ପୁରୀ : ରଥଖଳାରେ ରଥ ନିର୍ମାଣକୁ ଆଜି ୩୧ ଦିନ ପୂରିଥିବାବେଳେ ଆଜି କାମ ଶେଷ ସୁଦ୍ଧା ତିନି ରଥର ୪୨ଟି ଚକ ଓ ୨୧ ଅଖ ନିର୍ମାଣ ଶେଷ ହୋଇଛି। ଦେବଦଳନ ରଥର ବାକି ଥିବା ଶେଷ ଚକ ଆଜି ନିର୍ମାଣ ଶେଷ ହୋଇଛି। ଏହାସହ ନନ୍ଦିଘୋଷ ରଥର ୧୬ଟି ଚକ ଓ ୮ଟି ଅଖ, ତାଳଧ୍ବଜ ରଥର ୧୪ଟି ଚକ ଓ ୭ଟି ଅଖ ଏବଂ ଦେବଦଳନ ରଥର ୧୨ଟି ଚକ ଓ ୬ଟି ଅଖ ନିର୍ମାଣ ଶେଷ ହୋଇଛି। ଆସନ୍ତାକାଲି ସମସ୍ତ ଚକ ସହ ଅଖ ସଂଯୋଗ କରି ଚକଡେରା କାମ ସଂପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପଟେ ଆଜି ପଞ୍ଚ ଦଣ୍ଡାରେ ମୁହାଣ୍ଟ, ଗୁଜ, ନିରାଡ଼ି, କୁଡ଼ୁକା ଆଦି ପରୀକ୍ଷାମୂଳକ ସଂଯୋଗ ଶେଷ ହୋଇଛି। ପରେ ଏହାକୁ ନମ୍ବରିଂ କରି ଖୋଲାଯିବ। ଚକଡେରା ପରେ ଏହା ଉପରେ ପଞ୍ଚଦଣ୍ଡା ପଡ଼ିବା ସହ ନିରାଡ଼ି, ଗୁଜ ଆଦି କାମ ଉଠିବ। ସେହିଭଳି ତିନି ଭୂଇଁ ବି ପର୍ଯ୍ୟାୟକ୍ରମେ ଉଠିବ। ଆଜିଠାରୁ ତିନି ରଥର ସିଂହାସନ କାମ ଆରମ୍ଭ ହୋଇଛି। ରୂପକାର ସେବକମାନେ ଡାଳିଲତା, କୁମ୍ଭ ଖୋଦେଇ ଆରମ୍ଭ କରିଛନ୍ତି। ନନ୍ଦିଘୋଷ ଓ ତାଳଧ୍ବଜ ରଥ ୫ଟି ଲେଖାଏଁ ଦଣ୍ଡା ଓ ୪ଟି ଲେଖାଏଁ ପାର୍ଶ୍ବ ଦଣ୍ଡାକୁ ମିଶାଇ ମୋଟ ୯ଟି ଲେଖାଏଁ ଦଣ୍ଡା ଆବଶ୍ୟକ ଥିବାବେଳେ ଦେବଦଳନ ରଥର ୫ଟି ଦଣ୍ଡା ସହ ଦୁଇଟି ପାର୍ଶ୍ବ ଦଣ୍ଡାକୁ ମିଶାଇ ୭ଟି ଦଣ୍ଡା କାମ ଶେଷ ହୋଇଛି। ଆଜି ତିନି ରଥର ପଞ୍ଚ ଦଣ୍ଡାରେ ପାର୍ଶ୍ବ ଦଣ୍ଡା ସଂଯୋଗ ପରେ ନିରାଡ଼ି ଉଠିବା ପରେ କୋଣଗୁଜ, କୁଡ଼ୁକା ଆଦି ଲଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/puri-aaad.jpg)