ରଥରେ ଲାଗିଲା କଳସ, ଓଲଟ ଶୁଆ

ରଥରେ ଲାଗିଲା କଳସ, ଓଲଟ ଶୁଆ

ପୁରୀ : ରଥଖଳାରେ ଆଜି ରଥ ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ଆଜି ତିନି ରଥର ପୋଟଳ ଖପୁରିରେ ମହାରଣା ସେବକଙ୍କ ତତ୍ତ୍ବାବଧାନରେ ତିନି ରଥର ଭୋଇ ସେବକମାନେ କଳସ, ଓଲଟ ଶୁଆ, ଅଳାଁ ଆଦି ସଂଯୋଗ କରିଛନ୍ତି। କଳସରେ କଳସ କଣ୍ଟା ଓ ଓଲଟ ଶୁଆରେ ସାଢ଼େ ୪ ଫୁଟିଆ ନାରାଜ କଣ୍ଟା ବାଡ଼ିଆ ହୋଇଛି। ଏହା କଳସ, ଓଲଟ ଶୁଆ ଆଦିକୁ ବାନ୍ଧି ରଖିବ। ପରେ ଏହା ଉପରେ ପିତଳ କଳସ, ଧ୍ବଜା ଆଦି ସଂଯୋଗ ହେବ। ଆଜି ତିନି ରଥର ଦୁଆର ବେଢ଼ାରେ ଦୁଆର ବାଣିଆ ଦୁଇଟି ଲେଖାଏଁ ବାଡ଼ିଆ ହୋଇଛି। ଏହା ଦୁଆର ବେଢ଼ାକୁ ଶକ୍ତ ଭାବେ ବାନ୍ଧି ରଖିବ।

ଶନିବାର ଦିନ ତିନି ରଥରେ କନ୍ୟା ପଟା ସଂଯୋଗ ହେବ। ଗୁଜମାନଙ୍କ ମଧ୍ୟରେ ଥିବା ଖାଲି ସ୍ଥାନରେ ଏହାକୁ ସଂଯୋଗ କରାଯିବ। ନନ୍ଦିଘୋଷ ଓ ତାଳଧ୍ବଜ ରଥରେ ୧୨ଟି ଲେଖାଏଁ କନ୍ୟାପଟା ଓ ଦର୍ପଦଳନ ରଥରେ ୮ଟି କନ୍ୟାପଟା ଲାଗିବ। ଏହା ପରେ ଶିଖ ଡମ୍ବୁରୁ ସଂଯୋଗ ହେବ। ସେପଟେ ଚିତ୍ରକାର ସେବକମାନେ ତିନି ରଥର ବାହ୍ୟ ଅଂଶ ରଙ୍ଗ କାମ ଜାରି ରଖିଛନ୍ତି। ପ୍ରଭା ରଙ୍ଗ କାମ ବି ଆଜି ଜାରି ରହିଛି। ଦରଜି ସେବକମାନେ ତିନି ରଥରେ କନା ମଣ୍ଡଣି ପୂର୍ବରୁ ଆବଶ୍ୟକ ସିଲାଇ କାମ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe