୭୪୭ ରଥକାଠରୁ ଆସିଛି ୫୮୨ ଖଣ୍ଡ
ପୁରୀ : ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି କାଠ, ଏପରି ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ। ଗତବର୍ଷର ୧୧୮ ଖଣ୍ଡ କାଠ ବଳି ପଡ଼ିଥିବାରୁ ବାକି ୭୪୭ ଖଣ୍ଡ କାଠ କାଟିବାକୁ ନିଷ୍ପତ୍ତି ହୋଇଛି। ଏଥିରୁ ୪୦୬ ଖଣ୍ଡ କଟକ ଖପୁରିଆସ୍ଥିତ କରତକଳ ଓ ବାକି ୩୪୧ ଖଣ୍ଡ କାଠ ରଥଖଳାକୁ ଆସିବାକୁ ନିଷ୍ପତ୍ତି ହୋଇଛି। ଇଥିମଧ୍ୟରେ କରତକଳକୁ ୩୩୨ ଖଣ୍ଡକ ରଥକାଠ ପଠାଯାଇଛି। ରଥଖଳାକୁ ୨୫୦ ଖଣ୍ଡ ରଥ କାଠ ଆସିଛି। ବାକି କାଠର ଚିହ୍ନଟ ସରିଛି, ଖୁବଶୀଘ୍ର ପଠାଯିବ ବୋଲି ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ତାମିଲନାଡ଼ୁରୁ ଆସିବ ୩ ଶହ କେଜି ଚନ୍ଦନ କାଠ
ପୁରୀ : ଚଳିତ ରଥଯାତ୍ରାରେ ୩୩ କେଜି ଚନ୍ଦନ ଆବଶ୍ୟକ। ଯେତିକି ଚନ୍ଦନକାଠ ମହଜୁତ ରହିଛି, ସେଥିରେ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ନୀତିକାନ୍ତି ସଂପାଦିତ ହୋଇପାରିବ। ଏଥିସହ ତାମିଲନାଡ଼ୁ ମୁଖ୍ୟ ବନ ସଂରକ୍ଷକଙ୍କୁ ଚିଠି କରି ଆଉ ୩ଶହ କେଜି ଚନ୍ଦନକାଠ ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା। ଇତିମଧ୍ୟରେ ଆମ ପାଖରେ ତାମିଲନାଡ଼ୁ ମୁଖ ବନ ସଂରକ୍ଷକଙ୍କ ଚିଠି ପହଞ୍ଚି ସାରିଛି। ସେମାନେ ଖୁବଶୀଘ୍ର ୩ଶହ କେଜି ଚନ୍ଦନକାଠ ଯୋଗାଇଦେବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି। ସେହିପରି ଝୁଣା ୧୬୭ କେଜି ମହଜୁଦ ରହିଛି। ଏଥିରୁ ଚଳିତ ବର୍ଷ ରଥଯାତ୍ରାରେ ପ୍ରାୟ ୨୦କେଜି ଝୁଣା ଆବଶ୍ୟକ ପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।
ଗଚ୍ଛିତ ଅଛି ୩ହଜାର ମିଟର ରଥକନା
ପୁରୀ : ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଏ ଭିତରେ ଅହମ୍ମଦାବାଦ୍ରୁ ବିଭିନ୍ନ ରଙ୍ଗର ୩ହଜାର ମିଟର ରଥ କନା ଆସି ସାରିଛି। ଚଳିତବର୍ଷ ରଥଯାତ୍ରା ପାଇଁ ୧୫୪୨ ମିଟର ରଥକନା ଆବଶ୍ୟକ। ରଥଯାତ୍ରା ପାଇଁ ୧୪ ଖଣ୍ଡ ରଥ ଦଉଡ଼ି ଓ ୬ ଖଣ୍ଡ ଘେର ଦଉଡ଼ି ଆବଶ୍ୟକ। ୧୪ ଖଣ୍ଡରୁ ୯ଟି କର୍ଡନ୍ ଦଉଡ଼ି ଓ ବାକି ୪ଟି ରଥଟଣା ଦଉଡ଼ି ରହିଛି। କତା ବୋର୍ଡକୁ ଆମେ ଚିଠି କରିଥିଲୁ। ପ୍ରତିବର୍ଷ ଭଳି କତା ବୋର୍ଡ଼ ବି ଚଳିତବର୍ଷ ଏହି ରଥ ଦଉଡ଼ି ଯୋଗାଇଦେବ ବୋଲି ଶ୍ରୀ ସାହୁ କହିଛନ୍ତି।