ପୁରୀ: ସରିଲା ୩୬ ଚକ ନିର୍ମାଣ; ଚାରିନାହାକା, ଓରା ବିନ୍ଧ ନିର୍ମାଣ ଆରମ୍ଭ

ପହଞ୍ଚିଲା ଆଉ ୯ ଧଉରା କାଠ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ୨୩ ଦିନରେ ପହଞ୍ଚିଥିବା ବେଳେ ଆଜି ସୁଦ୍ଧା ତିନି ରଥର ୪୨ଟି ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ କାମ ଶେଷ ହୋଇଛି। ଶୀତଳଷଷ୍ଠୀରେ ସମସ୍ତ ଚକ-ଅଖ ସଂଯୋଗ ସହ ଡେରା କାମ ଶେଷ ହେବାର ପରମ୍ପରା ରହିଥିବାରୁ ଏହା ପୂର୍ବରୁ ବାକି ୬ଟି ଚକ କାମ ସାରିବାକୁ‌ ଜୋରସୋରରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଅନ୍ୟପଟେ ମୁହାଣ୍ଟ, ନିରାଡ଼ି ଓ ଭୂଇଁ ଚଉପଟ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜିଠାରୁ ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ଖମ୍ବୀ ନିର୍ମାଣ କାର୍ଯ୍ୟ ବି ଆଜିଠାରୁ ଆରମ୍ଭ ହୋଇଛି।

ଅଖ ନିର୍ମାଣ ପାଇଁ ଆଜି ଆଉ ୪୦ ଫୁଟିଆ ୯ଟି ଧଉରା କାଠ ଆସି ରଥଖଳାରେ ପହଞ୍ଚିଛି। ତାଳଧ୍ବଜ ରଥର ୧୪ଟି ଚକରୁ ୧୨ଟି ଚକ କାମ ଶେଷ ହୋଇଥିବାବେଳେ ବାକି ୨ ଚକ ନିର୍ମାଣ କାମ ଆଗେଇ ଚାଲିଛି। ଗୋଟିଏ ଚକ‌ରେ ତୁମ୍ବରେ ଅର ସଂଯୋଗ ଶେଷ ହୋଇ ପଇ ବିନ୍ଧ ପାଇଁ ଦାଗ ଦିଆଯାଇଛି। ଅର କଟା ଓ ସାଲ କାର୍ଯ୍ୟ ଆରମ୍ଭ ହୋଇଛି। ଆବଶ୍ୟକ ଭୂଇଁ ଚଉତା, ମୁହାଣ୍ଟ, ନିରାଡ଼ି ଶେଷ ହେବା ପରେ ଚାରିନାହାକା ଚଉପଟ, ଖମ୍ବୀ ଓ ଓରା ନିର୍ମାଣ କାମ ଆରମ୍ଭ ହୋଇଛି। ଦେବଦଳନ ରଥର ୧୨ଟି ଚକରୁ ୧୦ଟି ଚକ ନିର୍ମାଣ କାମ ସରିଥିବାବେଳେ ବାକି ଦୁଇଟି ଚକର କାମ ଜାରି ରହିଛି। ନନ୍ଦିଘୋଷ ରଥର ୧୬ଟି ଚକରୁ ୧୪ଟି ଚକ ସରିଥିବାବେଳେ ଆଉ ଦୁଇଟିର ନିର୍ମାଣ ଜାରି ରହିଛି। ଗୋଟିଏ ଚକର ତୁମ୍ବରେ ଅଖ ବିନ୍ଧ ହୋଇ ଅର ସଂଯୋଗ ଓ ଅର କଟା ପରେ ପଇ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୂପକାର ସେବକମାନେ ସାଲଗୁଜ ଓ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରହିଛି। ଦୋଳବେଦି କମାରଶାଳରେ ‌ତିନି ରଥର ଓଝା ସେବକମାନେ ବଳା ଓ ଘଡ଼ି ମୁହଁ ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ଖରାରୁ ରଥ ଚକକୁ ସୁରକ୍ଷା ପାଇଁ ବନ୍ଧାଗଲା ଚାଞ୍ଚ

ପୁରୀ : ତିନି ରଥର ଚକ, ଅଖକୁ ଖରା ଦାଉରୁ ସୁରକ୍ଷା ପାଇଁ ଆଜିଠାରୁ ଚାଞ୍ଚ ବନ୍ଧା ଆରମ୍ଭ ହୋଇଛି। ଭୋଇ ସେବକମାନେ ଆଜି ନିର୍ମାଣ ସରିଥିବା ଚକ, ଅଖରେ ଓଦା ଚାଞ୍ଚ ବାନ୍ଧି ଖରା ତାତିରୁ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଚାଞ୍ଚ ବାନ୍ଧିବା ପରେ ଏହା ଉପରେ ନିୟମିତ ବ୍ୟବଧାନରେ ପାଣି ଢ଼ାଳିବା ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ଖରା ଦାଉରେ ଚକ, ଅଖରେ ଫାଟ ସୃଷ୍ଟି ହେବା ଆଶଙ୍କା ରହିଥିବାରୁ ପ୍ରତିବର୍ଷ ନିର୍ମାଣ ସରିଥିବା ଚକରେ ଚାଞ୍ଚ ପଡ଼ିଥାଏ। ଅର୍ଦ୍ଧାଧିକ ଚକ, ଅଖ ନିର୍ମାଣ ଶେଷ ପରେ ଆଜିଠାରୁ ଚାଞ୍ଚ ବାନ୍ଧି ଏହାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଛି।

ସମ୍ବନ୍ଧିତ ଖବର