ରଥଯାତ୍ରାକୁ ପଛଦ୍ବାର ଦେଇ ବନ୍ଦ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି: ବିରୋଧୀ

ଭୁବନେଶ୍ବର : ଚଳିତ ବର୍ଷ ରଥଯାତ୍ରା କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଥିବା କୁହାଯାଉଛି। ଅନ୍ୟପଟେ ଖୋଦ ରାଜ୍ୟ ସରକାର ରଥଯାତ୍ରାକୁ ବନ୍ଦ କରିବା ପାଇଁ ବ୍ୟାକ୍‌ଡୋର୍‌ରେ ମଧ୍ୟ ଉଦ୍ୟମ କରୁଛନ୍ତି। ସୁପ୍ରିମକୋର୍ଟ୍‌ରେ ଦାୟର କରାଯାଇଥିବା ମାମଲା ସରକାରୀ ପ୍ରାୟୋଜିତ ବୋଲି ବିଜେପି ଅଭିଯୋଗ କରିଛି। ବିଜେଡିର କହିବା କଥା, ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଉଚିତ୍‌ ନୁହେଁ। କୋଭିଡ୍‌ ମହାମାରୀ ସ୍ଥିତିକୁ ନେଇ ଉଚିତ୍‌ ସମୟରେ ସରକାର ନିଷ୍ପତ୍ତି ନେବେ।

ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରି କହିଥିଲେ, ରଥଯାତ୍ରା ସମ୍ପର୍କରେ ସରକାର ଚିତ୍ର ସ୍ପଷ୍ଟ କରୁନଥିବାବେଳେ ବିଭିନ୍ନ ଆଳ କରି ରଥଯାତ୍ରା ବନ୍ଦ କରିବାକୁ ସୁଚିନ୍ତିତ ଯୋଜନା କରିଛନ୍ତି। ତା ନ ହୋଇଥିଲେ ଯେଉଁ ବ୍ୟକ୍ତି ଓଡ଼ିଶା ହାଇକୋର୍ଟରେ ରଥଯାତ୍ରା ବନ୍ଦ କରିବା ପାଇଁ ଆବେଦନ କରିଥିଲେ ସେହି ବ୍ୟକ୍ତି ପୁଣି ଥରେ ଦେଶର ଜଣେ ପ୍ରତିଷ୍ଠିତ ଆଇନଜୀବୀ ଦେଇ ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ରଥଯାତ୍ରା ବନ୍ଦ କରିବା ପାଇଁ ଏହା ସରକାରଙ୍କର ଗୋଟିଏ ଷଡ଼ଯନ୍ତ୍ର ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ସେବାୟତ ଓ ମନ୍ଦିର ପରିଚାଳନା କମିଟି ସହିତ ଆଲୋଚନା କରି ସରକାର ଏତେବାଟ ପର୍ଯ୍ୟନ୍ତ ଆଗେଇଛନ୍ତି। ସରକାରଙ୍କ ଉଦ୍ୟମକୁ କଦର୍ଥ କରିବା ଠିକ୍‌ ନୁହେଁ। ରଥଯାତ୍ରା କରିବା ନ କରିବା ନେଇ ହାଇକୋର୍ଟ୍‌ ବି ସରକାରଙ୍କୁ ନିଷ୍ପତ୍ତି ନେବା ପାଇଁ ଛାଡ଼ିଛନ୍ତି। ବିଜେପି ଯେପରି ଅଭିଯୋଗ କରୁଛି ସେଥିରେ କୌଣସି ପ୍ରକାର ସତ୍ୟତା ନାହିଁ।

ସମ୍ବନ୍ଧିତ ଖବର