ପୁରୀ ରଥଖଳା ଚଳଚଞ୍ଚଳ: ରଥରେ ଲାଗିଲା ଦୁଆର ବେଢ଼ା

ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଆଜି ତିନି ରଥରେ ଋଷି ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୋଟଳ ନିମ୍ନ ଭାଗରୁ ତୃତୀୟ ଭୂଇଁ ସେଣି ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ ୮ଟି ଋଷି ପଟା ବାଡ଼ିଆ ଯାଇଛି। ତିନିରଥର ୪ଟି ଲେଖାଏଁ ‘ଦୁଆର ବେଢ଼ା’ ରଥ ଚାରି ପାର୍ଶ୍ୱରେ ଲାଗିଛି। ଭୋଇ ସର୍ଦାରଙ୍କ ତତ୍ୱାବଧାନରେ ତିନି ରଥର ଭୋଇ ସେବକମାନେ ମିଳିତ ଭାବେ ଦୁଆର ବେଢ଼ାଗୁଡିକୁ ସାଙ୍ଗି ତଥା ବାଉଁଶ ତେଣ୍ଟିଆ ସହାୟତାରେ ଟେକି ତିନି ରଥର ମୋଟ ୧୨ଟି ଦୁଆର ବେଢ଼ାକୁ ନାଟଗୋଡ଼ରେ ସଂଯୋଗ କରି ରଥରେ ସଂସ୍ଥାପନ କରିଛନ୍ତି।

ଏଥିସହ ବେଦୀରେ ପଟା ବାଡ଼ିଆ କାର୍ଯ୍ୟ ତିନିରଥର ମହାରଣା ସେବକ ମାନେ ଶେଷ କରିଛନ୍ତି। ଆସନ୍ତାକାଲି ରଥ କୋଣରେ ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବ। ରୂପକାର ସେବକଙ୍କ ଦ୍ୱାରା ତିନି ରଥର ପ୍ରଭାରେ ରାହୁ ରୂପ, ମଗର ମୁଖ ଏବଂ ଡାଳିକତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ ହେବା ପରେ ଚିତ୍ରକର ସେବକମାନେ ପ୍ରଭାରେ ଖୋଦିତ ରୂପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବେ। ଚିତ୍ରକାର ସେବକମାନେ ତିନି ରଥର ୬ଟି ଅଁଳା, ୩ଟି କଳସ, ୬ଟି ଓଲଟ ଶୁଆ, ୨୪ଟି ନାଟ ଗୋଡ଼, ୨୭ଟି ଶିଖର ଡମ୍ବରୁ, ୨୪ଟି ଋଷି ପଟା, ୩୬ଟି କନ୍ୟାପଟା, ୨୮ଟି ଲେଖାଁଏ ହଂସ ପଟା, ୩ଟି ଦଧି ନଉତି ପିତଳ କଳସ, ୧୨ଟି ଘଣ୍ଟି, ୨୭ପାର୍ଶ୍ୱ ଦେବାଦେବୀ, ୬ଟି ଦ୍ୱାର ପାଳ, ରଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ କରିବା ସହ ତିନି ରଥର ସାରଥି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

ଦୋଳବେଦୀ କମାର ଶାଳରେ ଓଝା ସେବକମାନେ କୋଠ ଭୋଗ ରୋଷ ଘର ପାଇଁ ପନିକି ଏବଂ କୋରଣା ନିର୍ମାଣ କରି ଯୋଗାଇବା ସହ, ତିନିରଥର ଦୁଆର ବେଢ଼ା ଫିଟିଙ୍ଗ୍‌ ପାଇଁ ୧୨ଟି ଧ୍ୱଜ ବତା କଣ୍ଟା ଶେଷ କରିଛନ୍ତି। ତିନି ରଥ ପ୍ରଭା କଣ୍ଟା ଏବଂ ଧୂଳିଦଣ୍ଡା କଣ୍ଟା ନିର୍ମାଣ କରୁଛନ୍ତି। ଦରଜି ସେବକମାନେ ତିନିରଥର ବତା କାନାରେ ଲେସ କାମ, ଚନ୍ଦ୍ରଶାଳୀ ସମେତ ଦୁଆର ବେଢାରେ ଲେସ ତଥା ସିଲଭର ଫୁଲ ପକା କାର୍ଯ୍ୟ ଶେଷ କରି ପୋଟଳ, ଅଂଳାଶ୍ରୀ ଏବଂ ପୋଲ ମୁଦ୍ରା ଚାଦର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe