ରଥଖଳା ଚଳଚଞ୍ଚଳ: ତିନି ରଥରେ ୪୪ଟି ଯୋଖା ସଂଯୋଗ ହେଲା

ପୁରୀ : ରଥ ନିର୍ମାଣର ୩୯ତମ ଦିବସରେ ତିନି ରଥର ମୋଟ୍‌ ୪୪ଟି ଯୋଖା ସଂଯୋଗ ହୋଇଛି। ଗତକାଲି ସୁଦ୍ଧା ତିନିରଥର ପୋ ଗୟଳ ଓ ଛନ୍ଦାଗୟଳ ପଡ଼ିଥିଲା ବେଳେ ତାଳଧ୍ୱଜ ରଥରେ ୧୬ଟି, ଦର୍ପଦଳନ ରଥରେ ୧୨ଟି ଓ ନନ୍ଦିଘୋଷ ରଥରେ ୧୬ଟି ଯୋଖା ସଂଯୋଗ ହୋଇଛି। ଏହି ଯୋଖାଗୁଡିକ ରଥର ଚତୁଃପାର୍ଶ୍ୱ କୋଣ ମାନଙ୍କରେ ସଂଯୋଗ କରାଯାଇଛି। ଏହି ଯୋଖା ରଥର ଅଖ, କୁଡୁକା, ନିରାଡ଼ି ଓ ଗୟଳକୁ ବାନ୍ଧି ରଖିବାରେ ସହାୟକ ହେବ। ଏଥିସହ ଆଜି ତିନିରଥର ପାଞ୍ଚୋଟି ଲେଖାଁଏ ‘ଜଗତ ପୃଷ୍ଠ ସେଣି’ ଚଉପଟ କାର୍ଯ୍ୟ ଶେଷ ହୋଇଛି। ତିନିରଥର ଦୁଇଟି ଲେଖାଁଏ ଧୂଳି ଦଣ୍ଡା ନିର୍ମାଣ ଶେଷ ହୋଇଛି।

ନନ୍ଦିଘୋଷ ରଥ, ତାଳଧ୍ୱଜ ରଥର ଦୁଇଟି ଲେଖାଁଏ ଏବଂ ଦର୍ପଦଳନ ରଥର ତିନୋଟି ‘ଢମକ’ ନିର୍ମାଣ ଶେଷ ହିଇଛି। ତିନିରଥର ‘ଚନ୍ଦ୍ରଶାଳୀ’ର ଅଁଳା ନିର୍ମାଣ ପାଇଁ ଆଜି ରଥ ଆମିନ ତିନି ରଥ ଚାଳିକୁ ୧୨ ଫୁଟିଆ କଞ୍ଚା ମହି କାଠ ଯୋଗାଇ ଦେଇଛନ୍ତି। ତିନିରଥର ରୂପକାର ସେବକମାନେ ନାଟ ଗୋଡ଼ରେ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ତିନି ରଥର ଓଝା ସେବକ ମାନେ ତିନି ରଥ ପାଇଁ ଆବଶ୍ୟକ ଯୋଖା କଣ୍ଟା ନିର୍ମାଣ ସାରି ଯୋଗାଇବା ପରେ ତିନି ରଥର ଭୂଇଁ ପାଇଁ ବିଡ଼ିଆ କଣ୍ଟା, ପୋଟକ ଓରା କଣ୍ଟା ନିର୍ମାଣ କରୁଛନ୍ତି। ଆସନ୍ତାକାଲି ତିନିରଥର ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର