ଆଜି ତିନି ରଥର ଚକଡେରା ଅନୁକୂଳ

ପୁରୀ : ଆଜି ପବିତ୍ର ଭଉଁରୀ। ପରମ୍ପରା ଅନୁଯାୟୀ, ଭଉଁରୀରେ ତିନି ରଥର ଚକଡେରା ଅନୁକୂଳ‌ ହେବ। ଏ ନେଇ ତିନି ରଥର ନାହାକା ଚକ ଓ ଅଖ ପ୍ରସ୍ତୁତି ଶେଷ ହୋଇଛି। ସେପଟେ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ବି ଜାରି ରହିଛି। ରଥ ନିର୍ମାଣର ଶନିବାର  ଅଷ୍ଟାଦଶ ଦିନ ଶେଷ ସୁଦ୍ଧା ତିନି ରଥର ୪୨ଟି ଚକରୁ ୧୯ଟି ଚକ କାମ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ତାଳଧ୍ବଜ ରଥର ୭ଟି, ଦେବଦଳନ ରଥର ୫ଟି ଓ ନନ୍ଦିଘୋଷ ରଥର ୭ଟି ଚକ ରହିଛି। ବାକି ଚକ ନିର୍ମାଣ ଜାରି ରହିଛି। ତିନି ରଥର ୪ଟି ଲେଖାଏଁ ଭୂଇଁ ଚଉତା କାଠ ଚଉପଟ ଶେଷ ହୋଇଛି। ଦୁଇଟି ଲେଖାଏଁ ମୁହାଣ୍ଟ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ଆଜି କଟକ ସ’ ମିଲ୍‌ରୁ କଟା ହୋଇ ଆବଶ୍ୟକ ପଇ, ଅର ଓ ଅନ୍ୟାନ୍ୟ କାଠ ପହଞ୍ଚିବା ପରେ ତିନି ରଥ ଚାଳିକୁ ଯୋଗାଇ ଦିଆଯାଇଛି। ପରେ ଏଥିରେ ବିନ୍ଧ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି।

ତାଳଧ୍ବଜ ରଥର ଦୁଇଟି ତୁମ୍ବରେ ଅର ସଂଯୋଗ ପରେ ବିନ୍ଧ ସହ ପନ୍ଦାରି, ବଳା ଆଦି ପିନ୍ଧା ସରିଛି। ଦେବଦଳନ ରଥର ତିନିଟି ତୁମ୍ବରେ ଅଖ ସଂଯୋଗ ସହ ତୁମ୍ବ ବିନ୍ଧ କାମ ଶେଷ ହୋଇଛି। ଦୁଇଟିରେ ପଇ ପିନ୍ଧା ଶେଷ ହୋଇଛି। ପଇରେ ଦାଗ ଦିଆଯିବା ପରେ କଳସା କାମ ଆରମ୍ଭ ହେବ। ନନ୍ଦିଘୋଷ ରଥର ଦୁଇଟି ଚକ ପାଇଁ ଆବଶ୍ୟକ ପଇ ଆଜି କଟକ ସ’ ମିଲ୍‌ରୁ ଆସି ପହଞ୍ଚିବା ପରେ ତୁମ୍ବରେ ଅର ଓ ପଇ ପିନ୍ଧା ଶେଷ ହୋଇଛି। ପଇ କଳସା ପାଇଁ ଦାଗ ଦିଆଯାଇଛି। ରୂପକାର ସେବକମାନେ ତିନି ରଥର ୬ଟି ଲେଖାଏଁ ସାଲଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ତିନି ରଥର ଦୁଇଟି ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଆରମ୍ଭ ହୋଇଛି। ଦୋଳବେଦି କମାରଶାଳରେ ଓଝା ସେବକମାନେ ଆବଶ୍ୟକ ଅରକଣ୍ଟା, ପନ୍ଦାରି ଓ ପନ୍ଦାରି ଚାବି ଶେଷ କରି ବଳା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ‘ଘଡ଼ି ମୁହଁଦଣ୍ଡା କଣ୍ଟା’ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର