ରଥଖଳା ଚଳଚ‌ଞ୍ଚଳ : ସରିଲା ୧୨ ପରସ୍ତ ପୋଟଳ କାମ

ପୁରୀ : ମହାପ୍ରଭୁଙ୍କ ଘୋଷ ଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇଉଠିଛି ରଥଖଳା। ରାତିଦିନ ଏକ କରି ଦେଇଛନ୍ତି ସମସ୍ତ ସେବକ। ମହାରଣା ସେବକମାନେ ରଥ ନିର୍ମାଣ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ତିନି ରଥ ପାଇଁ ଆବଶ୍ୟକ ୧୨ ପରସ୍ତ ପୋଟଳ କାମ ଶେଷ ହୋଇଛି। କଳସ କାମ ବି ଏହା ମଧ୍ୟରେ ଶେଷ ହୋଇଛି। ରଥ ଚାରିପଟ ପଟା ସେଟିଂ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ଦୁଆର, ପ୍ରଭା କାମ ପ୍ରମୁଖ ହୋଇଥିବାରୁ ଏହାକୁ ସାରିବା ନେଇ ଚିନ୍ତାରେ ପଡ଼ିଛନ୍ତି ମହାରଣା ସେବକ। କାରଣ ଏଥିପାଇଁ ଆବଶ୍ୟକ ରଥକାଠ ରଥଖଳାରେ ପଡ଼ିନାହିଁ। ଆସନ୍ତାକାଲି ରଥଖଳାରେ ଏଥିପାଇଁ ଆବଶ୍ୟକ କାଠ ପଡ଼ିବା ପରେ ଦୁଆର, ପ୍ରଭା ଆଦିର କାମ ଆରମ୍ଭ ହେବ। ଏହି କାମ ପାଇଁ ରାତିରେ ବି ଖଟିବାକୁ ପଡ଼ିବ ବୋଲି କିଛି ମହାରଣା ସେବକ କହିଛନ୍ତି। ସେପଟେ ରୂପକାର ସେବକମାନେ ବିଭିନ୍ନ କାମକୁ ଆଗେଇ ନେଇଛନ୍ତି। ଚିତ୍ରକର ସେବକମାନେ ରଙ୍ଗ ଦିଆ କାମକୁ ତ୍ବରାନ୍ବିତ କରିଛନ୍ତି। ଆଜି ଋଷି କାମ ସାଙ୍ଗକୁ ସଖୀମାନଙ୍କୁ ରଙ୍ଗ ଦିଆଯାଇଛି। ଭୋଇ ସେବକମାନେ ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ ଯୋଗାଇ ଦେଇଛନ୍ତି। ଓଝା ସେବକମାନେ କଣ୍ଟା ତିଆରି କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିର ସଜେଇ ହେବା ଆରମ୍ଭ କରିଛି। ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ରଙ୍ଗ ଦିଆ କାମ ଜୋରସୋରରେ ଚାଲିଛି।

ସମ୍ବନ୍ଧିତ ଖବର