ପୁରୀ : ରବିବାର ପବିତ୍ର ଭଉଁରୀ ତିଥିରେ ତିନି ରଥର ଚକଡେରା ଅନୁକୂଳ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଚକକୁ ଅଖ ସହ ସଂଯୋଗ ପୂର୍ବକ ଆଜି ଚକଡେରା ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଆଜ୍ଞାମାଳ ବିଜେ ପରେ ପୂଜାର୍ଚ୍ଚନା ପୂର୍ବକ ଏହି ନୀତି ସମ୍ପନ୍ନ ହୋଇଛି। ଏଥିପାଇଁ ଆଜି ବଡ଼ଦାଣ୍ଡରେ ଭାବବିହ୍ବଳ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ହଜାର ହଜାର ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଛି।
ପରମ୍ପରା ଅନୁଯାୟୀ, ରବିବାର ମଧ୍ୟାହ୍ନ ସୁଦ୍ଧା ଭୋଇ ସେବକମାନେ ତିନି ରଥର ନାହାକା ଚକ ଓ ଅଖକୁ ସଂଯୋଗ ପୂର୍ବକ ଡେରିବା ପରେ ଅପରାହ୍ନରେ ଆଜ୍ଞାମାଳ ବିଜେ ପର୍ବ ଅନୁଷ୍ଠିତ ହୋଇଥିଲା। ଛତି, ତରାସ, କାହାଳୀ, ଘଣ୍ଟଘଣ୍ଟା ସହ ଏକ ବିରାଟ ଶୋଭାଯାତ୍ରାରେ ବଳଭଦ୍ରଙ୍କ ବାଡ଼ରୁ ସାମନ୍ତ ନୃସିଂହ ପୂଜାପଣ୍ଡା, ଜଗନ୍ନାଥଙ୍କ ବାଡ଼ରୁ ସାମନ୍ତ ଭାଗୀରଥି ପୂଜାପଣ୍ଡା ଓ ସୁଭଦ୍ରାଙ୍କ ବାଡ଼ରୁ ସାମନ୍ତ ସୁଦର୍ଶନ ପୂଜାପଣ୍ଡା ରତ୍ନସିଂହାସନରୁ ଆଜ୍ଞାମାଳ ଆଣି ରଥଖଳାରେ ଡେରାଯାଇଥିବା ଅଖ ଓ ଚକରେ ଲାଗି କରିଥିଲେ। ଡେରା ଅନୁକୂଳ ଅର୍ଥାତ୍ ଆଜ୍ଞାମାଳ ପ୍ରଦାନ ପୂର୍ବରୁ ପଇତା କଟାଯାଇଥିବା ୬ଟି ନାହାକା ଚକକୁ ପାଣିଆ ସେବକମାନେ ପାଣି ପକାଇ ସ୍ନାନ କରାଇଥିଲେ। ଏଥିପାଇଁ ବଡ଼ ଆଖଡ଼ା ମଠ କୂଅରୁ ପାଣି ଅଣାଯାଇଥିଲା। ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ଚକ ଡେରା ଅନୁକୂଳ ନୀତିସମ୍ପନ୍ନ ହୋଇଥିଲା। ପ୍ରଥମେ ନନ୍ଦିଘୋଷ, ପରେ ତାଳଧ୍ୱଜ ଓ ଶେଷରେ ଦେବଦଳନ ରଥର ଅଖରେ ଆଜ୍ଞାମାଳ ଲାଗି ହୋଇଥିଲା। ଏହାପରେ ବିଶ୍ୱକର୍ମାମାନେ ଚକ ଡେରା ଅନୁକୂଳ କରିଥିଲେ। ଅନୁକୂଳ ନୀତି ଶେଷ ହେବାପରେ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଏହି ଆଜ୍ଞାମାଳକୁ ତିନି ମୁଖ୍ୟ ବିଶ୍ୱକର୍ମା ଚର୍ଚ୍ଚିକା ଠାକୁରାଣୀଙ୍କୁ ସମର୍ପଣ କରିଥିଲେ। ଚକ ଡେରା ଯିବାପରେ ଚକ-ଅଖ ଠିକ ଭାବେ ଯୋଡ଼ା ଯାଇଛି କି ନାହିଁ ପ୍ରଶାସନଠାରୁ ପ୍ରମାଣପତ୍ର ପ୍ରାପ୍ତ ହେବା ବିଧି ରହିଛି। ଚକଡେରା ଅନୁକୂଳ ପରେ ଆଜି କାମ ଅପରାହ୍ନରେ ବନ୍ଦ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/puri-aaadd.jpg)