ପୁରୀ : ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଇତିମଧ୍ୟରେ ତିନି ରଥର ଦଣ୍ଡା ଫ୍ରେମ୍‌ ନମ୍ବରିଂ ଓ କଳସା କାର୍ଯ୍ୟ ଶେଷ ହୋଇଛି। କଣ୍ଟା ବସିବା ପାଇଁ ଅଗର ବିନ୍ଧ ପରେ ଦଣ୍ଡା ଫ୍ରେମ୍‌ର ବିଭିନ୍ନ ଅଂଶ ଖୋଲାଯାଇଛି। ଆସନ୍ତାକାଲି ପୂର୍ବାହ୍ନରେ ତିନି ରଥର ଚକ ଦିଗ ନିର୍ଣ୍ଣୟ କାର୍ଯ୍ୟ ତିନି ମୁଖ୍ୟ ମହାରଣା ଭୋଇ ସେବକଙ୍କ ସହଯୋଗରେ ସମ୍ପାଦିତ କରିବେ। ଯେପରି ତିନିରଥ ବିନା ବାଧାରେ ସିଂହଦ୍ୱାର ଚକଡ଼ରେ ନିଜ ନିଜ ସ୍ଥାନରେ ପହଞ୍ଚି ପାରିବେ, ସେ ଅନୁସାରେ ରଥ ଚକ ରହିବାର ଦିଗ ନିର୍ଣ୍ଣୟ ହେବ। ଏହା ପରେ ଅଖ ଉପରେ ଭୂଇଁ ପଡ଼ିବ।

Advertisment

ତିନି ରଥର ଚାଳି ଉପରେ ନଜର ପକାଇଲେ ଆଜି ଅଣସର ପାଇଁ ତାଳଧ୍ବଜ ରଥର ୧୮ ଫୁଟିଆ ତିନୋଟି ଅଣସର ଗୟଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଚଉପଟ କାର୍ଯ୍ୟ ଶେଷ ହୋଇଛି। ଦୁଇଟି ବଡ଼ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚାରି ନାହାକାର ମୁହଁ ସାଲ କାର୍ଯ୍ୟ ଶେଷ ହୋଇଛି। ଦୁଇଟି ଲେଖାଏଁ ଧୂଳି ଦଣ୍ଡା ନିର୍ମାଣ ପାଇଁ ଭୋଇ ସେବକମାନେ ୨୦ ଫୁଟିଆ କାଠ ତିନି ଚାଳିକୁ ଯୋଗାଇ ଦେଇଛନ୍ତି। ଧୂଳି ଦଣ୍ଡାର ହଣା କାର୍ଯ୍ୟ ବି ଆରମ୍ଭ ହୋଇଛି। ଧୂଳି ଦଣ୍ଡାର ଦୁଇପାର୍ଶ୍ବ ଗୋଲାକାର କରାଯିବ। ତାଳଧ୍ବଜ ରଥର ଚାର ପରିଚ୍ଛା ଚଉପଟ କାମ ଆଜି ଶେଷ ହୋଇଛି। ଭୂଇଁ ଓରା, ଭୂଇଁ ଖମ୍ବି, ପୋଟଳ ପାରେଣି, ପୋଟଳ ନାହାକା ନିର୍ମାଣ ବି ଶେଷ ହୋଇଛି। ଦର୍ପଦଳନ ରଥର ଦଣ୍ଡା ଫ୍ରେମ୍‌ ନମ୍ବରିଂ, କଳସା ଓ ଅଗର ବିନ୍ଧ ପରେ ଖୋଲାଯାଇ ସାଇତା ଯାଇଛି।

ଚାର ପରିଚ୍ଛା ଚଉପଟ କାମ ଶେଷ ହୋଇଛି। ଦୁଇଟି ଧୂଳି ଦଣ୍ଡା ଓ ତିନିଟି ଢମକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଥିସହ ଦୁଇଟି ବଡ଼ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ରଥର ଦଣ୍ଡା ଫ୍ରେମ୍‌ର ନମ୍ବରିଂ, କଳସା ଓ କଣ୍ଟା ବସିବା ପାଇଁ ଅଗର ବିନ୍ଧ କାମ ଶେଷ ହୋଇଛି। ପରେ ଦଣ୍ଡା ଫ୍ରେମ୍‌ ଖୋଲା ଯାଇ ସାଇତା ଯାଇଛି। ଦୁଇଟି ବଡ଼ ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ଦୁଇଟି ପୋଲ ଗୟଳର ଚଉପଟ ପାଇଁ ହଣା କାର୍ଯ୍ୟ ଜାରି ରହିଛି। ନନ୍ଦିଘୋଷ ରଥର ଆଗଆଣି ଢମକ ଓ ଚାର ପରିଚ୍ଛାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇଟି ଧୂଳି ଦଣ୍ଡା ନିର୍ମାଣ ଆରମ୍ଭ ହୋଇଛି। ରୂପକାର ସେବକମାନେ ସିଂହାସନରେ ପୂର୍ଣ୍ଣ କୁମ୍ଭ, ପଦ୍ମ ପାଖୁଡ଼ା ଆଦି ଖୋଦେଇ ଜାରି ରଖିଛନ୍ତି। କରତି ସେବକମାନେ ପୋଲ ଗୟଳ ଚିରଟ ପରେ ଚକା ବାନ୍ଧେଣି ପାଇଁ ଗରଗରା କାଠ ଗଡ଼ କରିବା କାମ ଆରମ୍ଭ କରିଛନ୍ତି। କମାରଶାଳରେ ଓଝା ସେବକମାନେ ତିନି ରଥର ପାଇଁ ଗୟଳ କଣ୍ଟା, ଯୋଖା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।