରା ପାଇଁ ବିଚାରବିମର୍ଶ, ସୁପ୍ରିମକୋର୍ଟରେ ଦାଖଲ ହେବ ସତ୍ୟପାଠ!

ରଥଯାତ୍ରାର ୫ ମାସ ପରେ ନାଗାର୍ଜୁନ ବେଶ

ପୁରୀ : କରୋନା ମହାମାରୀକୁ ନେଇ ବିଶ୍ବ ଏବେ ସଙ୍କଟରେ। ପ୍ରତିଦିନ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ଭାରତରେ ମଧ୍ୟ ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ୪୮ ଛୁଇଁଲାଣି। ବିଶେଷକରି ପୁରୀର ନିକଟବର୍ତ୍ତୀ ତଥ‌ା ରାଜଧାନୀ ଭୁବନେଶ୍ବରରେ କରୋନା କାୟା ବିସ୍ତାର କରିଛି। କରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି କେନ୍ଦ୍ର ସରକାର ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଲକ୍‌ଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ଯ‌ାଏ ଏହା ବଢ଼ାଇ ଦେଇଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଏଥର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବାତିଲ କରି ଦିଆଯାଇଛି। ‌ଏବେ ସମସ୍ତଙ୍କ ନଜର ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପରେ ରହିଛି।

ଆସନ୍ତା ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏବେ ଅନଶ୍ଚିତତା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ସମୟରେ ରଥଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନା କଟକଣା ଯୁକ୍ତ ରଥଯାତ୍ରା ପାଳନ କରାଯିବ ତାକୁ ନେଇ ଆରମ୍ଭ ‌ହୋଇଛି କଳ୍ପନାଜଳ୍ପନା। ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ରଥଯାତ୍ରାକୁ ନେଇ ବିଚାରବିମର୍ଶ ଆରମ୍ଭ କରିଛନ୍ତି। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏଥର ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ସୁପ୍ରିମ କୋର୍ଟର ଆଶ୍ରୟ ନେବେ। ସୁପ୍ରିମକୋର୍ଟରେ ଏ ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ଯୋଜନା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶାନିଯୋଗ, ଗଜପତି ମହାରାଜ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭା ସହିତ ବିଚାର ବିମର୍ଶ କରି ଏ ନେଇ ଏକ ସତ୍ୟପାଠ ଦାଖଲ ପାଇଁ ପ୍ରାରମ୍ଭିକ ଆଲୋଚନା ହୋଇଛି। ତେବେ ଲୋକାଚାରରେ ଓ ସେବକଙ୍କ ମତରେ ଥରେ ରଥଯାତ୍ରା ବନ୍ଦ ହେ‌ଲେ ଏହା ୧୨ ବର୍ଷ ହେବ ନାହିଁ । ତେଣୁ ସରକାର ରଥ ଯାତ୍ରା ବନ୍ଦ କରିବ‌ାକୁ ଚିନ୍ତା କରିବେ ନାହିଁ। ବରଂ କଡ଼ା କଟକଣା ଭିତରେ ରଥଯାତ୍ରା ଆୟୋଜନ କରାଯିବ। ତେବେ ବିଶ୍ବନିୟନ୍ତାଙ୍କ ଏ ରଥଯାତ୍ରା କିଭଳି କଟକଣା ଭିତରେ ସମ୍ଭବ ହେବ ତାକୁ ନେଇ ଆଲୋଚନା କରାଯାଉଛି।

ଆସନ୍ତା ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରୁ ରଥଯାତ୍ରାର ଆଦିପର୍ବ ଆରମ୍ଭ ହେବ। ସେ ଦିନ ରଥକାମ ଅନୁକୂଳ ହୋଇଥାଏ। ସେହି ଦିନଠାରୁ ରଥ କାମ ଆରମ୍ଭ ହେବା ସହିତ ଚନ୍ଦନଯାତ୍ରା ଆରମ୍ଭ ହୋଇଥାଏ। ତେବେ ଲକ୍‌ଡାଉନ ଅବଧି ବଢ଼ିବା ପରେ ଏବେ ମହାପ୍ରଭୁ ବିନ‌ା ଭକ୍ତରେ ଚାପ ଖେଳିବେ। ସେ ପଟେ ରଥ ନିର୍ମାଣ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ଆବଶ୍ୟକ ରଥ କାଠ ପର୍ଯ୍ୟା‌ୟ କ୍ରମେ ପୁରୀରେ ପହଞ୍ଚୁଛି। ଏପ୍ରିଲ ୨୬ ତାରିଖ ରଥ ଅନୁକୂଳ ନୀତି ନିରାଡ଼ମ୍ବରରେ ପାଳିତ ହେବ। ତେବେ କରୋନା ସ୍ଥିତି ଆଶାଜନକ ଭାବେ ନିୟନ୍ତ୍ରଣ ନ ହେଲେ ଏ‌ ନେଇ ବିଚାର କରାଯିବ ବୋଲି ଜଣାପଡ଼ିଛି। ତେବେ ସେବକମାନେ କିନ୍ତୁ ରଥଯାତ୍ରା ବନ୍ଦ ସପକ୍ଷରେ ନାହାନ୍ତି। ଗତ ୫୦୦ ବର୍ଷର ଇତିହାସରେ ବହୁ ବିପତ୍ତି ସ‌ତ୍ତ୍ବେ ରଥଯାତ୍ରା ପାଳିତ ହୋଇଛି। ମହାପ୍ରଭୁ ଦେଉଳରେ ଥାଇ ରଥ ବନ୍ଦ ହୋଇନ‌ାହିଁ। ଏଥର ମଧ୍ୟ ହେବ ନାହିଁ ବୋଲି ସେମାନେ ଆଶା ରଖିଛନ୍ତି।

କଟକଣା ଯୁକ୍ତ ରଥଯାତ୍ରା ହେଲେ ଏହା କିଭଳି ହେବ, ସମାଜିକ ଦୂରତା ଓ ବାହାର ପର୍ଯ୍ୟଟକଙ୍କୁ ଅନୁମତି ମିଳିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏହି ୯ ଦିନର ଘୋଷଯାତ୍ରାରେ ପ୍ରତିଦିନ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀ ଆସିଥା’ନ୍ତି। ସେହିଭଳି ବାହୁଡ଼ା ଯାତ୍ରା ଓ ସୁନାବେଶ ଦେଖିବ‌ା ପାଇଁ ମଧ୍ୟ ୧୫ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ପୁରୀକୁ ୫୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏତେ ସଂଖ୍ୟକ ଭକ୍ତଙ୍କୁ ରୋକିବା ପାଇଁ ସରକାର କିଭଳି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଛି। ଅନ୍ୟ ପକ୍ଷରେ ରଥଯାତ୍ରାର ଠିକ ୫ ମାସ ପରେ ପଡ଼ୁଛି ବିରଳ ତଥା ଦୁର୍ଲଭ ନାଗାର୍ଜୁନ ବେଶ। ନଭେମ୍ବର ୨୭ରେ ଏହି ବେଶ ୨୫ ବର୍ଷ ପରେ ପଡ଼ୁଛି। ଏହାକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ମଧ୍ୟ ଆଲୋଚନା କ‌ରାଯାଇଛି।

ସମ୍ବନ୍ଧିତ ଖବର