ପୁରୀ : ରଥଖଳାରେ ରଥ ନିର୍ମାଣକୁ ବୁଧବାର ଦିନ ୧୦ ଦିନ ପୂରିଛି। ବୁଧବାର କାମ ଶେଷ ସୁଦ୍ଧା ତିନିରଥର ମହାରଣା ସେବକମାନେ ନିର୍ମାଣ ସରିଥିବା ୪୨ଟି ତୁମ୍ବର ଉଭୟ ପାର୍ଶ୍ୱର ମଧ୍ୟଭାଗରେ ପନ୍ଦାରି ବଳା ବସିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତୁମ୍ବର ଉଭୟ ପାର୍ଶ୍ବରେ ନିହଣରେ ହାଣି ଗୋଲାକାର ଗାଡ଼ ନିର୍ମାଣ କାମ ଆରମ୍ଭ ହୋଇଛି। ସେପଟେ ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପର୍ବ ଅନୁଷ୍ଠିତ ହେବ। ରୂପକାର ସେବକମାନେ ନଡ଼ିଆ ବାଡ଼େଇ, ମାହାର୍ଦ୍ଦ ସମର୍ପଣ ପୂର୍ବକ କୋଣଗୁଜ କାମ ଆରମ୍ଭ କରିବେ। ଭୋଇ ସେବକମାନେ ଆଜି ଏଥିପାଇଁ ଆବଶ୍ୟକ କାଠ ଯୋଗାଇ ଦେଇଛନ୍ତି।
/sambad/media/post_attachments/wp-content/uploads/2023/05/P-104.jpg)
ଅନ୍ୟପଟେ ଆଜି(ଗୁରୁବାର) ଅର, ପଇ, ଯନ୍ତା ପଟାରେ ବିନ୍ଧ କାମ ଅନୁକୂଳ ହେବ। ଏଥିପାଇଁ ବି ଆବଶ୍ୟକ କାଠ ଯୋଗାଇ ଦିଆଯାଇଛି। ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ଅର ଅନୁକୂଳ ପାଇଁ ତିନି ରଥ ପାଇଁ ୯ଟି ଲେଖାଏଁ ୨୭ଟି ଅରମୁଣ୍ଡି ତିନି ମୁଖ୍ୟ ମହାରଣାଙ୍କୁ ଯୋଗାଇ ଦିଆଯାଇଛି। ଏଥିସହ ଗୁରୁବାର ଦିନ ମଧ୍ୟ ଯନ୍ତାଗାଡ଼ ଅନୁକୂଳ ହେବ। ଭୋଇ ସେବକମାନେ ଯନ୍ତାଗାଡ଼ ଖୋଳିବେ। ପରେ ଯନ୍ତାଗାଡ଼ରେ ପଟା ବାଡ଼ିଆ କାମ ଆରମ୍ଭ ହେବ ବୋଲି ଶ୍ରୀ ଭୋଇ କହିଛନ୍ତି।
ଅନୁକୂଳ ପୂଜା ଗୁରୁବାର ସକାଳ ସାଢ଼େ ୮ଟାରେ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକମାନେ ୪୨ଟି ତୁମ୍ବରେ ଅର ସଂଯୋଗ ପାଇଁ ଆବଶ୍ୟକ ଅରକଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏଥିସହ ୪୨ଟି ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରି ବଳା ନିର୍ମାଣ କାମ ଜାରି ରହିଛି। ଆଜି ରଥ ନିର୍ମାଣରେ ୧୩୯ଜଣ ସେବକ ନିୟୋଜିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/P-102.jpg)