ପରିସ୍ଥିତି ଖରାପ ହେଲେ ରଥଯାତ୍ରା ନ ହେଉ: ରଘୁନାଥ ମହାପାତ୍ର

ରଥଯାତ୍ରା ହେବ କି ନାହିଁ ଶୀଘ୍ର ସରକାର ସ୍ପଷ୍ଟ କରିବା ଦରକାର: ବିରୋଧୀ

ଭୁବନେଶ୍ବର : ଚଳିତ ବର୍ଷ କରୋନା ସଂକ୍ରମଣ ଯେପରି ବ୍ୟାପିଛି ତାକୁ ନେଇ ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି। ଗୋଟିଏ ପଟେ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ନ ଥିବାବେଳେ ବିରୋଧୀ ଏହାକୁ ନେଇ ପ୍ରତିଦିନ ସରକାରଙ୍କୁ ପ୍ରଶ୍ନ ପଚାରି ଚାଲିଛନ୍ତି। ଏଭଳି ସ୍ଥିତିରେ ଆଜି ରାଜ୍ୟସଭା ସାଂସଦ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଥିବା ଶିଳ୍ପୀ ରଘୁନାଥ ମହାପାତ୍ର କହିଛନ୍ତି, ଯଦି କରୋନା ପରିସ୍ଥିତିରେ ସୁଧାର ନ ଆସୁଛି ତାହେଲେ ରଥଯାତ୍ରା ନ ହେବା ଭଲ। ଅନ୍ୟପଟେ ଏହି ପ୍ରସଙ୍ଗରେ ତୁରନ୍ତ ସରକାର ସ୍ପଷ୍ଟ କରିବାକୁ ବିରୋଧୀ ଦାବି କରିଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ, କୋଭିଡ୍‌ ସଂକ୍ରମଣ ଯୋଗୁଁ ଭକ୍ତଙ୍କ ସମାଗମ ଉପରେ ସରକାର କଟକଣା ଜାରି କରିଛନ୍ତି। ଲୋକ ଗହଳି ନ ହେବା ବି ଭଲ। ଯେଉଁମାନଙ୍କ ଘର ବଡ଼ଦାଣ୍ଡରେ ଅଛି, ସେମାନେ ବାହାରକୁ ନ ଆସି ଘର ଝରକା ବାଟେ ରଥାରୂଢ଼ ମହାପ୍ରଭୁଙ୍କୁ ଦେଖିପାରିବେ। ବାକି ସମସ୍ତ ଭକ୍ତ ଟେଲିଭିଜନରେ ଦେଖିପାରିବେ। ଚଳିତବର୍ଷ ରଥମାନଙ୍କୁ ପୁଲିସ୍‌ ଓ ସେବାୟତ ଟାଣିବେ। ବାସ୍ତବରେ ରଥକୁ କେହି ଟାଣନ୍ତି ନାହିଁ। ପ୍ରଭୁଙ୍କ ଇଚ୍ଛାରେ ରଥ ଗଡ଼େ। କିନ୍ତୁ ମହାମାରୀ ସ୍ଥିତିକୁ ଦେଖି ଏସବୁ ବିଚାର କରିବା ଦରକାର। ରଥ ନ ଗଡ଼ିଲେ କ’ଣ ପ୍ରଭୁ ରହିବେନି? ଆଗରୁ ବି ବହୁବାର ମହାପ୍ରଭୁ ପାତାଳି ହୋଇଥିବାରୁ ରଥଯାତ୍ରା ବନ୍ଦ ହୋଇଥିଲା। ଏବେ ସବୁ ପ୍ରସ୍ତୁତି ହୋଇଛି। ଜଗନ୍ନାଥଙ୍କ ଇଚ୍ଛାରେ ରଥ କାମ ମଧ୍ୟ ଆଗେଇ ଚାଲିଛି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ପୁରୀରେ ରଥଯାତ୍ରା ହେଲେ ଅନ୍ୟ ସ୍ଥାନରେ ହେବ। ପୁରୀରେ ରଥ ଗଢ଼ା ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଶାବର ଶ୍ରୀକ୍ଷେତ୍ରରେ ହୋଇନି। ଏହା ସମ୍ପୂର୍ଣ୍ଣ ଭକ୍ତଙ୍କ ଭାବାବେଗର କଥା। ରଥଯାତ୍ରା ପ୍ରସଙ୍ଗରେ ସରକାର ନିଷ୍ପତ୍ତି ନେବେ ବୋଲି ଆଗରୁ ହାଇକୋର୍ଟ କହିସାରିଛନ୍ତି। ସରକାର ତୁରନ୍ତ ସ୍ପଷ୍ଟ କରିବା ଦରକାର। ନ ହେଲେ ଅସନ୍ତୋଷ ବଢ଼ିବ। ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, କୋଭିଡ ଗାଇଡ୍‌ଲାଇନକୁ ଅନୁସରଣ କରି ରଥଯାତ୍ରା କରାଯାଇପାରିବ। ରାଜ୍ୟ ସମେତ ଦେଶ ବିଦେଶରେ କୋଟି କୋଟି ଜଗନ୍ନାଥ ପ୍ରେମୀ ରଥଯାତ୍ରାକୁ ଅପେକ୍ଷା କରିଛନ୍ତି। ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରାଯାଇଥିବା ସେ କହିଥିଲେ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଥିଲେ ଯେମିତି ସ୍ନାନ ଯାତ୍ରା ବିନା ଭକ୍ତରେ ହୋଇପାରିଲା ସେହିପରି ରଥାଯାତ୍ରା ମଧ୍ୟ ବିନା ଭକ୍ତରେ କରାଯାଇପାରିବ। ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ବିରୋଧୀମାନେ ଏହି ପ୍ରସଙ୍ଗରେ ସମସ୍ତ ସହାୟତା କରିବେ ବୋଲି ସେ କହିଥିଲେ। ତେବେ ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଥିଲେ, ସରକାର ରଥଯାତ୍ରା ବନ୍ଦ କରିବାକୁ କେବେ ବି ଚାହିଁନାହାନ୍ତି। ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି କରିଛନ୍ତି। ଶେଷ ମୁହୂର୍ତ୍ତ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଯଦି ବିପଦ ଆଶଙ୍କା ନ ଥାଏ, ତାହେଲେ ବିକଳ୍ପ ରାସ୍ତା ବାହାରିପାରିବ। ସରକାର ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ସବୁ ଦିଗରୁ ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧିତ ଖବର