ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ତୁମ୍ବ ବିନ୍ଧ କାମ

ପୁରୀ : ଶ୍ରୀମନ୍ଦିର ରଥଖଳାରେ ରଥ ନିର୍ମାଣର ସୋମବାର ଷଷ୍ଠ ଦିନରେ ତୁମ୍ବ ବୋଳା ଓ ସୂତାବାଡ଼ିଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାରଠାରୁ ବିନ୍ଧ କାମ ଆରମ୍ଭ ହୋଇଛି। ମହାରଣା ସେବକମାନେ ସୋମବାର ଦିନ ବିନ୍ଧ ଅନୁକୂଳ ପରେ ତୁମ୍ବରେ ବିନ୍ଧ କାମ ଆରମ୍ଭ କରିଛନ୍ତି। ସେପଟେ ବାକି ତୁମ୍ବର ବୋଳା ଓ ସୂତା ବାଡ଼ିଆ କାମ ଜାରି ରହିଛି। ସେପଟେ ସୋମବାର ଦିନ ସର୍ବାଧିକ ସେବକ ରଥଖଳାରେ ନିୟୋଜିତ ଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ୧୧୧ଜଣ ସେବକ ଆଜି ରଥଖଳାରେ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହାରଣା ସେବକ ୫୮ଜଣ, ଭୋଇ ସେବକ ୩୪ଜଣ, କରତି ସେବକ ୪ଜଣ, ପାହି ମହାରଣା ୨ଜଣ, ଓଝା ସେବକ ୨ଜଣ ନିୟୋଜିତ ହୋଇଛନ୍ତି।

ଆଜି ସୁଦ୍ଧା ୩ ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନର ୪୨ଟି ଚକ ପାଇଁ ୪୨ ତୁମ୍ବର ପ୍ରାରମ୍ଭିକ ଗୋଲେଇ ବା ବୋଳା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଳଧ୍ବଜ ରଥ ଚାଳିରେ ତାଳଧ୍ଵଜ ରଥର ମୋଟ୍‌ ୧୪ଟି ଚକ ପାଇଁ ଆବଶ୍ୟକ ୧୪ଟି ତୁମ୍ବ ମଧ୍ୟରୁ ୧୪ଟିର ପ୍ରାଥମିକ ବୋଳା କାର୍ଯ୍ୟ ବା ଗୋଲେଇ କାର୍ଯ୍ୟ ଶେଷ ହେବା ପରେ ଏହି ତୁମ୍ବଗୁଡିକରେ ସୂତାବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା। ଆଜି ବିନ୍ଧ ଅନୁକୂଳ ପରେ ୧୩ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି। ଦେବଦଳନ ରଥ ଚାଳିରେ ଦେବଦଳନ ରଥର ମୋଟ୍‌ ୧୨ଟି ଚକର ୧୨ଟି ତୁମ୍ବ ମଧ୍ୟରୁ ୧୦ଟିର ପ୍ରାରମ୍ଭିକ ବୋଳା କାର୍ଯ୍ୟ ବା ଗୋଲେଇ ଶେଷ ପରେ ବିନ୍ଧ ପାଇଁ ସୂତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଏହାପରେ ଆଜି ବିନ୍ଧ ଅନୁକୂଳ ପୂର୍ବକ ୮ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି। ଆଉ ୨ଟି ତୁମ୍ବ ବୋଳା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ଚାଳିରେ ନନ୍ଦିଘୋଷ ରଥର ମୋଟ୍‌ ୧୬ଟି ଚକ ପାଇଁ ୧୬ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ ବା ବୋଳା କାର୍ଯ୍ୟ ଶେଷ ପରେ ତୁମ୍ବ ବିନ୍ଧ ପାଇଁ ସୂତାବାଡ଼ିଆ ସହ ଅନୁକୂଳ ପୂଜା ପୂର୍ବକ ୧୩ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି। ସେପଟେ ଦୋଳବେଦି ଅସ୍ଥାୟୀ କମାର ଶାଳରେ ୩ ରଥର ୪୨ ଚକ ପାଇଁ ଆବଶ୍ୟକ ଅର କଣ୍ଟା ପ୍ରସ୍ତୁତି ଜାରି ରହିଛି। ଆଜି ସୁଦ୍ଧା ୩ ରଥ ଶାଳରେ ପ୍ରତ୍ୟେକ ରଥର ୬ ଟି ଚକ ପାଇଁ ଅର କଣ୍ଟା ପ୍ରସ୍ତୁତି ଶେଷ ହୋଇଛି।

ସମ୍ବନ୍ଧିତ ଖବର