ଠିକ୍‌-ଭୁଲ୍‌ ମହାପ୍ରଭୁଙ୍କ ଉପରେ ଛାଡ଼ିଦିଅନ୍ତୁ: ନିରଞ୍ଜନ

ଭୁବନେଶ୍ବର : ପୁରୀ ରଥଯାତ୍ରାକୁ ନେଇ ଏବେ ଟେଲିଭିଜନ୍‌ ଓ ଖବରକାଗଜରେ ଅଯଥାରେ ତମ୍ବିତୋଫାନ୍‌ ଚାଲିଛି। କିଏ ଠିକ୍‌ ଓ କିଏ ଭୁଲ ଏହି ନିଷ୍ପତ୍ତି ଜଗନ୍ନାଥଙ୍କ ଉପରେ ଛାଡ଼ି ଦେବା ଦରକାର। ସରକାର ଭୟ କରି ନିଷ୍ପତ୍ତି ନେବାରେ ବିଳମ୍ବ କରିଛନ୍ତି। କରୋନା ମହାମାରୀ ସମୟରେ ଯେ କୌଣସି ସରକାର ନିଷ୍ପତ୍ତି ନେବାରେ ଭୟ କରିବେ। ରଥଯାତ୍ରାକୁ ନେଇ ଆଜି ଏମିତି ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ତେବେ ସରକାର ଚାହିଁଲେ ବିକଳ୍ପ ବାଟରେ ରଥଯାତ୍ରା କରାଇପାରିବେ ବୋଲି ପ୍ରସ୍ତାବ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ନାନ ପୂର୍ଣ୍ଣିମାକୁ ସରକାର ଅତି ଶୃଙ୍ଖଳାର ସହିତ କରାଇ ପାରିଲେ। ସେମିତି ସାରା ଓଡ଼ିଶାକୁ ସଟ୍‌ଡାଉନ୍‌ ଘୋଷଣା କରି ବିନା ଭକ୍ତରେ ପୁଲିସ୍‌ ଆଉ ସେବାୟତଙ୍କୁ ନିୟୋଜିତ କରି ରଥଯାତ୍ରା କରାଯାଇପାରିବ। ଏହା ହେଲେ କଳାପାହାଡ଼ର ଇତିହାସର ପୁନରାବୃତ୍ତି ହୁଅନ୍ତା ନାହିଁ।

ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆମ ସମସ୍ତଙ୍କର ପୂର୍ଣ୍ଣ ବିଶ୍ବାସ ରହିଛି। ଯାହା ହେବ ଠିକ୍‌ ହେବ। କିନ୍ତୁ ସରକାର ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇପାରିଲେ ନାହିଁ। ସରକାର ଭୟ କରି ବିଳମ୍ବ କଲେ। ପୁରୀର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ ଓ ସେଥିରେ କରୋନା ଆକ୍ରାନ୍ତ ବୃଦ୍ଧି ହେବାର ଆଶଙ୍କା ରହିଛି। ଏପରି ହେଲେ ଖାଲି ଓଡ଼ିଶା ନୁହେଁ, ଭାରତରେ ଭୟାବହ ପରିସ୍ଥିତ ସୃଷ୍ଟି ହେବ। ସେଇ ବଦନାମର ଡର ରାଜ୍ୟ ସରକାରଙ୍କୁ ଘାରିଲା। ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶମତେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି। ଏହାକୁ ମାନିବାକୁ ପଡ଼ିବ। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ରଥଯାତ୍ରା ବନ୍ଦକୁ ନେଇ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ବାସ୍ତବରେ ରଥଯାତ୍ରା ହେଲେ ମଧ୍ୟ ଲୋକ ଆସିବେ ନାହିଁ। ତାର ମୁଖ୍ୟ କାରଣ ହେଉଛି ବସ୍‌ ଓ ଟ୍ରେନ୍‌ରେ କଟକଣା କୋହଳ ହେବା ପରେ ବି ଲୋକଙ୍କ ଯାତାୟତ ସ୍ବାଭାବିକ ହୋଇ ନାହିଁ। ସର୍ବସାଧାରଣ ସ୍ଥାନରେ ଲୋକ ଏକାଠି ହେଉନାହାଁନ୍ତି। ଅର୍ଥାତ୍‌ ସାଧାରଣ ଜନତା ସରକାରଙ୍କ ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେବେ ତାକୁ ପାଳନ କରିବା ପାଇଁ ଆମେ ମଧ୍ୟ ବାରମ୍ବାର କହିଛୁ ଓ ମାନିବୁ ମଧ୍ୟ।

ସମ୍ବନ୍ଧିତ ଖବର