ପୁରୀ : ଜ୍ୱରରୁ ସୁସ୍ଥ ହେଉ ହେଉ, ଜନ୍ମବେଦିକୁ ବୁଲିଯିବାକୁ ମହାପ୍ରଭୁଙ୍କ ମନ ବଳିଛି। ଏଣେ ପ୍ରଭୁଙ୍କ ମନ ଜାଣି ରଥ ତିଆରି ସରିଛି। ପ୍ରଭୁଙ୍କ ଯାତ୍ରା ପାଇଁ ଏବେ ଯେମିତି ନିର୍ଜୀବ ବି ଜୀବନ୍ତ ପାଲଟି ଯାଇଛନ୍ତି। ମହାପ୍ରଭୁଙ୍କ ସ୍ପର୍ଶ ପାଇଁ ରଥ ପ୍ରସ୍ତୁତ, ରଥକୁ ଆଲିଙ୍ଗନ କରିବାକୁ ପଥ ବି ପ୍ରସ୍ତୁତ। ସିଂହଦ୍ବାର ଚକଡ଼ାରେ ରଥ ଲାଗିବା ପରେ ରାତି ବି ଯେମିତି ଚଳଚଞ୍ଚଳ ହୋଇଉଠିଛି। ଇନ୍ଦ୍ର କିଛି ସମୟ ପାଇଁ ଆସି ବରଷି ଯାଇ ବଡ଼ଦାଣ୍ଡକୁ ବିଶୋଧନ କରି ଦେଇଛନ୍ତି। ପବନରେ ବି ଖେଳି ବୁଲୁଛି ଆଧ୍ୟାତ୍ମିକ ମହକ। ପ୍ରଭୁଙ୍କ ସାନିଧ୍ୟ ପାଇବା ପଇଁ ରଥ, ପଥ ସଭିଏଁ ଅପେକ୍ଷାରତ।
କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର, କାଳିଆ ସାଆନ୍ତଙ୍କୁ ରଥରେ ଦେଖିବାକୁ କୋଟିକୋଟି ନେତ୍ର ଅପେକ୍ଷା କରିଛି। ହେଲେ କରୋନା ଏଥିରେ ବାଡ଼ ପକେଇ ଭକ୍ତର ପରୀକ୍ଷା ନେଉଛି। ମହାପ୍ରଭୁଙ୍କ ରଥଯାତ୍ରା ଓ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରିଦିଆଯାଇଛି। ୧୪୪ ଧାରା ଜାରି କରି ଭକ୍ତଙ୍କ ପ୍ରବେଶରେ ରୋକ୍ ଲଗାଯାଇଛି। ଶ୍ରୀକ୍ଷେତ୍ରରେ ରଥ ଗଡ଼ିବ, ଅଥଚ ଏହାକୁ ଶ୍ରୀକ୍ଷେତ୍ରବାସୀ ଚର୍ମଚକ୍ଷୁରେ ଦେଖିପାରିବେ ନାହିଁ, ସେଇ ଅଭାବବୋଧ ମାଡ଼ିମାଡ଼ି ବସୁଛି। ମହାପ୍ରଭୁଙ୍କ ସହ ଆଖିରେ ଆଖିରେ କଥା ଦିଆନିଆ କରିବାକୁ ବଡ଼ଦାଣ୍ଡକୁ ଛୁଟି ଆସିବାକୁ ଯୋଜନା କରି ସାରିଥିବା ଭକ୍ତଙ୍କ ମନ ବୁଝୁନାହିଁ। ତେବେ ବି ମହାପ୍ରଭୁଙ୍କ ଯାତ୍ରାରେ ଯେମିତି ବ୍ୟାଘାତ ନହୁଏ ସେଥିପାଇଁ ଭକ୍ତମାନେ ନିଜକୁ ନିୟନ୍ତ୍ରଣରେ ରଖି ଘରେ ଟିଭି ପରଦାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି।
ମହାପ୍ରଭୁ ଆସିବେ ବୋଲି ଗୁଣ୍ଡିଚା ମନ୍ଦିରରୁ ଭୂତ ବାଡ଼ିଆ ସରିଛି। ମନ୍ଦିରକୁ ଚକାଚକ କରି ସଜାଯାଇଛି। ରାଘବ ଦାସ ମଠ ପକ୍ଷରୁ ଟାହିଆ ପ୍ରସ୍ତୁତ କରି ରଖାଯାଇଛି। ସୀମିତ ସେବାୟତଙ୍କ ଗହଣରେ ମହାପ୍ରଭୁ ଯାତ୍ରାରେ ବାହାରିବେ। ତେଣୁ ରଥ ଟାଣିଟାଣି କ୍ଳାନ୍ତ ହୋଇଗଲେ ସେମାନଙ୍କ ବିଶ୍ରାମ ନେବା ପାଇଁ କିଛିକିଛି ସ୍ଥାନରେ ଚାନ୍ଦୁଆର ଷ୍ଟଲ୍ କରାଯାଇଛି। ଭକ୍ତଙ୍କ ଭିଡ଼ ରହୁନଥିବାରୁ ରଥ ଶୀଘ୍ର ପହଞ୍ଚାଇବା ନେଇ ଲକ୍ଷ୍ୟ ରଖିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ।
ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପକୁ ବିଜେ କରିବା ପର୍ଯ୍ୟନ୍ତ ଯେପରି ଭକ୍ତମାନେ ରଥ ନିକଟକୁ ନଆସନ୍ତି ସେ ଉପରେ ଦୃଷ୍ଟି ରଖିଛି ଜିଲ୍ଲା ପ୍ରଶାସନ। ତେଣୁ ମଙ୍ଗଳବାର ରାତି ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଟିଭି ପରଦାରୁ ନେଇ ସୋସିଆଲ ମିଡିଆରେ ଛାଇଯିବ ରଥଯାତ୍ରା। ଏହା ହିଁ ପାଲଟିବ ଭକ୍ତଙ୍କ ପାଇଁ ପ୍ରମୁଖ ସେତୁ। ତେବେ ଏତେ ବଡ଼ ରଥଯାତ୍ରାରେ ମହାପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ ସେ ଭାବ ଦିଆନିଆର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ।