ପୁରୀ : ରଥଖଳାରେ ଆଜି ତିନି ରଥର ‘ଦଣ୍ଡାମୁହାଁଟି’ର ବିନ୍ଧ ଅନୁକୂଳ ହୋଇଛି। ପୂଜାକାର୍ଯ୍ୟ ପରେ ତିନି ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି ‘ଦଣ୍ଡାମୁହାଁଟି’ର ବିନ୍ଧ କାମ ଶେଷ ହୋଇଛି। ଏହି ଦଣ୍ଡାମୁହାଁଟି ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଓ ପଛ ଭାଗରେ ସଂଯୋଗ ହେବ। ପ୍ରତି ଦଣ୍ଡା ମୁହାଁଟିରେ ପାଞ୍ଚଟି ଲେଖାଁଏ ବିନ୍ଧ କରାଯାଇଛି। ଆଜି ତିନିରଥର ୧୨ଟି ଲେଖାଁଏ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ମହାରଣା ସେବକମାନେ ପ୍ରତି ଚଉତାର ଦୁଇ ପାର୍ଶ୍ୱରେ ଦୁଇଟି ଲେଖାଁଏ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି। ରଥରେ ଭୂଇଁ ଉଠିଲା ପରେ ଏହି ବିନ୍ଧରେ ପାଖୁଡ଼ା ସଂଯୋଗ ହେବ।

Advertisment

publive-image

ତିନିରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆ ଯାଇଥିବା ୨୦ ଫୁଟିଆ ୮ଟି ଲେଖାଏଁ ୧୪ ନାହାକା କାଠରେ ମହାରଣାସେବକମାନେ ଆଠଅଂଶୀ କୋଣ ବିଶିଷ୍ଟ ନାହାକା ନିର୍ମାଣ ଶେଷ କରିଛନ୍ତି। ଚାରି ନାହାକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ଆଜି ରଥ ଅମିନ ପ୍ରଥମ ପର୍ଯ୍ୟାୟରେ ଭୋଇ ସେବକଙ୍କ ଜରିଆରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ। ପରେ ଚାରି ନାହାକାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଗରଗରା ନିର୍ମାଣ ପାଇଁ ତିନିରଥର ଚାଳିକୁ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦିଆଯାଇଛି। କରତି ସେବକ ଏହାର ମୁଣ୍ଡ କରତି କଲା ପରେ ତିନିରଥର ମହାରଣାମାନେ ଗରଗରାର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି।

କରତି ସେବକମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳର ଦୁଇପାର୍ଶ୍ବ ଚିତା କାର୍ଯ୍ୟ ଶେଷ କରି ଚିରଟ ପାଇଁ ମାପ ଦେଇଛନ୍ତି। ଆସନ୍ତାକାଲି ଏହାର ଚିରଟ କାର୍ଯ୍ୟ ଆରମ୍ଭ ହେବ। ରୂପକାର ସେବକମାନେ ଗୁଜଗୁଡ଼ିକରେ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ତିନିରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ତାଳଧ୍ୱଜ ରଥର ଓଝା ସେବକମାନେ ଦଣ୍ଡା ପାଇଁ ଅଗ ପାତେଳିରୁ ୪୨ଟି, ଚଉରସ କଣ୍ଟାରୁ ୩୫ଟି, ଏପରି ମୋଟ ୭୭ଟି କଣ୍ଟା ନିର୍ମାଣ କରିବେ। ଦର୍ପଦଳନ ରଥର ଓଝା ସେବକମାନେ ଅଗ ପାତେଳିରୁ ୩୬ଟି, ଚଉସରରୁ ୩୦ଟି, ଏପରି ୬୬ଟି ଓ ନନ୍ଦିଘୋଷ ରଥର ଓଝା ସେବକମାନେ ଅଗ ପାତେଳି କଣ୍ଟାରୁ ୪୮ଟି ଓ ଚଉରସ ରୁ ୪୦ଟି ମୋଟ୍‌ ୮୮ଟି କଣ୍ଟା ନିର୍ମାଣ କରିବେ।