ଗୋଟିଏ ରାତିରେ ଚମତ୍କାର : ରଥଯାତ୍ରା ନେଇ ତନାଘନା କଲା କେନ୍ଦ୍ର, ହସ୍ତକ୍ଷେପ କଲେ ମୋଦୀ

ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ସହ କଥା ହେଲେ ଅମିତ ଶାହ
ଅଗଣିତ ଜନତାଙ୍କର ବିଶ୍ୱାସ, ଭାବାବେଗକୁ ସମ୍ମାନ ଦିଆଗଲା
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ରଥଯାତ୍ରା ବନ୍ଦ କରିବାକୁ ଗତ ୧୮ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିବାଦ ବଢ଼ିବାରେ ଲାଗିଥିଲା। ରାୟର ପୁନର୍ବିଚାର ପାଇଁ ଏକାଧିକ ପିଟିସନ୍ ସୁପ୍ରିମ‌େକାର୍ଟରେ ଦାଖଲ ହୋଇଥିଲା। କୋଟି କୋଟି ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ବଢ଼ୁଥିବା ଦେଖି କେନ୍ଦ୍ର ସରକାର ସିଧାସଳଖ ହସ୍ତକ୍ଷେପ କରିଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଆଲୋଚନା କରି ବାଟ ବାହାର କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟିତ୍ବ ଦେଇଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କଠାରୁ ନିର୍ଦ୍ଦେଶ ପାଇଲା ପରେ ଗତକାଲି ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଫୋନ୍ କରି କଥା ହୋଇଥିଲେ। ରଥଯାତ୍ରା ସମ୍ପର୍କରେ ଉଭୟଙ୍କ ମତାମତ ବୁଝି ଶ୍ରୀ ଶାହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହା ପରେ ଆଜି ସକାଳେ ସେ ପୁଣି ସଲିସିଟର୍‌ ଜେନେରାଲ୍‌ଙ୍କ ସହ କଥା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ସମସ୍ତଙ୍କ ସହ ସମନ୍ବୟ ରକ୍ଷା କରି କାମକୁ ତ୍ବରାନ୍ବିତ କରିଥିଲେ। ମାମଲାର ଗମ୍ଭୀରତା ଓ ଗୁରୁତ୍ବକୁ ଦୃଷ୍ଟିରେ ରଖି ମାମଲାକୁ ସୁପ୍ରିମକୋର୍ଟର ଅବସରକାଳୀନ ଖଣ୍ଡପୀଠ ଆଗରେ ରଖାଗଲା।

Deccan Herald

ସୁପ୍ରିମ‌େକାର୍ଟଙ୍କ ରାୟ ପରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଶାହ ଟ୍ବିଟ୍‌ କରି କହିଛନ୍ତି, ମୋ ସହିତ ସମଗ୍ର ଦେଶର କୋଟି ‌କୋଟି ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆନନ୍ଦର କଥା ଯେ ପ୍ରଧାନମନ୍ତ୍ରୀ କେବଳ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବୁଝି ନ ଥିଲେ, ବରଂ ‌ଏହି ମାମଲାରେ ଯେପରି ସକାରାତ୍ମକ ସମାଧାନ ବାହାରିବ, ଏଥିପାଇଁ ତୁରନ୍ତ ପ୍ରୟାସ ଆରମ୍ଭ କଲେ। ଫଳରେ ଆମର ଏହି ମହାନ ପରମ୍ପରା ବଜାୟ ରହିଲା। ଆଜିର ଦିନ ଆମ ସମସ୍ତଙ୍କ ପାଇଁ ବିଶେଷ କରି ଓଡ଼ିଶାର ଭାଇ-ଭଉଣୀ ଓ ଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଏକ ଶୁଭ ଦିନ। ରଥଯାତ୍ରାକୁ ସୁପ୍ରିମକୋର୍ଟର ସମ୍ମତି ମିଳିବା ପରେ ସମଗ୍ର ଦେଶରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।

ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରି କହିଛନ୍ତି ‌ଯେ ଶ୍ରଦ୍ଧାଳୁଙ୍କ ଭାବନାକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ତୁରନ୍ତ ସବୁ ପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନେଇଥିଲେ। ରଥଯାତ୍ରା ପାଇଁ ବାଟ ଫିଟାଇବାରେ ଗୃହମନ୍ତ୍ରୀ ଅମିତ ଶାହ ସଫଳ ପ୍ରୟାସ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଥିଲେ ଯେ ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ, ବରଂ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ। ଅଗଣିତ ଜନତାଙ୍କର ବିଶ୍ୱାସ, ପରମ୍ପରା, ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଆଗୁଆ। ବିନା ଭକ୍ତ ସମାଗମରେ ପୁରୀରେ ରଥଯାତ୍ରା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ। ସର୍ତମୂଳକରେ ରଥଯାତ୍ରା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ସଠିକ୍ ପରିଚାଳନା କରିବେ ବୋଲି ଦୃଢ଼ ବିଶ୍ୱାସ ରହିଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ରଖୁଥିବା ସମ୍ଭାବ୍ୟ ଅପେକ୍ଷାକୁ ମଧ୍ୟ ପୂରଣ କରାଯିବ। ସାଢ଼େ ୪ କୋଟି ଓଡ଼ିଆ ଓ ସାରା ବିଶ୍ୱରେ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇଥିବାରୁ ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

image source-intoday.in

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ଦୂରଦର୍ଶନ ସମେତ ଅନ୍ୟ ଚ୍ୟାନେଲ୍‌ରେ ଏହାର ସିଧା ପ୍ରସାରଣ ହେବ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରାୟକୁ ସ୍ବାଗତ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏକ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିବା ଓ ରାଜ୍ୟ ସରକାର ତାହାକୁ ସମର୍ଥନ କରିବା କାରଣରୁ ସୁପ୍ରିମକୋର୍ଟଙ୍କୁ ଏହି ନିର୍ଣ୍ଣୟ ନେବା ସହଜ ହୋଇପାରିଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଚାଲି ଆସିଛି । ଏହିଯାତ୍ରା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ରହିଛି। କେନ୍ଦ୍ର ସରକାର ବଳିଷ୍ଠ ଯୁକ୍ତି ବାଢ଼ି ରଥଯାତ୍ରା କରାଇବା ଲାଗି ସୁପ୍ରିମକୋର୍ଟଙ୍କ ଆଗରେ ନିବେଦନ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। କୋଭିଡ-୧୯ ନିୟମକୁ ପାଳନ କରି ରାଜ୍ୟ ସରକାର ରଥଯାତ୍ରାକୁ ସୁଚାରୁ ରୂପେ କରାନ୍ତୁ ବୋଲି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର