ରଥଯାତ୍ରାର ବିକଳ୍ପ ମତ ରଖିଲେ ମୁକ୍ତିମଣ୍ଡପ ସଦସ୍ୟ : ‘ରଥରେ ମହାପ୍ରଭୁଙ୍କୁ ବିଜେ ଅନୁମତି ମିଳୁ’

ପୁରୀ : ଆଉ ଦୁଇ ଦିନ ପରେ ଶ୍ରୀକ୍ଷେତ୍ରର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇ ଜନ୍ମବେଦୀକୁ ଯାତ୍ରା କରିଥାନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ତିନି ରଥ କେତେବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଯାଏ, ଜାଣିହୁଏନି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଶ୍ରୀ‌‌କ୍ଷେତ୍ରର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ତଥାପି ଭକ୍ତବୃନ୍ଦ ରିଭ୍ୟୁ ପିଟିସନ୍‌ ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି।

ଏଭଳି ସ୍ଥିତିରେ ରଥଯାତ୍ରାର ନୀତିକାନ୍ତି କିଭଳି ହେବ ତାର ବିକଳ୍ପ ଖୋଜା ଚାଲିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନି। ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶାନିଯୋଗର ତୁହାକୁତୁହା ଆଲୋଚନା ବୈଠକ ଚାଲିଛି। ମୁକ୍ତିମଣ୍ଡପର ବରିଷ୍ଠ ସଦସ୍ୟ ଦୁର୍ଗାପ୍ରସାଦ ମହାପାତ୍ର, ସୂର୍ଯ୍ୟନାରାୟଣ ରଥ ଏହା ଉପରେ ମତ ରଖିବା ସହ ଯଦି ରଥଯାତ୍ରା ନହୁଏ, ‌ତେବେ ପରମ୍ପରା ରକ୍ଷା ପାଇଁ ମହାପ୍ରଭୁଙ୍କୁ ରଥ ଉପରକୁ ଆଣିବାକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି। ଯଦ୍ବାରା ଭକ୍ତମାନେ ଟେଲିଭିଜନ୍‌ ପରଦାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ସଂକ୍ରମଣର ବି ଭୟ ଦେଖାଦେବନି। ଶ୍ରୀ ମହାପାତ୍ର କହିଛନ୍ତି, ପୂର୍ବରୁ ତିନି ରଥ ବଳଗଣ୍ଡି ପର୍ଯ୍ୟନ୍ତ ଟଣା ଯାଉଥିଲା। କାରଣ ମଝିରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା। ନଈ ଆରପଟେ ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ଆଉ ତିନିଟି ରଥ ଚାରିଚକିଆ ଶଗଡ଼ି ଆକାରରେ ନିର୍ମାଣ ହୋଇ ରହୁଥିଲା। ସିଂହଦ୍ବାରରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥର ଚକ ସଂଖ୍ୟା ୧୬, ୧୪ ଓ ୧୨ ଥିଲା। ସିଂହଦ୍ବାରରୁ ମହାପ୍ରଭୁଙ୍କ ବିଜେ ରଥକୁ ଭକ୍ତମାନେ ଟାଣୁଥିଲେ। ଆଉ ଗୋଟିଏ ଛୋଟ ରଥରେ ଘଣ୍ଟ, ବାଦ୍ୟକାରମାନେ ଆଗେ ଆଗେ ଯାଉଥିଲେ, ଏହି ରଥକୁ ଘୋଡ଼ା ଟାଣୁଥିଲେ। ଠାକୁରମାନେ ବଳଗଣ୍ଡି ଠାରେ ପହଞ୍ଚିବା ପରେ ଦୋଳ ଚାପରେ ନଦୀ ପାର ହେଉଥିଲେ। ପରେ ଶଗଡ଼ି ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଘରକୁ ଯାଉଥିଲେ। ସେ ସମୟରେ ୭ ଦିନ ପରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଥିଲା। ରାଜା ଯଯାତି କେଶରୀଙ୍କ ପରେ ରାଜା ପର୍ଶୁକେଶରୀ ଦୁଇ ବର୍ଷ ପାଇଁ ଶାସନରେ ରହିଥିଲେ। ସେ ସମୟରେ ଥରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ମୂଷଳ ଧାରାରେ ବର୍ଷା ହେବାରୁ ରଥଯାତ୍ରା ନହୋଇ ସିଂହଦ୍ବାରରେ ରଥ ରହି ଠାକୁରମାନଙ୍କୁ ରଥ ଉପରେ ବିଜେ କରାଯାଇ ଦକ୍ଷିଣାଭିମୁଖୀ ପୂଜା କରାଯାଇଥିଲା। ସେବକମାନେ ଶ୍ରୀଗୁଣ୍ଡିଚା ଘର ଯାଇ ଆଡ଼ପ ମଣ୍ଡପରେ ପିଣ୍ଡିପୂଜା ଓ ଧ୍ବଜପୂଜା କରିଥିଲେ। ଚଳିତ ବର୍ଷ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ ନକରି ଏହା ଆଧାରରେ କରାଯାଇପାରିବ ବୋଲି ଶ୍ରୀ ମହାପାତ୍ର ମତ ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ପୂର୍ଣ୍ଣପ୍ରସ୍ତୁତ ତିନିରଥକୁ ସିଂହଦ୍ବାର ଚକଡ଼ାକୁ ବିଜେ କରାଯାଉ। ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ତିନି ରଥରେ ବିଜେ କରାଯାଉ। ଯଦ୍ବାରା ଯେଉଁ ସଂକ୍ରମଣର ଭୟ ଦେଖାଦେଇଛି, ଆଉ ସେଭଳି ଭୟ ଦେଖାଦେବନି। ସ୍ନାନଯାତ୍ରା ଭଳି ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରି ପରମ୍ପରା ରକ୍ଷା କରାଯାଉ। ରଥ ଉପରେ ଅଧରନୀତି ସହ ଅନ୍ୟାନ୍ୟ ନୀତି କରିବାର ଅନୁମତି ଦିଆଯାଉ। ଏଭଳି ହେଲେ ଟେଲିଭିଜନ୍‌ ପରଦାରେ ବି ଭକ୍ତବୃନ୍ଦ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏ ଦିଗରେ ରାଜ୍ୟ ସରକାର ଚିନ୍ତା କରିବା ଦରକାର ବୋଲି ଶ୍ରୀ ମହାପାତ୍ର ମତ ରଖିଛନ୍ତି।

ସମ୍ବନ୍ଧିତ ଖବର