ଘାରିଲାଣି ରଥଯାତ୍ରା ଚିନ୍ତା : କେଉଁଠି ରହିବେ ଅଫିସର, ସରକାରୀ ଓ ବେସରକାରୀ ଅତିଥି?

ପୁରୀ : ଆଉ ମାସଟିଏ ପରେ ରଥଯାତ୍ରା। ଏ ଯାଏ ପ୍ରସ୍ତୁତ ହୋଇପାରିନି ହୋଟେଲ ଶିଳ୍ପ। ରଥଯାତ୍ରା ଡ୍ୟୁଟି ପାଇଁ ଆସିବେ ହଜାର ହଜାର ଅଫିସର, ତା ସାଙ୍ଗକୁ ଲକ୍ଷଲକ୍ଷ ଭକ୍ତ। ଏମାନେ ରହିବେ କେଉଁଠି, ଏହି ଚିନ୍ତା ଏବେ ପ୍ରଶାସନକୁ ଘାରିଛି। କି ବିକଳ୍ପ ବ୍ୟବସ୍ଥା କରାଯିବ ପ୍ରଶାସନକୁ ବାଟ ବି ମିଳୁନାହିଁ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ହୋଟେଲ ମରାମତି କାମ ସାରିବାକୁ ହୋଟେଲ ମାଲିକ ସଂଘକୁ ଅନୁରୋଧ କରିଛି ପ୍ରଶାସନ।

‘ଫନି’ ମାଡ଼ରେ ପୁରୀର ୯୦% ହୋଟେଲ ଭାଙ୍ଗିଯାଇଛି। ବାତ୍ୟାର ମାସେ ପରେ ବି ପ୍ରସ୍ତୁତ ହୋଇପାରିନି ହୋଟେଲ ଶିଳ୍ପ। ପ୍ରାୟ ୭୦୦ ‌ହୋଟେଲ ମଧ୍ୟରୁ ୨୪୫ଟି ହୋଟେଲ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ପାରିଛନ୍ତି। ତାହା ପୁଣି ସମ୍ପୂର୍ଣ୍ଣ ଭାବେ ନୁହେଁ। ଅନ୍ୟ ହୋଟେଲ ଗୁଡ଼ିକ ଧୀରେ ଧୀରେ ସଜାଡ଼ି ହେଉଛନ୍ତି। ମାତ୍ର କେବେ ସମ୍ପୂର୍ଣ୍ଣ ‌ହେବ ତାହା କୁହାଯାଇପାରୁନାହିଁ। ତେଣେ ଆଉ ମାସଟିଏ ପରେ ରଥଯାତ୍ରା। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ବି ନିକଟତର। ଦେବ ସ୍ନାନ ପୂର୍ଣ୍ଣିମା ପାଇଁ ଅନ୍ୟୂନ ୪ ଶହ ଅଫିସର ଆସିବେ। ହଜାର ହଜାର ଭକ୍ତ ବି ଆସିବେ। ସେମାନେ ରହିବେ କେଉଁଠି? ସ୍ନାନଯାତ୍ରାର ୧୫ ଦିନ ପରେ ରଥଯାତ୍ରା। ଏଥି ପାଇଁ ୩/୪ ଦିନ ପୂର୍ବରୁ ଅଫିସରମାନେ ପୁରୀରେ ପହଞ୍ଚିଯିବେ। ରଥଯାତ୍ରା ରେକର୍ଡକୁ ଦେଖିଲେ, ପ୍ରାୟ ୩ ହଜାର ଅଫିସରଙ୍କୁ ହୋଟେଲ ରୁମ୍‌ ଦିଆଯାଏ। ଏହାବ୍ୟତୀତ ବଡ଼ ବଡ଼ ଅଫିସର, ନେତା, ମନ୍ତ୍ରୀଙ୍କ ସମ୍ପର୍କୀୟ ବି ପ୍ରଶାସନର ଆତିଥ୍ୟତା ଗ୍ରହଣ କରନ୍ତି। ଏମାନଙ୍କୁ ମିଶାଇଲେ, ୫ ହଜାର ହୋଟେଲ ରୁମ୍‌ର ଆବଶ୍ୟକତା ରହିଛି। ହେଲେ ଏ ପର୍ଯ୍ୟନ୍ତ ଏତେ ହୋଟେଲ ରୁମ୍‌ ପ୍ରସ୍ତୁତ ହୋଇନାହିଁ। ସା ସାଙ୍ଗକୁ ବଡ଼ବଡ଼ିଆ ଭକ୍ତ ବି ଅଛନ୍ତି। ସେମାନଙ୍କୁ ରୁମ୍‌ ନମିଳିଲେ, ସରକାରଙ୍କୁ ବଦନାମ ହେବାକୁ ପଡ଼ିବ। ଏହି ଚିନ୍ତା ଘାରିଛି। କୁଆଡ଼ୁ ଆସିବ ରୁମ୍‌, କେମିତି ରହିବେ ସରକାରୀ ଓ ବେସରକାରୀ ଅତିଥି। ସାଧାରଣ ଭକ୍ତଙ୍କ ପାଇଁ ଅସ୍ଥାୟୀ ଶିବିର ନିର୍ମାଣ କରାଯିବ। ଏଥର ଅଧିକ ୧୦ଟି ଅସ୍ଥାୟୀ ଶିବିର କରାଯିବାକୁ ଯୋଜନା କରାଯାଉଛି। କିଛି ଅସ୍ଥାୟୀ ଶିବିରକୁ ବଡ଼ବଡ଼ିଆ ରହିବା ଯୋଗ୍ୟ କରିବାକୁ ଉଦ୍ୟମ ଚାଲିଛି। ତେବେ ଏହା କେତେଦୂର ସଫଳ ହେବ ସେ ନେଇ ସନ୍ଦେହ ରହିଛି।

ଏ ସମ୍ପର୍କରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି, ରଥଯାତ୍ରା ସମୟ‌ରେ ସରକାରୀ, ବେସରକାରୀ ଅତିଥି ଓ କାର୍ଯ୍ୟରତ ଅଧିକାରୀମାନେ ରହିବା ସବୁଠୁ ବଡ଼ ସମସ୍ୟା ହେବାକୁ ଯାଉଛି। ରଥଯାତ୍ରା ପୂର୍ବରୁ ହୋଟଲଗୁଡ଼ିକ ତାଙ୍କର ୯୦% ରୁମ୍‌ ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାବ୍ୟତୀତ ଏଥର ଅସ୍ଥାୟୀ ଶିବିରକୁ ଅଧିକ କରିବାକୁ ଯୋଜନା କରାଯାଉଛି। ରଥଯାତ୍ରା ବେଳକୁ ସବୁ କିଛି ଠିକ୍‌ ହୋଇଯିବ ବୋଲି ଆଶା କରୁଥିବା ଜିଲ୍ଲାପାଳ କହିଥିଲେ।

ସମ୍ବନ୍ଧିତ ଖବର