ରଥ କନା ଅନୁକୂଳ

ତିନି ରଥ ପାଇଁ ପହଞ୍ଚିଲା ରଥ ଦଉଡ଼ି

ପୁରୀ : ମଙ୍ଗଳବାର ଦିନ ରଥ କନା ଅନୁକୂଳ ହୋଇଛି। ପ୍ରାରମ୍ଭିକ ଭାବେ ବଡ଼ଠାକୁରଙ୍କ ୮ଟି ବତା ଓ ୨୪ଟି ବିଳାସପଟି କଟା ହୋଇ ରଥ କନା ତିଆରିର ଶୁଭାରମ୍ଭ ହୋଇଥିଲା। ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୮ଟି ଲେଖାଏଁ ବତା ଓ ୨୪ଟି ଲେଖାଏଁ ବିଳାସପଟି କଟା ହୋଇଥିଲା। କନା କଟା ହୋଇ ଚିହ୍ନ ଦିଆଯିବା ପରେ ଦରଜି ସେବକମାନଙ୍କୁ ଯୋଗାଇ ଦିଆଯାଇଛି। ଦରଜି ସେବକ ପ୍ରକାଶ ମହାପାତ୍ରଙ୍କ ତତ୍ତ୍ବାବଧାନରେ ୧୭ ଜଣ ରଥ କନା ତିଆରି କରିବେ।

ତିନି ରଥ ପାଇଁ ପହଞ୍ଚିଲା ରଥ ଦଉଡ଼ି

ପୁରୀ : ଘୋଷଯାତ୍ରା ପୂର୍ବରୁ ଆଜି ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପାଇଁ ରଥଦଉଡ଼ି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। କତା ନିଗମ ପକ୍ଷରୁ ପୁରୀ ସଦର ବ୍ଲକ୍‌ ଚନ୍ଦନପୁରଠାରେ ପ୍ରସ୍ତୁତ ହୋଇ ଟ୍ରକ୍‌ ଯୋଗେ ଏହା ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଏ ସମ୍ପର୍କରେ ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ଆଜି ରଥ ଟାଣିବା ପାଇଁ ୧୪ଟି ଓ ରଥ କର୍ଡନ୍‌ ପାଇଁ ୧୨ଟି ରଥ ଦଉଡ଼ି ଆସି ପହଞ୍ଚିଛି। ତିନି ରଥ ଟାଣିବା ପାଇଁ ୪ଟି ଲେଖାଏଁ ୧୨ଟି ରଥ ଦଉଡ଼ି ଆସିଛି। ଜରୁରୀ ସମୟ ପାଇଁ ଅତିରିକ୍ତ ଦୁଇଟି ରଥ ଦଉଡ଼ି ସଂରକ୍ଷିତ ରଖାଯାଇଛି। ସେହିଭଳି କର୍ଡନ୍‌ ପାଇଁ ତିନି ରଥର ୪ଟି ଲେଖାଏଁ, ୧୨ଟି ଦଉଡି ଆସିଛି। ଯେଉଁଥିରେ ଇନର୍‌ କର୍ଡନ୍‌, ଆଉଟର୍‌ କର୍ଡନ୍‌, ପୁଲିସ କର୍ଡନ୍‌ ଓ ସାଧାରଣ କର୍ଡନ୍‌ ଦଉଡ଼ି ରହିଛି। ତିନି ରଥର ଦଉଡ଼ିର ନାମ ଭିନ୍ନ ରହିଛି। ତିନି ରଥକୁ ନାଗ ଦେବତା ଟାଣିଥାନ୍ତି ବୋଲି ବିଶ୍ବାସ ରହିଛି। ନନ୍ଦିଘୋଷ ରଥ ଦଉଡ଼ି ନାମ ଶଙ୍ଖଚୁଡ଼ ହୋଇଥିବାବେଳେ ତାଳଧ୍ବଜ ରଥ ଦଉଡ଼ି ନାମ ବାସୁକୀ ଓ ଦର୍ପଦଳନ ରଥର ନାମ ସ୍ବର୍ଣ୍ଣଚୁଡ଼।

ସମ୍ବନ୍ଧିତ ଖବର