ପୁରୀ : ରଥଖଳାରେ ରଥ ନିର୍ମାଣକୁ ଆଜି ୨୪ ଦିନ ପୂରିଛି। ଆଜି କାମ ଶେଷ ସୁଦ୍ଧା ତିନି ରଥର ୪୨ଟି ଚକରୁ ୩୭ଟି ଚକ କାମ ‌ଶେଷ ହୋଇଛି। ବାକି ୫ ଚକ ନିର୍ମାଣ କାର୍ଯ୍ୟ ବି ଆଗେଇ ଚାଲିଛି। ସେପଟେ ତିନି ରଥର ତିନି ଭୂଇଁ ପାଇଁ ଭୂଇଁ ଚଉତା ଓ ମୁହାଣ୍ଟ କାମ ଶେଷ ହୋଇଛି। ନିରାଡ଼ି, ଓରା କାମ ଜାରି ରହିଛି। ଚାରିନାହାକା ନିର୍ମାଣ କାମ ଜାରି ରହିଥିବା ବେଳେ ପ୍ରତି ରଥର ୨ଟି ଲେଖାଏଁ ଚାରିନାହାକା ଶେଷ ହୋଇଛି। ସେପଟେ ଆଜି ବଡ଼ଠାକୁର ବଳଭଦ୍ରଙ୍କର ପୋଲ ଗୟଳ କାଠ ଚିରଟ କାମ ଆରମ୍ଭ ହୋଇଛି। ଦୋଳବେଦିଠାରେ କରତି ସେବକମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ପର୍ଯ୍ୟାୟକ୍ରମେ ନନ୍ଦିଘୋଷ ଓ ଦେବଦଳନ ରଥର ପୋଲ ଗୟଳ କାଠ ଚିରଟ ଆରମ୍ଭ ହେବ।

Advertisment

publive-image

ତିନି ରଥର ନିର୍ମାଣ କାର୍ଯ୍ୟ ଉପରେ ନଜର ପକାଇଲେ, ଆଜି ସୁଦ୍ଧା ତାଳଧ୍ବଜ ରଥର ୧୪ଟି ଚକରୁ ୧୨ଟି ଚକ ନିର୍ମାଣ ସରିଥିବାବେଳେ ଅନ୍ୟ ଦୁଇ ଚକ କାମ ଜାରି ରହିଛି। ନନ୍ଦିଘୋଷ ରଥର ୧୬ଟି ଚକରୁ ୧୫ଟି ଚକ ନିର୍ମାଣ ଶେଷ ହୋଇଛି। ଶେଷ ଚକ ନିର୍ମାଣ ଜାରି ରହିଛି। ସେହିଭଳି ଦେବଦଳନ ରଥର ୧୨ଟି ଚକରୁ ୧୦ଟି ଚକ ସରିଥିବାବେଳେ ବାକି ଦୁଇଟି ଚକ ନିର୍ମାଣ ଜାରି ରହିଛି। ତିନି ରଥର ରୂପକାର ସେବକମାନେ ପ୍ରତି ରଥର ୬ଟି ଲେଖାଏଁ ସାଲଗୁଜ କାମ ଶେଷ ସରି ପଲିସ୍‌ କାମ ଜାରି ରଖିଛନ୍ତି। ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରହିଛି। ଦୋଳବେଦି କମାରଶାଳରେ ଅରକଣ୍ଟା, ପନ୍ଦାରି, ବଳା ନିର୍ମାଣ କାମ ଶେଷ ହୋଇଛି। ଏବେ ଘଡ଼ି ମୁହଁ ଦଣ୍ଡା କଣ୍ଟା ସହ ବିଡିଆ କଣ୍ଟା କାମ ଜାରି ରହିଛି।