ଶ୍ରୀକ୍ଷେତ୍ରରେ ଚକ ଡେରା ଅନୁକୂଳ: ୮ ଦିନରେ ସରିଲା ୨୦ ଦିନର କାମ

ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଶେଷ

ପୁରୀ : ପବିତ୍ର ଭଉଁରୀ ତିଥିରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଚକଡ଼େରା ଅନୁକୂଳ ହୋଇଛି। ତାଳଧ୍ବଜ, ନନ୍ଦିଘୋଷ ଓ ଦର୍ପଦଳନ ରଥର ଛଅଟି ଚକକୁ ଅଖରେ ସଂଯୋଗ କରାଯାଇ ରଥଖଳାରେ ଡେରାଯାଇଛି। ରଥର ମୁଖ୍ୟ ଅଖ ‘ନାହାକା ଅଖ’ ହୋଇଥିବାରୁ ଏହାକୁ ଠିଆ କରିବାକୁ ଶ୍ରୀଜୀଉଙ୍କ ଆଦେଶ ସ୍ବରୂପ ରଥଖଳାରେ ଆଜ୍ଞାମାଳ ବିଜେ କରାଯାଇଥିଲା। ପରମ୍ପରା ମୁତବାକ ଆଜି ମହାପ୍ରଭୁଙ୍କ ଏହି ବିଧି ରଥଖଳାରେ ଅନୁଷ୍ଠିତ ହୋଇଛି। ଏହି ପରମ୍ପରାକୁ ରକ୍ଷା କରିବାରେ ସମ୍ପୃକ୍ତ ସେବକମାନେ ଅଭୂତପୂର୍ବ ସାହସ ଓ ଉତ୍ସାହ ଦେଖାଇଛନ୍ତି। ୨୦ ଦିନର କାମକୁ ୮ ଦିନରେ ଶେଷ କରି ଭକ୍ତ ଓ ଭଗବାନଙ୍କ ବିଶ୍ବାସକୁ ପୁଣିଥରେ ଅତୁଟ ରଖିଛନ୍ତି। କରୋନା କଟକଣା ଭିତରେ ମହାପ୍ରଭୁଙ୍କ ୨୧ ଦିନର ବାହାର ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ଶେଷ ହୋଇଛି। ଆଜି ପବିତ୍ର ଭଉଁରୀ ତିଥିରେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ନରେନ୍ଦ୍ରକୁ ନଯାଇ ଶ୍ରୀମନ୍ଦିର ଭିତରେ ଜଳକ୍ରୀଡ଼ା ମଣ୍ଡପରେ ୨୧ ଘେରା ନୌ ବିହାର କରିବା ପରେ ଆନୁଷ୍ଠାନିକ ଭାବେ ଏହି ଯାତ୍ରା ଶେଷ ହୋଇଛି।

ପରମ୍ପରା ଅନୁଯାୟୀ, ଆଜି ପାଣିଆ ସେବକମାନେ ଆଜ୍ଞାମାଳ ବିଜେ ପୂର୍ବରୁ ଛଅ ନାହାକା ଚକକୁ ପାଣି ପକାଇ ସ୍ନାନ କରାଇଥିଲେ। ପରେ ଭୋଇ ସେବକମାନେ ତିନି ରଥର ଦୁଇଟି ଲେଖାଏଁ ଛଅଟି ଚକକୁ ଅଖ ସହ ସଂଯୋଗ କରିଥିଲେ। ପୂଜାପଣ୍ଡା ସେବକମାନେ ରତ୍ନସିଂହାସନରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲେ। ଘଣ୍ଟଘଣ୍ଟା ସହ ଶୋଭାଯାତ୍ରାରେ ତିନିବାଡ଼ରୁ ଆଜ୍ଞାମାଳ ଆସି ତିନି ରଥର ଅଖରେ ଲାଗି କରାଯାଇଥିଲା। ପରେ ଚକଡ଼େରା ନୀତି ଆରମ୍ଭ ହୋଇଥିଲା।

ମହାରଣା ସେବକମାନେ ଚକଡ଼େରା ଅନୁକୂଳ କରିଥିଲେ। ଅନୁକୂଳ ନୀତି ଶେଷ ପରେ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଆଜ୍ଞାମାଳକୁ ଚର୍ଚ୍ଚିକା ଠାକୁରାଣୀଙ୍କୁ ସମର୍ପଣ କରାଯାଇଥିଲା। ମହାରଣା ସେବକ, ଭୋଇ ସେବକ, ରୂପକାର ସେବକ, ଓଝା ସେବକ ପ୍ରମୁଖଙ୍କ ଉପସ୍ଥିତିରେ ଏହି ନୀତି ସଂପନ୍ନ ହୋଇଥିଲା। ସେପଟେ ଚକ ଡେରାଯିବା ପରେ ଚକ-ଅଖ ଠିକ ଭାବେ ଯୋଡ଼ା ଯାଇଛି କି ନାହିଁ ପ୍ରଶାସନ ଠାରୁ ପ୍ରମାଣପତ୍ର ପ୍ରାପ୍ତ ହେବା ବିଧି ରହିଛି। ସୂଚନାଯୋଗ୍ୟ ଶୀତଳଷଷ୍ଠୀରେ ଚକଡ଼େରା ଶେଷ ହେବ। ସେହି କ୍ରମରେ ରଥ ନିର୍ମାଣ କାମ ଆଗେଇ ଚାଲିଥାଏ। କିନ୍ତୁ କରୋନା କଟକଣା ପାଇଁ ଚଳିତ ବର୍ଷ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ଜୁନ୍‌ ୨୬ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲେ ବି ୧୨ ଦିନ ବିଳମ୍ବରେ ମେ ୮ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ପ୍ରତି ବର୍ଷ ପବିତ୍ର ଭଉଁରୀ ତିଥିରେ ମହାପ୍ରଭୁ ନରେନ୍ଦ୍ରରେ ୨୧ ଘେରା ନୌବିହାର ପରେ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଶେଷ ହୋଇଥାଏ। ଏହା ପରେ ୨୧ ଦିନର ଭିତର ଚନ୍ଦନଯାତ୍ରା ଆରମ୍ଭ ହୋଇଥାଏ। ଚଳିତ ବର୍ଷ କେବଳ ବିଧି ରକ୍ଷା ହୋଇଛି।

ସମ୍ବନ୍ଧିତ ଖବର