ପୁରୀ : ରଥଖଳାରେ ଶୁକ୍ରବାର ଦିନ ରଥ ନିର୍ମାଣକୁ ୫୧ ଦିନ ପୂରିଛି। ଶୁକ୍ରବାର ଦିନ ରଥ ନିର୍ମାଣ ଶେଷ ସୁଦ୍ଧା ତିନି ରଥର ଦୁଆର ବେଢ଼ା ଉଠିବା ସହ ରଥରେ ସଂଯୋଗ କାମ ଶେଷ ହୋଇଛି। ପ୍ରତି ରଥର ୪ଟି ଲେଖାଏଁ, ତିନି ରଥରେ ୧୨ଟି ଦୁଆର ବେଢ଼ା ସଂଯୋଗ ହୋଇଛି। ୨୪ଟି ନାଟଗୋଡ଼ ତିନି ରଥର ଦୁଆର ବେଢ଼ାରେ ସଂଯୋଗ ହୋଇଛି। ଅନ୍ୟପଟେ ତିନି ରଥର ବେଦି ନିର୍ମାଣ ପାଇଁ ଆଗ, ପଛ ଢମକ ଉପରେ ୫ଟି ଜଗତପୃଷ୍ଠ ଶେଣି ପଡ଼ି ଦୁଇପାର୍ଶ୍ବରେ ତିନିଟି ଲେଖାଏଁ ବାହୁଟ ଫାଳିଆ ପଡ଼ି ପଟା ବାଡ଼ିଆ କାମ ଶେଷ ହୋଇଛି।
/sambad/media/post_attachments/wp-content/uploads/2022/06/puri-rw2-300x186.jpg)
ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ ଶେଷ ହୋଇଛି। ସିଂହାସନ ବେଦି ଉପର ପ୍ରଥମ ଭୂଇଁ ମଧ୍ୟ ଭାଗରେ କନକ ମୁଣ୍ଡି ବସି ଏଥିରୁ ୪ଟି କାଣ୍ଡ ଓ ୨୦ଟି ରୁଅ ଗମ୍ବୁଜାକାର ଭାବେ ସଂଯୋଗ ହୋଇଛି। ପରେ ବର୍ଷା ପାଣି ନ ପଡ଼ିବା ପାଇଁ ଏଥିରେ ପିତଳ ଚଦର ଆବରଣ ପଡ଼ିବ। ତିନି ରଥର ତିନୋଟି ଲେଖାଏଁ ବିଜେ ଚପା ନିର୍ମାଣ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ ଜାରି ରହିଛି। ଚିତ୍ରକର ସେବକମାନେ ଶୁକ୍ରବାର ଦିନ ୨୪ଟି ନାଟଗୋଡ଼ରେ ରଙ୍ଗ କାମ ଶେଷ କରିଛନ୍ତି। ୮ଟି ଲେଖାଏଁ କନ୍ୟା ପଟାରେ କନ୍ୟା ଚିତ୍ର ଆଙ୍କିଛନ୍ତି। ଏହା କୋଣଗୁଜ ନିକଟ ଦଣ୍ଡା ମୁହାଣ୍ଟ ଓ ନିରାଡ଼ିରେ ସଂଯୋଗ ହେବ।
/sambad/media/post_attachments/wp-content/uploads/2022/06/puri-rw5-300x227.jpg)
ତିନି ରଥର ୨୭ଟି ଶିଖର ଡମ୍ବରୁ(ପାର୍ଶ୍ବ ଦେବାଦେବୀ ଆସ୍ଥାନ) ରଙ୍ଗ କାର୍ଯ୍ୟ ଶେଷ କରି ୯ଟି ଲେଖାଏଁ ପାର୍ଶ୍ବ ଦେବଦେବୀ, ୨୭ଟି ସଖୀ, ହଂସପଟା, ସଂଯୋଗ ସରିଥିବା ଗୁଜରେ ରୂପ ଚିତ୍ର ଜାରି ରଖିଛନ୍ତି। ଓଝା ସେବକମାନେ ଦୋଳବେଦି ଅସ୍ଥାୟୀ କମାରଶାଳରେ ଦୁଆର ବେଢ଼ା ସଂଯୋଗ ପାଇଁ ଧ୍ବଜା ବତା କଣ୍ଟା, ଧୂଳି ଦଣ୍ଡା କଣ୍ଟା ନିର୍ମାଣ ସାରି ଘୋଡ଼ା, ସାରଥୀ ପାଇଁ ବାଗିଆ କଣ୍ଟା, ଶୁଆ କଣ୍ଟା ନିର୍ମାଣ କରୁଛନ୍ତି। ଦର୍ଜୀ ସେବକମାନେ ରଥ କନାରେ ଲେସ୍ ସଂଯୋଗ ଓ ଫୁଲ ପକା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/puri-rw3.jpg)